ଗଜପତି: ପାରଳାଖେମୁଣ୍ଡି ଐତିହାସିକ ସ୍ଥଳୀ ମଧ୍ୟରୁ ବୃନ୍ଦାବନ ପ୍ୟାଲେସ ବା ବସନ୍ତ ନିବାସ ଅନ୍ୟତମ । ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ଅମ୍ଲାନ କୀର୍ତ୍ତି ଏହି ସ୍ମୃତି ପ୍ରାଚୀର । ରାଜପରିବାରର ଆଭିଜାତ୍ୟ, ପ୍ରେମ , କଳାର ସ୍ବଚ୍ଛ ଏହା ଜୀବନ୍ତ ପ୍ରମାଣ । ହେଲେ ଏବେ ଏହି ପାଶ୍ଚ୍ୟାତ କଳା ଓ ଭାରତୀୟ ଢାଞ୍ଚାରେ ତିଆରି ଏହି ଉଆସ ଏବେ ଜରାଜିର୍ଣ୍ଣ । ରାଜ୍ୟ ସରକାର ଏହାକୁ ନିଜ ହାତକୁ ନେଇଥିଲେ ବି ସ୍ଥିତି ସୁଧୁରିନି । ଏଭଳି କି ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ପୁଅ ରାମଚନ୍ଦ୍ର ଗଜପତି ଏଠାରେ କୌଣସି କାରଣରୁ ଆତ୍ମହତ୍ୟା କରିଥିବାରୁ ଏହାକୁ ଅଭିଶପ୍ତ ରାଜ ଉଆସ ବୋଲି ମଧ୍ୟ କୁହାଯାଏ। ଏହି ସୁନ୍ଦର ରାଜ ଉଆସଟିର କୌଣସି ବିକାଶ ହୋଇପାରୁନାହିଁ ।
ଚିରସ୍ରୋତା ମହେନ୍ଦ୍ରତନୟା ନଦୀ କୂଳରେ ଏହି ପ୍ୟାଲେସ୍ ରହିଛି । ଏହାର ନକ୍ସା 20 ମଇ 1835 ରେ ଚୂଡାନ୍ତ ହେବା ପରେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ଏହାର ନକ୍ସା ଅଙ୍କନ କରିଥିଲେ ଫ୍ରାନ୍ସର ଜଣେ ଯନ୍ତ୍ରୀ । ସହରରୁ ମାତ୍ର ତିନି କିଲୋମିଟର ଦୂରରେ ଥିବା ଏହି ପ୍ୟାଲେସରେ ମହାରାଜା ନିଜ ପରିବାର ସହ ଗ୍ରୀଷ୍ଣ ଅବକାଶ କଟାଉଥିଲେ । ତେଣୁ ଏହାକୁ ବସନ୍ତ ନିବାସ ମଧ୍ୟ କୁହାଯାଏ । ଏହାର ନିର୍ମାଣ ଶୈଳୀ ଏପରି କି ସବୁବେଳେ ଏଠାରେ ପ୍ରତ୍ୟେକ କୋଠରୀରେ ଥଣ୍ଡା ଅନୁଭୁତ ହୁଏ । ମହାରାଜା ଯେବେ ଠାରୁ ଏହାକୁ ସରକାରଙ୍କୁ ହସ୍ତାନ୍ତରଣ କରିଛନ୍ତି ସେବେଠୁ ଏହି ପ୍ୟାଲେସ ଯେପରି ନିଜ ପରିଚୟ ହଜାଇ ଦେଇଛି । ପ୍ରଥମେ କିଛି ଦିନ ଏହି ସ୍ଥାନକୁ ଶିକ୍ଷା ପାଇଁ ବ୍ୟବହାର କରାଗଲା ହେଲେ ପରେ ପର୍ଯ୍ୟାଟନ ବିଭାଗ ନିଜ ହାତକୁ ନେଇ କିଛି ମରାମତି କାର୍ଯ୍ୟ ମଧ୍ୟ କରିଥିଲା ।
ଏହା ମଧ୍ୟ ପଢନ୍ତୁ-ଖାଇଗଲେ ମନ୍ଦିର ଟଙ୍କା ! ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ବଲାଙ୍ଗୀରର ଅନେକ ମନ୍ଦିର
ଏପରିକି ଗତକିଛି ବର୍ଷରୁ ସୌନ୍ଦର୍ଯ୍ୟକରଣ ନାଁରେ ଜନସାଧାରଣଙ୍କୁ ଏଠାକୁ ପ୍ରବେଶ ନିଷେଧ ମଧ୍ୟ ହୋଇଥିଲା । ସେବେଠାରୁ ଏହି ରାଜପ୍ରାସାଦର କବାଟ, ଝରକା ନଷ୍ଟ ହେବାରେ ଲାଗିଛି । ପ୍ରସାଦର ଅନେକ ପ୍ରାଚୀର ଶିଉଳି ଲାଗିଯାଇଥିବା ବେଳେ , ଅନାବନା ଗଛ ମଧ୍ୟ ମାଡିଗଲାଣି । କୋଠରୀରେ କାନ୍ଥ, ବୀମ ଫାଟି ଆଁ କରିଛି । ଏପରିକି ବଜ୍ରପାତରୁ ରକ୍ଷା ପାଇଁ ଥିବା ବ୍ୟବସ୍ଥା ସହ ପ୍ରସାଦର ଶୋଭା ବୃଦ୍ଧି କରୁଥିବା ମୂଖ୍ୟ ଗମ୍ବୁଜର ଟିଣ ଉଡି ପାଣି ପଶି ପ୍ରାସାଦକୁ ଦୁର୍ବଳ କରିଦେଇଛି । କେଉଁ ମୁହୂର୍ତ୍ତରେ ଏହାର ଛାତ ଭୁଶୁଡିଯିବ ତାହା ଆଜଣା। ଏଭଳି କି ଏହି ଛାତରେ ବର୍ତ୍ତମାନ ଧୀରେ ଧିରେ ଅନେଗୁଡିଏ ଫାଟ ଦେଖିବାକୁ ମିଳୁଛି, ଯାହାର ମରାମତି କରିବା ଜରୁରୀ ହୋଇପଡିଛି ।
ସେନା ସୁରକ୍ଷା ଦୃଷ୍ଟିରୁ ରାଜପ୍ରାସାଦକୁ ଏକ ଶୁଡଙ୍ଗ ମଧ୍ୟ ନିର୍ମାଣ ହୋଇଥିଲା ତାହା ବି ଏବେ ଧୀରେ ଧିରେ ଫାଟ ସୃଷ୍ଟି ହୋଇ ନଷ୍ଟ ହେବାରେ ଏଠାରେ ଏକ ଗ୍ୟାସ କୋଠରୀ ମଧ୍ୟ ଥିଲା । ଯାହା ଦ୍ବାରା ବିଦ୍ୟୁତ ଉତ୍ପାଦନ କରାଯାଇ ନିକଟରେ ଥିବା ଅତିଥି ଗୃହ ଓ ପାରଳାଖେମୁଣ୍ଡିର ମୁଖ୍ୟ ସ୍ଥାନ ମାନଙ୍କରେ ଆଲୋକର ବ୍ୟବସ୍ଥା କରାଯାଉଥିଲା । ଯଦି ବସନ୍ତ ନିବାସର ମରାମତି ହୁଏ ତେବେ ରାଜ ପରିବାର ଏହି ମୂକସାକ୍ଷୀ ଆଗାମୀ ଦିନରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ । ଏଥି ପ୍ରତି ସରକାର ଦୃଷ୍ଟି ଦେବା ଜରୁରୀ ହୋଇପଡିଛି ।
ଇଟିଭି ଭାରତ, ଗଜପତି