କୋରାପୁଟ: ଦିନେ ଯିଏ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାକୁ ଅଧାରୁ ଛାଡ଼ିଦେଇ କ୍ଷେତ ବାଡ଼ିରେ କାର୍ଯ୍ୟ କରିବାରେ ନିଜକୁ ନିୟୋଜିତ କରିଥିଲା, ଆଜି ଗାଁର ବିଦ୍ୟାଳୟକୁ ଯାଇ ପାରୁନଥିବା ଅନ୍ୟାନ୍ୟ ପିଲାଙ୍କ ପାଇଁ ସେ ପ୍ରେରଣାର ସ୍ରୋତ ପାଲଟିଛି । ଏସବୁ ପାଇଁ ସହାୟତର ହାତ ବଢାଇଛି ଏକତା ସଂଗଠନ । ଏହାର ଏକ ନିଚ୍ଛକ ଉଦାହରଣ ସାଜିଛନ୍ତି ଡମ ପୂଜାରୀ ।
ସୂଚନା ଅନୁସାରେ, ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ମାଳିଗୁଡା ଗ୍ରାମର ଡମ ପୂଜାରୀର ବାପାର ମୃତ୍ୟବରଣ ପରେ ମା କେଉଁଆଡେ ଚାଲିଯାଇଥିଲେ। ଫଳରେ ସେ 70 ବର୍ଷୀୟ ଜେଜେମା ପାଖେ ରହୁଥିଲେ । ଏକ ଛୋଟ ବେଢ଼ା ଜମିରେ ଯାହା ଉତ୍ପାଦିତ ହେଉଛି ସେଥିରେ ଦୁଇଜଣ ଜେଣ ତେଣ ଭାବେ ଚଳୁଥିଲେ । ତେବେ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହେବା ପରେ ଆଗକୁ ଆଉ ପାଠ ପଢିବା ପାଇଁ ଇଚ୍ଛାଥିଲେ ମଧ୍ୟ ଆର୍ଥିକ ପରିସ୍ଥିତି ସ୍ବଚ୍ଛଳ ନଥିବା କାରଣରୁ ପଛଘୁଞ୍ଚା ଦେଇଥିଲା । ତେବେ ଡମର ଏପରି ସ୍ଥିତିକୁ ସେହି ଗ୍ରାମର ଯୁବକ କୃଷ୍ଣ ମୁଦୁଲି ସହ୍ୟ କରିପାରିନଥିଲା ।
କୋରାପୁଟସ୍ଥିତ ଏକତା ସଂଗଠନର ସ୍ବେଚ୍ଛାସେବୀ ଭାବେ ଏହି ଅଞ୍ଚଳର ପିଲାଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଷୟରେ କାର୍ଯ୍ୟ କରୁଥିବା ଯୋଗୁଁ ଦାମର କାହାଣୀ ସଂଗଠନର କର୍ମକର୍ତ୍ତାଙ୍କ ପାଖରେ ପହଞ୍ଚିଥିଲା । ଏହାପରେ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ନିଷ୍ପତ୍ତି ନେଇଥିଲା ସଂଗଠନ । କିନ୍ତୁ ଗାଁରୁ କୌଣସି ଯାନବାହନ ଚାଲୁନଥିବା ବେଳେ 20ରୁ 40 କିଲୋମିଟର ଏକାକୀ ଯିବା ପରିବାର ସହମତି ପ୍ରକାଶ କରିନଥିଲେ । ତେବେ ଷଷ୍ଠ ଶ୍ରେଣୀରେ ପଢ଼ିବା ପାଇଁ 10 କିଲୋମିଟର ଦୂରବର୍ତ୍ତି ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ନନ୍ଦିଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢିବାହିଁ ଡମ ପାଇଁ ଏକମାତ୍ର ମାର୍ଗ ରହିଯାଇଥିଲା । ଯିବା ଆସିବା ପାଇଁ ସାଇକଲର ବ୍ୟବସ୍ଥା କରାଇବା ପରେ ପାଠ ପଢିବା ପାଇଁ ସୁଯୋଗ ପାଇଥିଲେ । ତେବେ ଡମଙ୍କ ଠାରୁ ଅନୁପ୍ରାଣିତ ହୋଇ ଅନେକ ପିଲା ମଧ୍ୟ ଦୂରବର୍ତ୍ତୀ ଛାତ୍ରାବାସରେ ରହି ପାଠ ପଢିବା ଆରମ୍ଭ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ମାନସିକ ବିକାରଗ୍ରସ୍ତ ବାଳିକାକୁ ମାନବିକତାର ହାତ ବଢ଼ାଇଲା ଏକତା
ଏକତା ସଂଗଠନ ସହଯୋଗରେ ଗାଁରେ ଏକ ଶିଶୁ ସଂସଦ ଗଠନ କରି ଡମ ଓ ତା ସହଯୋଗୀ ପିଲା ଏବଂ ଅଭିଭାବକ ମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆକର୍ଷଣ ସୃଷ୍ଟି କରିବା ସହିତ ଏକତା ସଂଗଠନର ସ୍ବେଚ୍ଛାସେବୀ କୃଷ୍ଣଙ୍କ ସହଯୋଗରେ ପିଲାମାନେ ବିଦ୍ୟାଳୟରେ ନାମଲେଖାଇବା ପାଇଁ ଦେଖାଯାଉଥିବା ସମସ୍ୟାକୁ ଦୂର କରାଇବାରେ ସକ୍ଷମ ହୋଇଛନ୍ତି । ସରକାରଙ୍କ ଯୋଜନା, ଏକତା ସଂଗଠନର ସହଯୋଗ ଓ ଡମ ପୂଜାରୀ ଭଳି ଯୁବପିଢିଙ୍କ ମାଧ୍ୟମରେ କୋରାପୁଟ ଜିଲ୍ଲାର ପିଲାଙ୍କ ପାଇଁ ଏକ ନୂତନ ଆଶା ସଂଚାର କରିବ ବୋଲି ଆଶା କରାଯାଇଛି ।
ଇଟିଭି ଭାରତ, କୋରାପୁଟ