ପୁରୀ: ଚଳିତମାସ ୧୯ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଦୋଳପୂର୍ଣ୍ଣମୀ ନୀତି । ଏଥିପାଇଁ ନୀଳାଦ୍ରି ଭକ୍ତ ନିବାସରେ ଛତିଶା ନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆସନ୍ତା ମେଣ୍ଢାପୋଡି ଓ ଦୋଳ ପୂର୍ଣ୍ଣମୀ ପାଇଁ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି । ଆସନ୍ତା ୨୪ ଓ ୨୫ ତାରିଖ ମେଣ୍ଢାପୋଡି ଓ ଦୋଳପୂର୍ଣ୍ଣମୀ ନୀତି ନିର୍ଘଣ୍ଟ ଉପରେ ମୋହର ମାରିଛି ଛତିଶା ନିଯୋଗ ।
ଏହି ଦୁଇଦିନ ରାତି ୩ଟାରୁ ଶ୍ରୀମନ୍ଦିର ଦ୍ଵାରଫିଟା ନୀତି ସହ ଅନ୍ୟାନ୍ୟ ନୀତିକାନ୍ତି ଆରମ୍ଭ ହେବ । ସେହିପରି ୨୫ ତାରିଖ ଦୋଳପୂର୍ଣ୍ଣମୀ ଦିନ ଦୋଳବେଦୀ ଉପରେ ସ୍ଵତନ୍ତ୍ର ନୀତିକାନ୍ତି ହେବ । ଠିକ ସମୟରେ ନୀତି ସମ୍ପାଦନ ସହ ଭକ୍ତ କିଭଳି ବ୍ୟବସ୍ଥିତ ଓ ଶୃଙ୍ଖଳିତ ଦର୍ଶନ କରିବେ ସେନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅନ୍ୟପଟେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଭକ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା ମଧ୍ୟ ହେବ । ବଡଦାଣ୍ଡରେ ପେଣ୍ଟିଂ ସହ ସେଡ ବ୍ୟବସ୍ଥା ହେବ । ବୈଠକ ପରେ ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।
ତେବେ ଛତିଶା ନିଯୋଗ ବୈଠକ ପୂର୍ବରୁ ନୀତି ସବ-କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ପୁରୀ ଜିଲ୍ଲାପାଳ, ପରିଚାଳନା କମିଟି ସଦସ୍ୟ, ନୀତି ସବ-କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ । ବିଭିନ୍ନ ବ୍ୟାଙ୍କକୁ ବିଡିଂ ମଗାଯାଇଛି । ସର୍ବାଧିକ ବିଡିଂ ଦେଇଥିବା ବ୍ୟାଙ୍କରେ ଭକ୍ତଙ୍କ ଦାନ ଅର୍ଥ ଜମା ରହିବ । ବୈଠକରେ ବରିଷ୍ଠ ସେବାୟତ ତଥା ଛତିଶା ନିଯୋଗ ସଦସ୍ୟ ତଥା ପୂର୍ବତନ ପରିଚାଳନା କମିଟିର ସଦସ୍ୟ ସ୍ୱର୍ଗତଃ ରଜତ ପ୍ରତିହାରୀଙ୍କ ଦେହାନ୍ତ ନେଇ ନିରବ ପ୍ରାର୍ଥନା କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ :- ବିହାରରେ ଛିଡିଲା NDA ଅଙ୍କ: 17ରେ ବିଜେପି, ଜେଡିୟୁକୁ 16 ଓ ଚିରାଗଙ୍କୁ 5 ଆସନ
ତେବେ ଆଗାମୀ ଦିନରେ ଶ୍ରୀମନ୍ଦିରରେ ଯେଭଳି ନୀତି ଶୃଙ୍ଖଳିତ ହୋଇପାରିବ ସେ ନେଇ ଏକ କମିଟି ଗଠନ କରାଯାଇଛି । ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି କମିଟି କାର୍ଯ୍ୟ କରିବ । ଏଥିରେ ଛତିଶା ନିଯୋଗର ବରିଷ୍ଠ ସଦସ୍ୟମାନେ ମଧ୍ୟ ସାମିଲ ହେବେ । କିଭଳି ମହାପ୍ରଭୁଙ୍କ ନୀତି ଶୃଙ୍ଖଳିତ ହୋଇ ପାରିବ ସେ ନେଇ ଏହି କମିଟି ଗୁରୁତ୍ବ ଦେବ । ପ୍ରତିବର୍ଷ ଦୋଳଯାତ୍ରା ଉତ୍ସବରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଭିଡ ହୋଇଥାଏ । ତେଣୁ ମାତ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ କାରଣରୁ ବିଭିନ୍ନ ଅତିରିକ୍ତ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଏ ।
ଇଟିଭି ଭାରତ, ପୁରୀ