ଭୁବନେଶ୍ୱର: ସରିଲା ଐତିହାସିକ ଧଉଳି-କଳିଙ୍ଗ ମହୋତ୍ସବ । ଭୁବନେଶ୍ୱରର ଐତିହାସିକ ଧଉଳି ପାହାଡ଼ର ପାଦଦେଶରେ ଆରମ୍ଭ ହୋଇଥିବା ବିଂଶତମ ଧଉଳି-କଳିଙ୍ଗ ମହୋତ୍ସବ ଉଦଯାପିତ ହୋଇଛି । ତେବେ ଏହି ଉତ୍ସବ ଗତ ୧୧ ତାରିଖରୁ ଆରମ୍ଭ ହୋଇଥିଲା । ଭାରତୀୟ ସଂସ୍କୃତିର ମହାନ ଗୌରବାନ୍ୱିତ ଐତିହ୍ୟ ଓ ପରମ୍ପରା ବିଷୟରେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ସଚେତନ କରାଇବା ଏହି ମହୋତ୍ସବର ଲକ୍ଷ୍ୟ ଥିଲା ।
ପ୍ରତିବର୍ଷ ଫେବୃୟାରୀ ମାସରେ ଏହି ମହୋତ୍ସବ ବିଶ୍ୱ ପ୍ରସିଦ୍ଧ ଧଉଳି ପାହାଡ଼ର ପାଦଦେଶରେ ଅନୁଷ୍ଠିତ ହୋଇଥିଲା । ତେବେ ଗତକାଲି(ରବିବାର)ର ଉଦଯାପନୀ ସନ୍ଧ୍ୟାରେ ଡ୍ୟାନ୍ସ କ୍ରିଏସନ୍ ଦ୍ୱାରା ପ୍ରଥମେ ଭାରତନାଟ୍ୟମ ନୃତ୍ୟ ପରିବେଷଣ ହୋଇଥିଲା । ସେହିପରୀ ଉଦଯାପନୀ ସଂଧ୍ୟାର ଅନ୍ତିମ ଉପସ୍ଥାପନା ଥିଲା ସମସାମୟିକ ସମରକଳା ନୃତ୍ୟ । ସେମାନେ ମହାକ୍ଷେତ୍ରୀୟ, କୌଶିକା ଜଣେ ଶକ୍ତିଶାଳୀ ଓ ଗର୍ବୀ ରାଜା ଯିଏ ଅନୁଭବ କଲେ ଯେ ଆଧ୍ୟାତ୍ମିକ ବୀରତ୍ୱ ତୁଳନାରେ ସାଂସାରିକ ଧନ ଓ ଶକ୍ତି କିଛି ନୁହେଁ । ତାଙ୍କର ଏହି ଆଦର୍ଶକୁ ସମଗ୍ର ମାନବଜାତି ଅନୁକରଣ କଲେ ଏହି ମାନବସମାଜ ଉନ୍ନତି ପଥରେ ଆଗେଇ ଚାଲିବ । ଏହାକୁ ଆଧାର କରି କର୍ଣ୍ଣକୋପିୟା କ୍ରିଏସନ୍ର ଶିଳ୍ପୀମାନେ ସମସାମୟିକ ସମରକଳା ନୃତ୍ୟ ପରିବେଷଣ କରିଥିଲେ ।
ଏହା ମଧ୍ୟ ପଢନ୍ତୁ- ଆଜିଠୁ ଭୁବନେଶ୍ୱରରେ ଧଉଳି-କଳିଙ୍ଗ ମହୋତ୍ସବ
ଯାହାର ସଂଳାପ ପ୍ରସ୍ତୁତ କରିଥିଲେ ଡକ୍ଟର ଶତାବଦାନୀ ଗଣେଶ, ନୃତ୍ୟ ସଂରଚନା କରିଥିଲେ ଜନାର୍ଦ୍ଦନ ରାଜ ଉର୍ସ, ସଙ୍ଗୀତ ସଂଯୋଜନା କରିଥିଲେ ପରବିନ୍ ଡ଼ି ରାଓ ଓ ଆଲୋକ ପରିଚାଳନା କରିଥିଲେ ଦେବୀପ୍ରସାଦ ମିଶ୍ର । ପ୍ରତିବର୍ଷ ପରି ଏ ବର୍ଷ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଦ୍ୱାରା ପ୍ରଦତ୍ତ ବୁଦ୍ଧ ସମ୍ମାନ ଓଡ଼ିଶୀ ନୃତ୍ୟାଙ୍ଗନା ମାଧବୀ ମୁଦଗଲ୍ଙ୍କୁ ପ୍ରଦାନ କରାଯାଇଥିଲା । ସେହିପରି ଗୁରୁ ଗଙ୍ଗାଧର ସ୍ମୃତି ସମ୍ମାନ ୨୦୨୪ ବିଶିଷ୍ଟ ପ୍ରହଲ୍ଲାଦ ନାଟକ ଗୁରୁ ସିମାଞ୍ଜଳ ପାତ୍ର, ପ୍ରଖ୍ୟାତ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ପଣ୍ଡିତ ଦେବେନ୍ଦ୍ର ନାରାୟଣ ଶତପଥୀ, ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁ ରତିକାନ୍ତ ମହାପାତ୍ର ଏବଂ ଖ୍ୟାତନାମା ସାଧାରଣ ଚିକିତ୍ସକଙ୍କୁ ସେମାନଙ୍କର ଜୀବନବ୍ୟାପୀ ନୃତ୍ୟ, ସଙ୍ଗୀତ ସାଧନା ଓ ଜନସେବା ପାଇଁ ପ୍ରଦାନ କରାଯାଇଥିଲା। ତେବେ ଉଦ୍ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ପୂର୍ବତନ କୁଳପତି ଡକ୍ଟର ପ୍ରିୟମ୍ବଦା ମହାନ୍ତି, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସଭାପତି ଡକ୍ଟର ଲଳିତ୍ ମାନସିଂହ, ଭାରତ ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟର ଶାସନ ସଚିବ ଆରତି ଆହୁଜା ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ୱର