ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ 'ଏକ ପେଡ଼ ମା’କେ ନାମ' କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି କ୍ରମରେ ଓଡ଼ିଶାରେ ଆରମ୍ଭ ହୋଇଛି 'ମାଆ ନାଁରେ ଗଛଟିଏ କାର୍ଯ୍ୟକ୍ରମ' । ଯାହାକି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆରମ୍ଭ କରାଯାଇଛି । ଏହି ଯୋଜନାରେ ସାତ ଦିନ ଭିତରେ ମିଶନ ଶକ୍ତିର ମାଆମାନେ ଅଢେଇ କୋଟି ଗଛ ଲଗାଇବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ହଟି କଲଚର, ଏଗ୍ରିକଲଚର, ଜଙ୍ଗଲ ବିଭାଗ ଓ ବିଭିନ୍ନ ନର୍ସରିରେ ଥିବା ଗଛ ଗୁଡିକୁ ମିଶନ ଶକ୍ତି ମାଆମାନଙ୍କୁ ଯୋଗାଇ ଦେବାକୁ ବିଭାଗ ଗୁଡିକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଚିଠି ଲେଖିବେ ବୋଲି କହିଛନ୍ତି ।
ସାଢ଼େ ଚାରି କୋଟି ଓଡ଼ିଆଙ୍କ ଲାଗି ସାଢ଼େ ଚାରି କୋଟି ଗଛ ଲଗାଇବାକୁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ଲକ୍ଷ୍ୟ ରଖିଛି । ପ୍ରଥମ ପର୍ଯ୍ୟାୟରେ ସାତ ଦିନ ମଧ୍ୟରେ ଅଢେଇ କୋଟି ଗଛ ଲଗେଇବେ ମିଶନ ଶକ୍ତିର ମହିଳାମାନେ ବୋଲି ପ୍ରଭାତୀ କହିଛନ୍ତି । ସେ କହିଛନ୍ତି, "ମିଶନ ଶକ୍ତିର ମାଆମାନେ ନିଜ ବାଡ଼ି କିମ୍ବା ରାସ୍ତା କଡ଼ରେ ଗୋଟିଏ ଲେଖାଏଁ ଗଛ ଲଗେଇବେ । ଆଉ ଯିଏ ଯେଉଁ ଗଛ ଲଗେଇବେ, ନିଜ ମାଆଙ୍କର ଯତ୍ନ ନେଲା ଭଳି ସେ ଗଛର ମଧ୍ୟ ଯତ୍ନ ନେବାର ଆବଶ୍ୟକତା ରହିଛି । ପୃଥିବୀ ଆମ ମାଆ, ସେଥିପାଇଁ ତାର ସୁରକ୍ଷା ପାଇଁ ଅର୍ଥାତ ପରିବେଶର ସୁରକ୍ଷା ପାଇଁ ସମସ୍ତେ ଗୋଟିଏ ଲେଖାଏଁ ଗଛ ଲଗାଇ ତାର ଯତ୍ନ ନେବେ ।"
ଉପମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ମହିଳାମାନଙ୍କ ନାଁରେ ହେଉଥିବା ମିଛ ମାମଲା ସବୁକୁ ବନ୍ଦ କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗର ବଡ଼ ପଦକ୍ଷେପ ନେଇଛି । ଛୋଟ ଛୋଟ ଘଟଣାରେ ମହିଳାଙ୍କ ଉପରେ 354 ଏବଂ 376 ଭଳି ଦଫା ଲାଗିବା ଠିକ ନୁହେଁ । ଏଭଳି ମିଛ କଥାରେ ସଙ୍ଗୀନ ଦଫା ଲାଗୁଥିବାରୁ ଗୃହ ବିଭାଗକୁ ଚିଠି ଲେଖି ଅବଗତ କରାଇଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଇଟିଭି ଭାରତ, ଭୁବନେଶ୍ବର