ଭୁବନେଶ୍ୱର/କୋରାପୁଟ: କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗବେଷକଙ୍କର ବିଜ୍ଞାନକୁ ଅବଦାନ । କୋରାପୁଟର ପୂର୍ବଘାଟ ପର୍ବତମାଳାରୁ ଦୁଇଟି ନୂତନ ପ୍ରଜାତିର ଜିଆ ଆବିଷ୍କାର କରିଛନ୍ତି । ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଗବେଷକ ଓ ମହାତ୍ମା ଗାନ୍ଧୀ ବିଶ୍ୱବିଦ୍ୟାଳୟ, କେରଳର କୋଟ୍ଟାୟମର ବୈଜ୍ଞାନିକଙ୍କ ସହଯୋଗରେ ନୂତନ ପ୍ରଜାତିର ମେଗାସ୍କୋଲେକ୍ସ ଜିଆ ଠାବ କରିଛନ୍ତି । ଏହି ଆବିଷ୍କାର ସହିତ ବିଶ୍ୱରେ ମୋଟ ମେଗାସ୍କୋଲେକ୍ସ ପ୍ରଜାତିର ସଂଖ୍ୟା ୭୦କୁ ବୃଦ୍ଧି ପାଇଛି । ଯେଉଁଥିରୁ ୩୪ଟି ଭାରତରେ ଦେଖିବାକୁ ମିଳିଛି । କୋରାପୁଟର ବିଭିନ୍ନ ସ୍ଥାନରେ ହୋଇଥିବା ଜିଆର ବିବିଧତା ଅଧ୍ୟୟନରେ ଅୟୁସ୍ମିତା ନାୟକ ରାଣୀ ଡୁଡୁମା ଏବଂ କୋରାପୁଟର ଜୟପୁର ଘାଟି ଅଞ୍ଚଳରୁ କିଛି ବଡ଼ ଜିଆର ନମୁନା ସଂଗ୍ରହ କରିଥିଲେ ।
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଦ୍ୟାଳୟର ଡିନ ପ୍ରଫେସର ଶରତ କୁମାର ପଳିତାଙ୍କ ତତ୍ତ୍ୱାବଧାନରେ ଗବେଷକମାନେ ପରୀକ୍ଷାଗାରରେ ଏହି ନମୁନାଗୁଡ଼ିକୁ ଗୁରୁତର ସହ ପରୀକ୍ଷା କରିଥିଲେ । ପରବର୍ତ୍ତୀ ସମୟରେ ଭାରତୀୟ ପ୍ରାଣୀ ସର୍ବେକ୍ଷଣ ସଂସ୍ଥାର ଅବସରପ୍ରାପ୍ତ ବୈଜ୍ଞାନିକ ଡ. ଆର ପାଲିଓ୍ଵାଲ ଏବଂ ଜିଆ ବିଶେଷଜ୍ଞ ଡ. ପ୍ରଶାନ୍ତ ନାରାୟଣନ ଏବଂ କେରଳର ମହାତ୍ମା ଗାନ୍ଧୀ ବିଶ୍ୱବିଦ୍ୟାଳୟର ଉନ୍ନତ ପରିବେଶ ଅଧ୍ୟୟନ ଓ ନିରନ୍ତର ବିକାଶ କେନ୍ଦ୍ରର ଡ. ପ୍ରଶାନ୍ତ ନାରାୟଣନ ଏବଂ ଡକ୍ଟର ଏପି ଥୋମାସଙ୍କ ସହଯୋଗରେ ଏହି ଦୁଇଟି ବୃହତ୍ ଜିଆ ପ୍ରଜାତିକୁ ଦୁଇଟି ନୂତନ ପ୍ରଜାତି ଭାବରେ ଚିହ୍ନଟ କରାଯାଇଥିଲା । ଯାହା ବିଜ୍ଞାନ ପାଇଁ ସମ୍ପୂର୍ଣ୍ଣ ନୂଆ । ଏହି ଦୁଇ ନୂଆ ପ୍ରଜାତିର ଜିଆ ହେଲେ ମେଗାସ୍କୋଲେକ୍ସ ଜୟପୋରଘାଟିଏନ୍ସିସ ଓ ମେଗାସ୍କୋଲେକ୍ସ କ୍ବାଦରିପାପିଲାଟସ ।
କୋରାପୁଟର ଏହି ଦୁଇ ନୂଆ ପ୍ରଜାତିର ରିପୋର୍ଟ ପ୍ରତିଷ୍ଠିତ ଆନ୍ତର୍ଜାତିକ ପତ୍ରିକା ଜୁଟାକ୍ସାରେ ପ୍ରକାଶ ପାଇଛି । ଏହି ଦୁଇଟି ନୂଆ ଜିଆ ପ୍ରଜାତି ଭାରତର ଓଡ଼ିଶା ରାଜ୍ୟର ଅପେକ୍ଷାକୃତ ଅଣ-ଅନ୍ଵେଷିତ ପୂର୍ବଘାଟ ପର୍ବତମାଳାରୁ ଆବିଷ୍କୃତ ମେଗାସ୍କୋଲେକ୍ସ ପ୍ରଜାତିର ଅଟେ । ସେମାନେ ଏକ ପ୍ରଜାତିର ଅଟନ୍ତି । ଯେଉଁଥିରେ ୭/୮/୯ର ଆନ୍ତ-ବିଭାଗୀୟ ଖଣ୍ଡରେ ଶୁକ୍ରାଣୁ-ଥଳୀର ଛଦ୍ର, ହୋଲାଣ୍ଡ୍ରିକ, ସେମିନାଲ ଭେସିକଲ ୯ ଓ ୧୨ ଭାଗରେ ଥିବାବେଳେ ପେନିଆଲ ସେଟା ଏବଂ କ୍ୟାଲସିଫେରସ ଗ୍ରନ୍ଥିର ଅନୁପସ୍ଥିତି ଦେଖାଯାଏ । ଏହି ଦୁଇଟି ନୂତନ ପ୍ରଜାତି ବାଦାମୀ ରଙ୍ଗର ମାଟି ଥିବା ପର୍ଣ୍ଣମୋଚି ଜଙ୍ଗଲରେ ଦେଖାଯାଏ । ଏହି ଦୁଇଟି ପ୍ରଜାତି ଭାରତର ଓଡ଼ିଶାର କୋରାପୁଟ ଜିଲ୍ଲା ଜୟପୁର ଘାଟି ଏବଂ ରାଣୀ ଡୁଡୁମାରେ ହିଁ ଦେଖାଯାଏ ।
ଏହା ମଧ୍ୟ ପଢନ୍ତୁ: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ଚିହ୍ନଟ କଲା ହଳଦିଆ ରଙ୍ଗର ନୂତନ ପ୍ରଜାତିର ମାଛ
ଏହି ଆବିଷ୍କାର ସହିତ ବିଶ୍ୱରେ ମୋଟ ମେଗାସ୍କୋଲେକ୍ସ ପ୍ରଜାତିର ସଂଖ୍ୟା ୭୦କୁ ବୃଦ୍ଧି ପାଇଛି । ଯେଉଁଥିରୁ ୩୪ଟି ଭାରତରେ ଦେଖିବାକୁ ମିଳିଛି । ଭାରତରେ ଅଧିକାଂଶ ମେଗାସ୍କୋଲେକ୍ସ ପ୍ରଜାତି ଭାରତୀୟ ପ୍ରାୟଦ୍ୱୀପ (Peninsular India)ର ଦକ୍ଷିଣ-ପଶ୍ଚିମ କୋଣରେ ଥିବା ପଶ୍ଚିମ ଘାଟ ପର୍ବତ ଶୃଙ୍ଖଳାର ଦକ୍ଷିଣ ଭାଗରେ ସୀମିତ । ଏହି ନୂତନ ପ୍ରଜାତିର ଆବିଷ୍କାର ପରେ ମେଗାସ୍କୋଲେକ୍ସ ଜିଆ ଗୋଷ୍ଠୀର ପରିସୀମା ବୃଦ୍ଧି ହୋଇଛି । ଏହା ଭାରତୀୟ ପ୍ରାୟଦ୍ୱୀପରୁ ଉତ୍ତର ଉପଦ୍ୱୀପ ଭାରତରେ ଉତ୍ତର ପୂର୍ବଘାଟ ପର୍ବତମାଳାର ଉତ୍ତରଦିଗ ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି । ସମୁଦ୍ର ପତ୍ତନରୁ ୮୬୨ ମିଟର ଉଚ୍ଚତାରେ ଜୟପୁର ଘାଟି ଅଞ୍ଚଳର ଆର୍ଦ୍ର ପର୍ଣ୍ଣମୋଚୀ ଜଙ୍ଗଲରୁ ଏକ ଟେରିଡୋଫାଇଟ ଗଛ ମୂଳରୁ ନୂଆ ପ୍ରଜାତିର ଜିଆ ଏମ ଜୟପୁରଘାଟିଏନ୍ସିସ ଆବିଷ୍କୃତ ହୋଇଥିଲା । ସମୁଦ୍ର ପତ୍ତନରୁ ୯୩୦ ମିଟର ଉଚ୍ଚତାରେ ରାଣୀ ଡୁଡୁମାର ଶୁଷ୍କ ପର୍ଣ୍ଣମୋଚୀ ଅରଣ୍ୟର ଏକ ଝରଣା ନିକଟରେ ମଧ୍ୟ ଏହି ପ୍ରଜାତି ଦେଖିବାକୁ ମିଳିଥିଲା ।
ଏହା ମଧ୍ୟ ପଢନ୍ତୁ: ରେଭେନ୍ସା ବିଶ୍ବବିଦ୍ୟାଳୟର କମାଲ, ମାତ୍ର କେଇ ସେକେଣ୍ଡରେ ଚିହ୍ନଟ ହେବ କ୍ୟାନ୍ସର !
ଓଡ଼ିଶାର କୋରାପୁଟର ଜୟପୁର ଘାଟି ନାମରେ ଏହାର ନାମକରଣ କରାଯାଇଛି । ଜେନିଟାଲ ଚିହ୍ନ ଦୁଇ ଯୋଡ଼ା, ମୁଦି ଆକୃତିର କଳା ରଙ୍ଗର କ୍ଲାଇଟେଲୁମ ଏହାର ବିଶେଷତ୍ଵ । ଏହି ପ୍ରଜାତିର ଦୈର୍ଘ୍ୟ ୨୨୧-୨୮୧ ମିଲିମିଟର ଏବଂ ଏହାର ଦେହ ୧୬୮ - ୧୮୦ ଖଣ୍ଡ ବିଶିଷ୍ଟ । ଏହି ପ୍ରଜାତି ଉଭୟ ଶୁଷ୍କ ଓ ଆର୍ଦ୍ର-ପର୍ଣ୍ଣମୋଚୀ ଅରଣ୍ୟରେ ଦେଖିବାକୁ ମିଳେ । ସମୁଦ୍ର ପତ୍ତନରୁ ୯୬୦ ମିଟର ଉଚ୍ଚତାରେ ଥିବା ରାଣୀ ଡୁଡୁମା ଜଙ୍ଗଲ ଯାହା କୋରାପୁଟର ସେମିଳିଗୁଡ଼ା ସହରରୁ ୨୫ କିଲୋମିଟର ଦୂରରେ ଏକ ଜଳପ୍ରପାତ ନିକଟରେ ଥିବା ଏକ ପାହାଡିଆ ଅଞ୍ଚଳରେ ଥିବା ଶୁଷ୍କ ପର୍ଣ୍ଣମୋଚୀ ଅରଣ୍ୟରୁ ଆବିଷ୍କାର ହୋଇଥିବା ଅନ୍ୟ ପ୍ରଜାତିର ଏମା କ୍ୱାଡ୍ରିପାପିଲାଟସକୁ ଏପରି ନାମିତ କରାଯାଇଛି । କାରଣ ଏଥିରେ ୪ଟି ଅନନ୍ୟ ପାପିଲେ ଅଛି । ଯାହା ଏହି ନୂତନ ପ୍ରଜାତିର ଚାରିଟି ଯୌନାଙ୍ଗ ଚିହ୍ନ ଉପସ୍ଥିତିକୁ ସୂଚିତ କରେ ।
ଏହାର କ୍ଲାଇଟେଲମ ମୁଦି ଆକୃତିର, ପ୍ରୋଟ୍ୟୁବର୍ରାଣ୍ଟ ଡାର୍କ କଫି-ବ୍ରାଉନ୍ ରଙ୍ଗର ହୋଇଥାଏ । ଏହି ବୃହତ ଜିଆର ଦୈର୍ଘ୍ୟ ୨୭୩-୩୦୮ ମିଲିମିଟର ଏବଂ ଏମାନଙ୍କ ଶରୀର ୧୮୮ - ୧୯୦ ଖଣ୍ଡ ବିଶିଷ୍ଟ । ଏହି ଦୁଇଟି ନୂତନ ପ୍ରଜାତି ହେଉଛନ୍ତି ଆନେସିକ ଶ୍ରେଣୀର । ଯେଉଁଥିରେ ଗଛର ଛାଲ, କାଠ ଅଂଶ ଭଳି ତନ୍ତୁଯୁକ୍ତ ଉଦ୍ଭିଦ ପଦାର୍ଥ ଏବଂ କଙ୍କର ଓ ପଥର ମାଟି ସମେତ ପତ୍ରଯୁକ୍ତ ପଦାର୍ଥ ବ୍ୟବହାର କରାଯାଏ । ଯେହେତୁ ସେମାନେ ଜଙ୍ଗଲ ମାଟିରେ ବାସ କରନ୍ତି ଉଚ୍ଚ ଜୈବିକ ବାୟୋମାସ । ସେମାନେ ମାଟିର ସ୍ୱାସ୍ଥ୍ୟ ଏବଂ ମୃତ୍ତିକା ଉତ୍ପାଦକତା ବଜାୟ ରଖନ୍ତି । ମାଟି ପ୍ରଦୂଷଣକୁ ଜୈବ ନିରୀକ୍ଷଣ କରିବାର କ୍ଷମତା ଜିଆଙ୍କର ରହିଛି । ଯାହା କାର୍ବନ ସିକ୍ୱେଷ୍ଟେସନ କରିବା ଏବଂ ମୃତ୍ତିକା ପ୍ରଦୂଷଣକୁ ହ୍ରାସ କରିବାରେ ସକ୍ଷମ ଅଟେ ।
ପୂର୍ବ ଘାଟରେ କୋରାପୁଟର ଏହି ଦୁଇଟି ନୂତନ ପ୍ରଜାତିର ରେକର୍ଡ କୋରାପୁଟ ତଥା ଭାରତର ପୂର୍ବଘାଟ ଅଞ୍ଚଳର ସମୃଦ୍ଧ ଅଜ୍ଞାତ ଜୈବ ବିବିଧତାକୁ ଆହୁରି ଆଲୋକିତ କରିଛି । ବିଶ୍ଵବିଦ୍ୟାଳୟର ଜୈବବିବିଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ସ୍କୁଲର ଡିନ ପ୍ରଫେସର ଏସ କେ ପଳିତା ଏହି ଅଞ୍ଚଳରୁ ଅନେକ ନୂତନ ପ୍ରଜାତିର ଆବିଷ୍କାରକୁ ନେଇ ଆଶାବାଦୀ ଅଛନ୍ତି । ଓଡ଼ିଶାର ପୂର୍ବଘାଟର ଏହି ସମୃଦ୍ଧ କିନ୍ତୁ ଅଜ୍ଞାତ ଅଞ୍ଚଳ ପାଇଁ ଜୈବ ବିବିଧତା ଗବେଷଣା ଏବଂ ଅଧିକ ସଂରକ୍ଷଣ ପାଇଁ ସରକାରୀ ସଂସ୍ଥାଗୁଡ଼ିକ ଦ୍ୱାରା ଅଧିକ ପାଣ୍ଠିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଏହାକୁ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ସମୁଦାୟ ପାଇଁ ଏକ ବଡ଼ ସଫଳତା ବୋଲି ପ୍ରଶଂସା କରିଛନ୍ତି । ଏହାସହ ଏଭଳି ମୌଳିକ ଗବେଷଣାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଯାହା ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ବିଶ୍ୱ ମାନଚିତ୍ରରେ ସ୍ଥାନ ଦେଇପାରିବ ।
ଇଟିଭି ଭାରତ, ଭୁବନେଶ୍ୱର ଓ କୋରାପୁଟ