ନବରଙ୍ଗପୁର: 5-T ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚତୁର୍ଥ ପର୍ଯ୍ୟାୟରେ ନବରଙ୍ଗପୁର ଜିଲ୍ଲାର ୫୪ଟି ସ୍କୁଲ ଲୋକାର୍ପଣ ହୋଇଛି । ସହରର ପୁରୁଣା ମଣ୍ଡେଇ ପଡିଆ ଠାରେ ଆୟୋଜିତ ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଲୋକାର୍ପଣ କରିଛନ୍ତି ।
ଶିକ୍ଷାର ଆଧୁନିକୀକରଣ ଓ ଶିକ୍ଷାର ମାନବୃଦ୍ଧି କରିବାରେ ସହାୟକ ହୋଇଛି 5T । ପୂର୍ବରୁ ପ୍ରଥମ ପର୍ଯ୍ୟାୟ ରେ ୧୨ଟି , ଦ୍ଵିତୀୟ ପର୍ଯ୍ୟାୟ ରେ ୭୩ଟି ଓ ତୃତୀୟ ପର୍ଯ୍ୟାୟରେ ୭୬ଟି ରୂପାନ୍ତରଣ ସ୍କୁଲ ଲୋକାର୍ପିତ କରାଯାଇଥିଲା। ଏବେ ଚତୁର୍ଥ ପର୍ଯ୍ୟାୟରେ ୫୪ ଟି ସ୍କୁଲର ରୂପାନ୍ତରିତ କରାଯାଇଛି । ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ଶିକ୍ଷାର ମାନ ବୃଦ୍ଧି କରିବା ସହ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ଶିକ୍ଷାର ଆଧୁନିକୀକରଣ ଲୋକଙ୍କ ପାଇଁ ଏକ ସ୍ୱପ୍ନ ଥିଲା। ଯାହାକୁ 5t କାର୍ଯ୍ୟକ୍ରମ ମାଧ୍ୟମରେ ସାକାର ହେବାକୁ ଦେଇଛନ୍ତି ରାଜ୍ୟ ସରକାର।
ଗରିବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାରେ ଏହl ଏକ ବରଦାନ ସାଜିଛି । ଯାହାକୁ ସବୁ ମହଲରେ ସାଧୁବାଦ ଜଣାଯାଇଛି। ଏପରି ଏକ ଉନ୍ନତମାନର ଶିକ୍ଷାର ଭିତ୍ତିଭୂମି ସହ ହାତ ପାହାନ୍ତାରେ ସୁବିଧା ସୁଯୋଗ ଯୋଗାଇବା ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଛାତ୍ରଛାତ୍ରୀ । ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ ଡ. କମଳ ଲୋଚନ ମିଶ୍ର, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ , ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ,ସରକାରୀ ଶିକ୍ଷକ, ଅବିଭାବକ,ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ।
ଏହା ମଧ୍ୟ ପଢନ୍ତୁ-୫ଟି ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟ, ପ୍ରଥମ ଦିନରେ ୩୮୯ ସ୍କୁଲ ଲୋକାର୍ପିତ
ପ୍ରକାଶ ଥାଉକି, ଚତୁର୍ଥ ପର୍ଯ୍ୟାୟରେ ୧ ହଜାର ୭୯୪ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବ । ପୂର୍ବରୁ ତିନୋଟି ପର୍ଯ୍ୟାୟରେ ରାଜ୍ୟରେ ୬ହଜାର ୮୮୩ଟି ସ୍କୁଲ ରୂପାନ୍ତରିତ କରାଯାଇଛି। ଚତୁର୍ଥ ପର୍ଯ୍ୟାୟ ସୁଦ୍ଧା ରାଜ୍ୟରେ ସମୁଦାୟ ୮ହଜାର ୬୭୭ଟି ସ୍କୁଲ ରୂପାନ୍ତରିତ ହେବାର ଲକ୍ଷ୍ୟ ରହିଛି । ଓଡି଼ଶାରେ ରୂପାନ୍ତରର ଯୁଗ ଚାଲିଛି । ସ୍କୁଲ, କଲେଜ, ହସ୍ପିଟାଲ, ପର୍ଯ୍ୟଟନ କ୍ଷେତ୍ର, ମଠ, ମନ୍ଦିର, ପଞ୍ଚାୟତ, ଗାଁ ସବୁଠାରେ ରୂପାନ୍ତର କାର୍ଯ୍ୟ ଚାଲିଛି । ଏକ ନୂଆ ଓଡି଼ଶା, ସଶକ୍ତ ଓଡି଼ଶା ଗଠନ ପାଇଁ ଏହି ରୂପାନ୍ତର ରାସ୍ତା ପ୍ରସ୍ତୁତ କରୁଛି । ଏସବୁ ରୂପାନ୍ତର କାର୍ଯ୍ୟ ମଧ୍ୟରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ ଶ୍ରେଷ୍ଠ ହେଉଛି ସ୍କୁଲ ରୂପାନ୍ତର । ସ୍କୁଲରୁ ହିଁ ଗୋଟିଏ ଜାତିର ଭବିଷ୍ୟତ ନିର୍ମାଣ ହୋଇଥାଏ । ସ୍କୁଲ ରୂପାନ୍ତର ଓଡିଆ ଜାତିର ଉନ୍ନତି ଓ ପ୍ରଗତି କ୍ଷେତ୍ରରେ ଆଗାମୀ ଦିନରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଇଟିଭି ଭାରତ, ନବରଙ୍ଗପୁର