ବଲାଙ୍ଗୀର: ପ୍ରେମ ବିବାହ କରି ଜାତି ଓ ଗାଁରୁ ହୋଇଥିଲେ ବାସନ୍ଦ । ମାତ୍ର ମୃତ୍ୟୁ ପରେ ବି ପିଛା ଛାଡିଲାନି ଜାତିଭେଦର କୁପ୍ରଥା । ମୃତ୍ୟୁ ପରେ ଶେଷକୃତ୍ୟ ହୋଇନପାରି ପଡିରହିଲା ମୃତଦେହ । ନା ପରିବାର ସଦସ୍ୟ, ନା ଗ୍ରାମବାସୀ କେହି ବି ଅନ୍ତିମ ସଂସ୍କାର ପାଇଁ ସାହାଯ୍ୟର ହାତ ମଧ୍ୟ ବଢାଇଲେ ନାହିଁ । ଶେଷରେ ସ୍ବେଚ୍ଛାସେବୀ ସଙ୍ଗଠନ ଦ୍ବାରା ଶେଷ ହୋଇଛି ଅନ୍ତ୍ୟେଷ୍ଟି କ୍ରିୟା ।ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକରୁ ଆସିଥିବା ଏଭଳି ଅଭାବନୀୟ ଚିତ୍ର ଏବେ ସମସ୍ତଙ୍କୁ ବ୍ୟଥିତ କରିଛି ।
ସୂଚନା ଅନୁସାରେ, ବରାହମାଲ ଗ୍ରାମର ସୁରୁବାଲି ବଗର୍ତ୍ତିଙ୍କ ସାନ ପୁଅ ଉପେନ୍ଦ୍ର ବଗର୍ତ୍ତି ଭିନ୍ନ ଜାତିର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ ଏବଂ ନିର୍ମାଣ ଶ୍ରମିକ ଭାବରେ ସମ୍ବଲପୁର ଠାରେ କାମ କରୁଥିଲେ । କିଛି ମାସ ତଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ସେ ତାଙ୍କ ସ୍ତ୍ରୀ ଓ ସନ୍ତାନଙ୍କୁ ଧରି ନିଜ ପୈତୃକ ଗ୍ରାମକୁ ଫେରିଥିଲେ । ମାତ୍ର ଗ୍ରାମବାସୀ ତଥା ତାଙ୍କ ସମାଜର ଲୋକେ ତାଙ୍କୁ ଓ ତାଙ୍କ ପରିବାରକୁ ଅନ୍ୟ ଜାତିରେ ବିବାହ କରିଥିବା କାରଣରୁ ବାସନ୍ଦ କରିଥିଲେ ।
ସେପଟେ ଉପେନ୍ଦ୍ରଙ୍କ ସ୍ବାସ୍ଥ୍ୟବସ୍ଥା ଆହୁରି ବିଗିଡିବାରୁ ତାଙ୍କୁ ପ୍ରଥମେ ସଇଁତଳା ଡାକ୍ତରଖାନା ଓ ପରେ ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ଶନିବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତଦେହକୁ ନେଇ ପରିବାର ଲୋକେ ଗାଁକୁ ଯିବାକୁ ବାହାରୁଥିବା ବେଳେ ଗ୍ରାମବାସୀ ତାଙ୍କୁ ଗାଁକୁ ପ୍ରବେଶ କରିବାକୁ ଦେଇନଥିଲେ । ଯାହା ପରେ ମୃତଦେହକୁ ଧରି ତାଙ୍କ ପରିବାର ଲୋକେ ଦୀର୍ଘ ଦଶ ଘଣ୍ଟା ଅସହାୟ ଅବସ୍ଥାରେ ଅପେକ୍ଷା କରିବାକୁ ବାଧ୍ୟ ଥିଲେ । ଶେଷରେ ପୋଲିସର ହସ୍ତକ୍ଷେପ ପରେ ବଲାଙ୍ଗୀର ଏକ ସ୍ବେଚ୍ଛାସେବୀ ସଙ୍ଗଠନ ଉପେନ୍ଦ୍ରଙ୍କ ଅନ୍ତିମ ସଂସ୍କାର କରିଛି ।
ମୃତକଙ୍କ ଭାଇ ନିଲେନ୍ଦ୍ର ବଗର୍ତ୍ତି କହିଛନ୍ତି, ତାଙ୍କ ଭାଇ ଉପେନ୍ଦ୍ର ବଗର୍ତ୍ତି ଅନ୍ୟ ଜାତିରେ ପ୍ରେମ ବିବାହ କରିଥିଲେ । କିଛି ଦିନ ହେବ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ତାଙ୍କ ସ୍ତ୍ରୀ ଧରି ଗାଁକୁ ଆସିଥିଲେ । ଭିନ୍ନ ଜାତିରେ ବିବାହ କାରଣରୁ ତାଙ୍କୁ ଗ୍ରାମରେ ପ୍ରବେଶ ଅନୁମତି ଦିଆଯାଇନଥିଲା । ଏପରିକି ମୃତ୍ୟୁ ପରେ ମଧ୍ୟ ମୃତଦେହକୁ ମଧ୍ୟ ଗ୍ରାମରେ ପୁରାଇ ଦିଆଗଲା ନାହିଁ । ମୃତକଙ୍କ ମା’ ମଧ୍ୟ ଜାତିବାଦ ଯୋଗୁଁ ତାଙ୍କୁ ବାସନ୍ଦ କରାଯିବାର କଥା କହିଛନ୍ତି ଏବଂ ଆଗାମୀ ଦିନରେ ପୁଣି ସାମାଜିକ ନିୟମ ମୁତାବକ ଆଲୋଚନା କରି ସେମାନେ ଜାତିରେ ସାମିଲ କରିବାକୁ ସେ ନିବେଦନ କରିବେ ବୋଲି ମଧ୍ୟ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ ... ଝିଅର ଅନ୍ୟଜାତିରେ ବିବାହ ଯୋଗୁଁ ବାପାଙ୍କୁ ମିଳିଲାନି ଚାରି କାନ୍ଧ, ଟ୍ରଲିରେ ବୁହାହେଲା ମୃତଦେହ - Social Prejudice after Death
ସ୍ବେଚ୍ଛାସେବୀ ସଙ୍ଗଠନ ସଦସ୍ୟ ଗୋବିନ୍ଦ ଶତପଥୀ କହିଛନ୍ତି, ଗତକାଲି ତାଙ୍କୁ ଏହି ଖବର ମିଳିଥିଲା, ଯେଉଁଥିରେ ଅନ୍ୟ ଜାତିରେ ପ୍ରେମ ବିବାହ କରିଥିବାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଦଶ ଘଣ୍ଟାରୁ ଅଧିକ ସମୟ ଏଠି ପଡିରହିଥିଲା । ଏମାନେ ଆସି ମୃତଦେହ ସତ୍କାର କରିଥିଲେ ।
ଇଟିଭି ଭାରତ, ବଲାଙ୍ଗୀର