ବାଲେଶ୍ବର: ଆଗକୁ ଆସୁଛି ସାଧାରଣ ନିର୍ବାଚନ । ଏନେଇ ନେତାଙ୍କ ଠାରୁ ଆରମ୍ଭ କରି କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଲାଣି । ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଉଷ୍ଣତା ଦେଖିବାକୁ ମିଳିଲାଣି । କେଉଁଠି ଆଶାୟୀଙ୍କ ତାଲିକା ବଢିବାକୁ ଲାଗିଲାଣି ତ କେଉଁଠି ଦଳ ମଧ୍ୟରେ ଆରୋପ ପ୍ରତ୍ୟରୋପ କରାଗଲାଣି । କିନ୍ତୁ ଏହାରି ଭିତରେ ନିର୍ବାଚନ କେମିତି ସୁରୁଖୁରୁରେ ସମ୍ପୂର୍ଣ୍ଣ ହେବ ସେନେଇ ବାଲେଶ୍ବର ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ିଲାଣି ।
ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗାମୀ ସାଧାରଣ ନିର୍ବାଚନ ୨୦୨୪କୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ ହୋଇଛି । ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାର ବରିଷ୍ଠ ଅଧିକାରୀ ମାନଙ୍କ ସହ ବ୍ଲକ୍ ଓ ପଞ୍ଚାୟତ ସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଅଧ୍ୟକ୍ଷତା କରିଥିବାବେଳେ ଏସପି ସାଗରିକା ନାଥ ମଧ୍ୟ ଉପସ୍ଥିତ ଥିଲେ ।
୨୦୨୪ ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ ଭାବରେ ପରିଚାଳନା ସହ ନିର୍ବାଚନୀ ହିଂସାକୁ ରୋକିବା ଉପରେ ଗୁରୁତ୍ବ ପ୍ରଦାନ କରାଯାଇଥିଲା । ବାଲେଶ୍ଵର ଲୋକସଭା ଓ ଭଦ୍ରକ ଲୋକସଭା ମିଶି ଥିବାବେଳେ ନିର୍ବାଚନ କାର୍ଯ୍ୟ କେମିତି ସୁଚାରୁ ଭାବେ ପରିଚାଳିତ ହେବ ସେନେଇ ଆଲୋଚନା କରାଯାଇଥିଲା । ବାଲେଶ୍ଵର ଜିଲ୍ଲାର ୮ଟି ନିର୍ବାଚନ ମଣ୍ଡଳୀକୁ ଗୁରୁତ୍ୱ ଦିଆଯିବା ସହ କେମିତି ଏହି ନିର୍ବାଚନ ମଣ୍ଡଳୀ ଗୁଡିକରେ ନିର୍ବାଚନ ପ୍ରକ୍ରିୟା ସୁରୁଖୁରୁରେ ପରିଚାଳନା କରାଯିବ ସେନେଇ ବ୍ଲକ ସ୍ତରୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଥିଲା ।
ନିର୍ବାଚନ କମିଶନଙ୍କ ନିର୍ଦେଶ ଅନୁଯାୟୀ ନିର୍ବାଚନରେ ନିୟୋଜିତ ପୋଲିଂ ପାର୍ଟିକୁ ବିଭିନ୍ନ ସେଣ୍ଟରକୁ ପଠେଇବା, ଷ୍ଟ୍ରଙ୍ଗ ରୁମର ସୁରକ୍ଷା ସହ ଇଭିଏମ ମେସିନର ସୁରକ୍ଷା, ସମ୍ବେଦନଶୀଳ ବୁଥ ଚିହ୍ନଟ କରିବା ସହ ପ୍ରାକ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଗୁରୁତ୍ୱାରୋପ କରାଯାଇଥିଲା । ଅନ୍ୟପଟେ ନୂଆ ଭୋଟର ଏବଂ ସାଧାରଣ ଭୋଟର ମାନେ କେମିତି ମତଦାନ କେନ୍ଦ୍ରରେ ଅଧିକ ସଂଖ୍ୟକ ଭୋଟ ଦେଇ ପାରିବେ ସେନେଇ ମଧ୍ୟ ଆଲୋଚନା କରାଯାଇଥିଲା । ଏମିତିକି ମତଦାନ କେନ୍ଦ୍ର ଗୁଡିକରେ ଅଧିକାଂଶ ସମୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଥିଲା ।
ଇଟିଭି ଭାରତ , ବାଲେଶ୍ବର