ନିମାପଡା: ଆଉ ୩ ଦିନପରେ ହେବାକୁ ଯାଉଛି ପବିତ୍ର ମାଘ ମେଳା । ଅର୍କ କ୍ଷେତ୍ର କୋଣାର୍କରେ ବୁ଼ଡ଼ ପକାଇବା ପାଇଁ ଲାଗିବ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ । ଏଥିପାଇଁ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ଵେଚ୍ଛାସେବୀମାନଙ୍କୁ ନେଇ କୋଣାର୍କ ଯାତ୍ରୀ ନିବାସ ସମ୍ମିଳନୀ କକ୍ଷରେ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା । ବିଶ୍ବ ପ୍ରସିଦ୍ଧ କୋଣାର୍କ ମାଘମେଳାକୁ ସରସ ସୁନ୍ଦର କରିବା ପାଇଁ ସ୍ଵେଚ୍ଛାସେଵୀ ସଙ୍ଗଠନ ପକ୍ଷରୁ ୩୦୦ରୁ ଅଧିକ ସ୍ଵେଚ୍ଛାସେବୀ ପବିତ୍ର ମାଘମେଳାରେ ସାମିଲ ହେବେ । ମାଘ ସପ୍ତମୀ ବୁଡ଼ରେ ଲକ୍ଷାଧିକ ଶ୍ରଦ୍ଧାଳୁମାନଙ୍କୁ ନିୟନ୍ତ୍ରଣ କରିବାକୁ NCC, NSS, ନେହେରୁ ଯୁବ କେନ୍ଦ୍ର, ସ୍କାଉଟ ଓ ଗାଇଡ, ରେଡକ୍ରସର ଛାତ୍ରଛାତ୍ରୀ ମାନଙ୍କ ସହ ସ୍ଵେଚ୍ଛାସେବୀମାନଙ୍କୁ ନେଇ ଅଗ୍ନିଶମ ବିଭାଗ ଓ କୋଣାର୍କ ପୋଲିସ ପକ୍ଷରୁ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।
ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଭକ୍ତଙ୍କ ସମାଗମ ବୃଦ୍ଧି ପାଇବ ବୋଲି ଆକଳନ କରିଛି ପ୍ରଶାସନ । ତୀର୍ଥ ପୁଷ୍କରିଣୀରେ ଲକ୍ଷାଧିକ ଭକ୍ତ ପକାଇବେ ବୁଡ଼ । ଏହା ପୂର୍ବରୁ ତୀର୍ଥ ପୁଷ୍କରିଣୀ ଖନନ କରି ପଙ୍କ ଉଦ୍ଧାର, ପରିମଳ ବ୍ୟବସ୍ଥା, ଆଲୋକୀକରଣ, ପାନୀୟ ଜଳ ଯୋଗାଣ କାର୍ଯ୍ୟ ଜୋରଦାର ପ୍ରସ୍ତୁତି ଚାଲିଛି । ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ନିଆଯାଇଛି ନିଷ୍ପତ୍ତି । ଅନ୍ୟପଟେ ଉକ୍ତ ଦିନ ନବଗ୍ରହ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପ୍ରବଳ ଗହଳି ଲାଗିବ ବୋଲି ପୂର୍ବାନୁମାନ କରି ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଏହା ମଧ୍ୟ ପଢନ୍ତୁ ... ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍, ଶ୍ରଦ୍ଧାଳୁଙ୍କ ମହଲରେ ଅସନ୍ତୋଷ
ଚନ୍ଦ୍ରଭାଗା, ତୀର୍ଥ ପୁଷ୍କରିଣୀ, ମାଘମେଳା ପଡିଆ, କୋଣାର୍କଠାରୁ ଚନ୍ଦ୍ରଭାଗା ମୁଖ୍ୟ ରାସ୍ତାର ପ୍ରତ୍ୟେକ ଜାଗାରେ କିପରି ଶ୍ରଦ୍ଧାଳୁମାନେ ସୁରକ୍ଷା ପାଇବେ, ସେଥିପାଇଁ କୋଣାର୍କ NAC, ସ୍ଵେଚ୍ଛାସେବୀ ସଙ୍ଗଠନ, ବସନ୍ତ ମଞ୍ଚରୀ ପାଠାଗାର, ନେହେରୁ ଯୁବକେନ୍ଦ୍ର ଓ ପୁରୀ ଜିଲ୍ଲା ଶିକ୍ଷା ମଣ୍ଡଳ ଅଧିକାରୀ ପକ୍ଷରୁ ସୁରକ୍ଷା ଦିଆଯିବ । ଏହା ସହ ନବଗ୍ରହ, ସୂର୍ଯ୍ୟ ମନ୍ଦିର ବୁଲିବାରେ ସହଯୋଗ କରିବା ପାଇଁ ୩୦୦ରୁ ଉର୍ଦ୍ଧ୍ବ ସ୍ଵେଚ୍ଛାସେଵୀକୁ ତାଲିମ ଦିଆଯାଇଥିଲା । ଚଳିତ ବର୍ଷ ଲକ୍ଷାଧିକ ଶ୍ରନ୍ଧାଳୁକୁ ଆଖିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି କୋଣାର୍କ NAC କାର୍ଯ୍ୟ ନିର୍ବାହୀ ଅଧିକାରୀ ମତ ରଖିଛନ୍ତି । କୋଣାର୍କ ଅଞ୍ଚଳର ସମସ୍ତ ବର୍ଗର ବ୍ୟକ୍ତି ବିଶେଷ ନିଜକୁ ସାମିଲ କରି ଏହି କାର୍ଯ୍ୟକ୍ରମ କିଭଳି ସଫଳ ହେବ ସେ ନେଇ ମତପୋଷଣ କରିଥିଲେ ।
ଇଟିଭି ଭାରତ, ନିମାପଡା