ନୂଆପଡା: ଗାଁକୁ ନାହିଁ ପାନୀୟ ଜଳ ଯୋଗଣା ବ୍ୟବସ୍ଥା । ଫେଲ ମାରିଛି ବସୁଧା ଯୋଜନା । ସରକାର ଗାଁ ଗାଁକୁ ପାଇପଲାଇନ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଉଥିବା ଡିଣ୍ଡିମ ପିଟୁଥିବା ବେଳେ ଏଠି ଲୋକଙ୍କୁ ନଳକୂପ ଜଳ ମଧ୍ୟ ମିଳୁନଥିବା ଅଭିଯୋଗ ହେଉଛି । ନୂଆପଡା ଜିଲ୍ଲା ସିର୍ଲିର ମାକରଖଲିଆ ଗାଁରେ ଦେଖିବାକୁ ମିଳିଛି ସରକାରୀ ଯୋଜନାର ବାସ୍ତବ ଚିତ୍ର । ଏଠିକାର ଲୋକେ ପାଣି ବୁନ୍ଦାଏ ପାଇଁ ଡହଳ ବିକଳ ହେଉଥିବା ବେଳେ, ଗାଁ ନିକଟସ୍ଥ ଚହଲା କୂଳରେ ଚୁଆଁ ଖୋଲି ପାଣି ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି । ଚୁଆଁର ଦୂଷିତ ପାଣି ପିଇ ଅନେକ ସମୟରେ ଲୋକ ଅନେକ ରୋଗରେ ପୀଡିତ ମଧ୍ୟ ହେଉଥିବା ଅଭିଯୋଗ କରିଛନ୍ତି ।
ନୂଆପଡା ଜିଲ୍ଲା ସଦର ମହୁକମା ଠାରୁ 120 କିଲୋମିଟର ଦୂରତାରେ ଅବସ୍ଥିତ ସିର୍ଲିମାକରଖଲିଆ ଗାଁ । ଗାଁରେ ସରକାରଙ୍କ ବସୁଧା ଯୋଜନା ଏବଂ ହରଘର ନଳ ଯୋଜନା ବାଟବଣା ହୋଇଥିବା ଦେଖିବାକୁ ମିଳିଛି । ଗାଁରେ ଥିବା ନଳକୂପ ମଧ୍ୟ ବ୍ୟବହାରରେ ଆସୁନି । ଫଳରେ ପାଣି ସମସ୍ୟା ନେଇ ଲୋକେ ସରପଞ୍ଚଠୁ ଆରମ୍ଭ କରି ବିଡିଓଙ୍କୁ ବାରମ୍ବାର ଜଣାଇଥିଲେ ବି ସବୁ ଯେମିତି ନିରବଦ୍ରଷ୍ଟା ପାଲଟିଛନ୍ତି । ସେପଟେ ଦୂଷିତ ପାଣି ଲୋକେ ଅନେକ ଅଜଣା ରୋଗର ଶିକାର ହେଉଥିବା ଅଭିଯୋଗ କରିଛନ୍ତି । ହେଲେ ତାଙ୍କ ଦୁଃଖ ଶୁଣିବାକୁ ଯେମିତି କେହି ନାହିଁ । ଗାଁକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରପଞ୍ଚ, ସମିତି ସଭ୍ୟ,ବିଡିଓଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ଏହି ସମସ୍ୟା ପ୍ରତି ସେମାନେ ଧ୍ୟାନ ଦେଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଆଗକୁ ପ୍ରଚଣ୍ଡ ଖରା ଆସୁଥିବା ବେଳେ ପିଇବା ପାଣି ପାଇଁ ଗାଁଙ୍କୁ ଚିନ୍ତା ମାଡ଼ି ବସିଲାଣି ।
ଏହା ମଧ୍ୟ ପଢ଼ନ୍ତୁ.... ନଈକୂଳିଆ ଗାଁରେ ଜଳକଷ୍ଟ, ଜିଲ୍ଲାପାଳଙ୍କୁ ଭେଟିଲେ ବହିରା ପଞ୍ଚାୟତବାସୀ
ତେବେ କେବଳ ପାନୀୟ ଜଳ ନୁହେଁ, ଗାଁକୁ ଗମନାଗମନ ପାଇଁ ପକ୍କା ରାସ୍ତା ମଧ୍ୟ ନାହିଁ । ସେପଟେ ଗାଁରେ ଛୋଟ ଶିଶୁ ଓ ମାଆର ସୁରକ୍ଷା ପାଇଁ ଅଙ୍ଗନବାଡିର ସୁବିଧା ମଧ୍ୟ ନାହିଁ । ତେବେ ଲୋକଙ୍କ କହିବା ଅନୁଯାୟୀ, ‘‘କେବଳ ଭୋଟ ଆସିଲେ ବାବୁ ମାନେ ଗାଁକୁ ଆସୁଛନ୍ତି, କିନ୍ତୁ ଆମ ଅସୁବିଧା କାହାରିକୁ ଦେଖା ଯାଉନାହିଁ । ଆମର ଆବଶ୍ୟକତା ପୂରଣ ନେଇ କୌଣସି ଜନପ୍ରତିନିଧି କିମ୍ବା ସରକାରୀ ବାବୁଙ୍କ ଦୃଷ୍ଟି ପଡ଼ିନାହିଁ ।’’ ଏହି ଜଳ ସମସ୍ୟା ବିଷୟରେ ଜନସ୍ବାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ କହିଛନ୍ତି, ‘‘ ପାଣିରେ ଆଇରନ ଅଧିକ ଥିବାରୁ ନାଲି ପାଣି ବାହାରୁଛି । ତେବେ ଆମର ମେଗା ପ୍ରୋଜେକ୍ଟ ଦ୍ବାରା କାମ କରାଯାଉଛି । ଏହି ପାଣି ସମସ୍ୟା ଯଥାଶୀଘ୍ର ସମାପ୍ତ ହୋଇଯିବ ।’’ ତେବେ ମାଓ ପ୍ରବଣ ଲୋକଙ୍କ ଚାହିଦା ଅନୁସାରେ ଯୋଜନା କରି ଲୋକଙ୍କ ଆବଶ୍ୟକତା ପୂରଣ କରିବାପାଇଁ ସରକାର ନିୟମ କରିଛନ୍ତି । ହେଲେ ସବୁ ନିୟମ ଏଠାରେ କାର୍ଯ୍ୟକାରୀ ହେଉନଥିବା ଦେଖାଦେଇଛି । ଏବେ ଦେଖିବାକୁ ବାକି ରହିଲା ସରକାର ତାଙ୍କ ପ୍ରତିଶୃତିକୁ କେତେ ଦୂର ସଫଳ କରିପାରୁଛନ୍ତି ।
ଇଟିଭି ଭାରତ, ନୂଆପଡ଼ା