ସମ୍ବଲପୁର: RAW ହେଉଛି ଭାରତର ଗୁପ୍ତଚର ବିଭାଗ । ଏହି ସଂସ୍ଥା ଅତି ଗୋପନୀୟ ଭାବେ ଦେଶ ତଥା ବିଦେଶରେ କାର୍ଯ୍ୟ କରିଥାଏ । ଆଉ ବର୍ତ୍ତମାନ ର' ଏଜେଣ୍ଟମାନଙ୍କ ରୋମାଞ୍ଚକର ଜୀବନିକୁ ନେଇ ବଲିଉଡରେ ଅନେକ ଫିଲ୍ମ ତିଆରି ହୋଇଛି । ର' ଏଜେଣ୍ଟମାନେ ବିଦେଶରେ ଯେପରି ଭାବରେ ନିଜ ଜୀବନକୁ ବାଜି ଲଗେଇ ଦେଶର ଶତ୍ରୁମାନଙ୍କୁ ନିପାତ କରନ୍ତି ଏହା ଅନେକ ଫିଲ୍ମରେ ଦେଖିବାକୁ ମିଳିଛି । ଏହାକୁ ନେଇ ର' ସଂସ୍ଥାକୁ ଅତି ସମ୍ମାନ ସହ ଦେଶର ଯୁବପିଢି ଦେଖୁଛନ୍ତି । ଯାହାର ଏହାର ଫାଇଦା ନେଇ କିଛି ଠକ 'Raid Action Wing' ଅର୍ଥାତର' ନାଁ ରେ ଏକ ଠକ ସଂସ୍ଥା ତିଆରି କରି ଚାକିରି ଖୋଜୁଥିବା ନୂଆ ଯୁବକମାନଙ୍କୁ ଏଥିରେ ନିଯୁକ୍ତି ଦେବା ନାଁରେ ଶୋଷଣ କରୁଛନ୍ତି । ତେବେ ବେଆଇନ ରେଡ୍ କରାଉଥିବାବେଳେ ହୀରାକୁଦରୁ ଗିରଫ ହୋଇଛନ୍ତି 2 ଠକ ।
ର' ନାଁ ରେ ଠକେଇ କରୁଥିବାବେଳେ 2 ଠକ ହୀରାକୁଦ ପୋଲିସ ଦ୍ୱାରା ଗିରଫ ହୋଇଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ୱର ଜିଲ୍ଲାର ସତ୍ୟରଞ୍ଜନ ସାହୁ ଓ ହୀରାକୁଦର ଶିବ ନାରାୟଣ ସେଠ । ଅଭିଯୁକ୍ତମାନେ 'Raid Action Wing' ନାମକ ଏକ ସଂସ୍ଥାରେ ସ୍ଥାନୀୟ ଅଞ୍ଚଳର 6 ଜଣ ଯୁବକଙ୍କୁ ନିଯୁକ୍ତି ଦେବା ନାଁରେ ସେମାନଙ୍କ ଠାରୁ ଜଣକ ପିଛା 3ହଜାରରୁ 4ହଜାର ଟଙ୍କା ଲେଖାଏ ନେଇଥିଲେ । ଏହାପରେ ସେମାନେ ଗୋଟିଏ ଲେଖାଏଁ ଆଇକାର୍ଡ ଦେଇଥିଲେ । ଏହାପରେ ସେମାନଙ୍କୁ ପ୍ରୋବେସନ ସମୟରେ ରଖାଯାଇଛି କହି ହୀରାକୁଦର ବିଭିନ୍ନ ମଦ ଦୋକାନ ଓ ମାଦକ ଦ୍ରବ୍ୟ ଦୋକାନ ଗୁଡିକରେ ରେଡ୍ କରିବାକୁ କହିଥିଲେ । ଏଥିପାଇଁ ସେମାନଙ୍କୁ କମ୍ପାନୀ ନାଁରେ ଥିବା ସିଜର ଲିଷ୍ଟ ମଧ୍ୟ ଦେଇଥିଲେ । କହିବାକୁ ଗଲେ ଅକ୍ଷୟ କୁମାରଙ୍କ ସ୍ପେଶାଲ-26 ଫିଲ୍ମ ପରି ନବ ନିଯୁକ୍ତ ଯୁବକମାନଙ୍କୁ ବିଭିନ୍ନ ଦୋକାନରେ ରେଡ କରିବାକୁ କୁହାଯାଇଥିଲା ।
ଏହି ଯୁବକମାନେ ନୂଆ ଓ ଅନଭିଜ୍ଞ ହୋଇଥିବାରୁ ସେମାନଙ୍କ ଭାବ ଭଙ୍ଗୀକୁ ଦେଖି ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ଉପୁଜିଥିଲା । ଏନେଇ ପୋଲିସ କୁ ସୂଚନା ଦିଆଯାଇଥିଲା । ପୋଲିସ ଏହି ଯୁବକମାନଙ୍କୁ ପଚରା ଉଚରା କରିବା ପରେ ଏହି ସଂସ୍ଥାଟି ଠକ ସଂସ୍ଥା ବୋଲି ଜାଣିବାକୁ ପାଇଥିଲା । ଏହାପରେ ପୋଲିସ ଏହି 2 ଅଭିଯୁକ୍ତଙ୍କୁ ଗିରଫ କରିଛି । ତେବେ ଏହି ସଂସ୍ଥାରେ ଚାକିରି କରୁଥିବା 6 ଯୁବକଙ୍କୁ ପଚରାଉଚରା କରି ଛାଡି ଦେଇଛି । ଏହି ରାକେଟର ମାଷ୍ଟରମାଇଣ୍ଡ ଗଜପତି ଜିଲ୍ଲାର ବୋଲି ସମ୍ବଲପୁର ଏସପି ମୁକେଶ ଭାମୁ ସୂଚନା ଦେଇଛନ୍ତି । ମାଷ୍ଟରମାଇଣ୍ଡ ସହ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ଏସପି କହିଛନ୍ତି । ଗତ ମେ ମାସରୁ ଏହି ସଂସ୍ଥା ସ୍ଥାନୀୟ ଯୁବକମାନଙ୍କୁ ଷ୍ଟେଟ ଇନ ଚାର୍ଜ, ଡିଷ୍ଟ୍ରିକ୍ଟ ସ୍ପେସିଆଲ ଅଫିସର, ସ୍ପେଶାଲ ଅଫିସର ନାଁରେ ନିଯୁକ୍ତି ଦେଇଥିବାବେଳେ କିଛି କାଗଜପତ୍ର ଓ ଆଇ କାର୍ଡକୁ ପୋଲିସ ଜବତ କରିଛି ।
ଇଟିଭି ଭାରତ, ସମ୍ବଲପୁର