ଭୁବନେଶ୍ବର: ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ପ୍ରକଳ୍ପ। ଧାର୍ଯ୍ୟ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା । ପୂର୍ବତଟ ରେଳପଥ ମହାପ୍ରବନ୍ଧକ ସୋନପୁର- ବୌଦ୍ଧ ରେଳ ସେକ୍ସନ ନୀରିକ୍ଷଣ କରିଛନ୍ତି। ସୋନପୁର-ପୁରୁଣାକଟକ ରେଳ ସେକ୍ସନ ଖୁବଶୀଘ୍ର ଶେଷ ହେବ ବୋଲି କହିଛନ୍ତି ।

ଆଜି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ସୋନପୁର ଏବଂ ବୌଦ୍ଧ ମଧ୍ୟରେ ଚାଲୁରହିଥିବା ରେଳ ଲାଇନ ପ୍ରକଳ୍ପର ନିର୍ମାଣାଧୀନ ରେଳ ଲାଇନ ସେକ୍ସନକୁ ନିରୀକ୍ଷଣ କରିଛନ୍ତି। ନିରୀକ୍ଷଣ ସମୟରେ ପୂର୍ବତଟ ରେଳପଥ ମୁଖ୍ୟାଳୟର ବରିଷ୍ଠ ଅଧିକାରୀ ଏବଂ ପ୍ରକଳ୍ପର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଧିକାରୀ ମାନଙ୍କ ସହିତ ସମ୍ବଲପୁର ରେଳ ମଣ୍ଡଳର ଅଧିକାରୀମାନେ ମଧ୍ୟ କାର୍ଯ୍ୟ ତଦାରଖ କରିଛନ୍ତି । ନିରୀକ୍ଷଣ ସମୟରେ ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରିଥିଲେ। ଧାର୍ଯ୍ୟ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ସମାପ୍ତ ହେବା ନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ଜନ କୈନ୍ଦ୍ରିକ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନ ଉଭୟ ପଶ୍ଚିମ ଓ ଉପକୂଳ ଓଡିଶାକୁ ସଂଯୋଗ କରିବା ସହିତ ଦୁର୍ଗମ ଅଞ୍ଚଳ ଜିଲ୍ଲାମାନଙ୍କୁ ମଧ୍ୟ ସେବା ଯୋଗାଇବ । ଯାହାର ନିର୍ମାଣ କାର୍ଯ୍ୟ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ନଜରରେ ରଖାଯାଇଥିବା ପ୍ରକଳ୍ପ ମଧ୍ୟରେ ରହିଛି ।

ଅଧିକ ପଢନ୍ତୁ- କେବେ ଗଡ଼ିବ ଖୋର୍ଦ୍ଧା-ବଲାଙ୍ଗୀର ରେଳ ? ବୌଦ୍ଧରେ ରେଳପଥ ନିର୍ମାଣ ଶେଷ ହେବାକୁ ଲାଗିପାରେ 3 ବର୍ଷ

ଏହି ପ୍ରକଳ୍ପର ମୋଟ 301 କିମି ମଧ୍ୟରୁ ଏପର୍ଯ୍ୟନ୍ତ ମୋଟ 152.805 କିମି ରେଳ ଲାଇନ କାର୍ଯ୍ୟ ସମ୍ପାଦନ ହୋଇସାରିଛି । ଏହି ପ୍ରକଳ୍ପ ଶୀଘ୍ର ଶେଷ ହେବା ପାଇଁ ରେଳବାଇ ଉଭୟ ପାର୍ଶ୍ବରୁ ଅର୍ଥାତ ଖୋର୍ଦ୍ଧା ରୋଡ ଏବଂ ବଲାଙ୍ଗୀରରୁ ଏହି ଲାଇନ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଜାରି ରଖିଛି । ଖୋର୍ଦ୍ଧା ରୋଡ଼ରୁ ଦଶପଲ୍ଲା ପର୍ଯ୍ୟନ୍ତ 105.8 କିମି ଏବଂ ବାଲାଙ୍ଗୀର ପଟୁ ସୋନପୁର ପର୍ଯ୍ୟନ୍ତ 47 କିମି କାର୍ଯ୍ୟ ସମାପ୍ତ ହୋଇସାରିଛି । ସୋନପୁରରୁ ପୁରୁଣାକଟକ ପର୍ଯ୍ୟନ୍ତ ପ୍ରାୟ 73 କିମି ଦୈର୍ଘ୍ୟ ନୂତନ ରେଳପଥର କାର୍ଯ୍ୟ ଦ୍ରୁତଗତିରେ ଚାଲୁରହିଥିବାବେଳେ ଆସନ୍ତା ଦୁଇମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରାଯିବାକୁ ସମୟ ଧାର୍ଯ୍ୟ ରଖାଯାଇଛି । ଅବଶିଷ୍ଟ ରେଳପଥ ନିର୍ମାଣ କାର୍ଯ୍ୟ ଅର୍ଥାତ ଦଶପଲ୍ଲାଠାରୁ ପୁରୁଣା କଟକ ପର୍ଯ୍ୟନ୍ତ 75 କିଲୋମିଟରର ନିର୍ମାଣ କାର୍ଯ୍ୟ ଡିସେମ୍ବର 2026 ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଆଶା କରାଯାଉଛି ।
ଇଟିଭି ଭାରତ, ଭୁବନେଶ୍ବର