କଟକ: କଟକରେ ସିଏମସି ମଶା ଦମନ ପ୍ରକ୍ରିୟା ଫେଲ ମାରିବା ଅଭିଯୋଗ । ବାଦାମବାଡ଼ି ଥାନା ସାମ୍ନାରେ ନିଆରା ଢ଼ଙ୍ଗରେ ଆନ୍ଦୋଳନ କରିଛି କଟକ ଜିଲ୍ଲା କଂଗ୍ରେସ । ମଶାରୀ ଟାଣି ମଶା ଦମନ କରିବାରେ କଟକ ମହାନଗର ନିଗମ ଫେଲ ମାରିଥିବା ଅଭିଯୋଗ ଆଣିବା ସହ ପ୍ରତିବାଦ କରିଛି କଂଗ୍ରେସ ।
ସିଏମସି କମିଶନର ନାଁରେ ଏତଲା: କଂଗ୍ରେସର ଅଭିଯୋଗ ଅନୁଯାୟୀ, "ପ୍ରତିବର୍ଷ ଭଳି ବର୍ତ୍ତମାନ ସିଲଭର ସିଟିରେ ମଶା ଉପଦ୍ରବ ଜାରି ରହିଛି । ଯାହାକୁ ନେଇ କଲବଲ ହେଉଛନ୍ତି କଟକବାସୀ । ମଶା ତେଲ, ପ୍ରତି ୱାର୍ଡରେ ଧୂଆଁ ସ୍ପ୍ରେ କେବଳ କଥାରେ ସୀମିତ ରଖିଛି ସିଏମସି । ଯାହା ପାଇଁ କଟକରେ ମଶା ଉତ୍ପାତ ବୃଦ୍ଧି ପାଇଛି । ତେଣୁ ଏହି ସମସ୍ୟାର ଶୀଘ୍ର ସମାଧାନ ପାଇଁ ଉଭୟ ସିଏମସି କମିଶନର ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନାଁରେ ବାଦାମବାଡ଼ି ଥାନାରେ ଏତଲା ଦେଇଛି ଜିଲ୍ଲା କଂଗ୍ରେସ । ଆଜି ବାଦାମବାଡ଼ି ଥାନା ସମୁଖରେ ମଶାରୀ ଭିତରେ ବସି ଆନ୍ଦୋଳନ କରିବା ସହ ଏହି ସମସ୍ୟାର ଶୀଘ୍ର ସମାଧାନ କରିବା ପାଇଁ ସିଏମସିକୁ ଚେତାବନୀ ଦେଇଛି କଂଗ୍ରେସ ।
'ମଶା ନିୟନ୍ତ୍ରଣ କରିବାରେ ସିଏମସି ବିଫଳ': କଟକ ଜିଲ୍ଲା କଂଗ୍ରେସ କମିଟି ମୁଖପାତ୍ର ମାନସ କୁମାର ପରିଡା କହିଛନ୍ତି, " କଟକ ସହରରେ ମଶାର ଯେଉଁ ଘନତ୍ୱ ବଢିଛି ରାତି ତ ରାତି, ଦିନରେ ମଧ୍ୟ ଘରେ ରହିବା ମୁସ୍କିଲ ହୋଇଗଲାଣି । ମଶା ନିୟନ୍ତ୍ରଣ କରିବାରେ ସିଏମସି ବିଫଳ ହୋଇଛି । ମଶା ତ ମଶା ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା କଟକ ସହରରେ ବିପର୍ଯ୍ୟସ୍ତ । ରାସ୍ତା କଡରେ କୁଢ କୁଢ ଅଳିଆ ଦୀର୍ଘ ଦିନ ଧରି ପଡି ରହୁଛି । ଡ୍ରେନ ସଫେଇ ଠିକଣା ଢଙ୍ଗରେ ହେଉନାହିଁ । ମଶାମରା ତେଲ ଓ ଧୂଆଁ ଠିକ ଭାବେ ଦିଆଯାଉନାହିଁ । ଯଦିଓ କିଛି ଜାଗାରେ ଦିଆଯାଉଛି ତାହା ଏତେ ନିମ୍ନମାନର ଯେ ମଶା ମରିବାର ନାଁ ଧରୁ ନାହାନ୍ତି । ଏହି ସବୁ ପାଇଁ ଆମେ କଟକ ମହାନଗର ନିଗମର ସ୍ୱାସ୍ଥ୍ୟ ଅଧିକାରୀ ଓ କମିଶନରକୁ ଦାୟୀ କରି ଭାରତୀୟ ନ୍ୟାୟ ସଂହିତା ଆଇନ ୨୭୧ ଧାରା ଅନୁଯାୟୀ ଆମେ କଂଗ୍ରେସ ଦଳ ପକ୍ଷରୁ ବାଦାମବାଡି ଥାନାରେ ଏତଲା ଦାୟର କରିବା ପାଇଁ ଯାଉଛୁ।"
ଏହାମଧ୍ୟ ପଢନ୍ତୁ.. କଟକରେ କଲବଲ କଲେ ମଶା, ସ୍ବାସ୍ଥ୍ୟ ଅଧିକାରୀଙ୍କ ମନ୍ତବ୍ୟକୁ କର୍ପୋରେଟରଙ୍କ ନିନ୍ଦା
କଂଗ୍ରେସ କର୍ମୀ ରାମଚନ୍ଦ୍ର ଗୋଛାୟତ କହିଛନ୍ତି, " କଟକ ସହର ଗଳି କନ୍ଦିରେ ନାଳ ନର୍ଦ୍ଦମା ଭର୍ତ୍ତି ହୋଇଛି । ତାହା ସଫା ହୋଇପାରୁନାହିଁ । ଯେଉଁଥିପାଇଁ ମଶା ଜନଜୀବନକୁ ଅସନ୍ତୁଷ୍ଟ କରାପକାଉଛି । ଆସନ୍ତା ଦିନରେ କଟକ ମ୍ୟୁନିସପାଲଟି ଯଦି ଏହାର ପ୍ରତିକାର ନ କରେ କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ଏଠାରେ ବିକ୍ଷୋଭ କରାଯିବା ସହ ଆନ୍ଦୋଳନ କରିବା ପାଇଁ ରାଜରାସ୍ତାକୁ ଓହ୍ଲାଇବ ।
ଅନ୍ୟପଟେ ସିଏମସି ସ୍ଵାସ୍ଥ୍ୟ ଅଧିକାରୀ ଡକ୍ଟର ସତ୍ୟବ୍ରତ ମହାପାତ୍ର କହିଛନ୍ତି, "ମଶା ନିବାରଣ ପାଇଁ କଟକ ସହରରେ ମଶା ତେଲ ସିଞ୍ଚନ କରାଯାଉଛି। ମଶାର ଘନତ୍ୱକୁ ଦୃଷ୍ଟିରେ ରଖି ୱାର୍ଡ଼ ସ୍ତରରେ ଦିନକୁ ଦୁଇ ଥର କରି ମଶାତେଲ ଓ ମଶା ଧୂଆଁ ଦିଆଯାଉଛି । ତେବେ ଆଗାମୀ ଦିନରେ ଅପହଞ୍ଚ ଅଞ୍ଚଳରେ ଡ୍ରୋନ ଯୋଗେ ମଶାତେଲ ସିଞ୍ଚନ କରିବା ପାଇଁ ଯୋଜନା କରିଛି ସିଏମସି । ଗତବର୍ଷ ଏହି ସମୟରେ ୬୦୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ କିନ୍ତୁ ଚଳିତ ବର୍ଷ ତାହା ୪୦୦ ରହିଛି । ଭୁବନେଶ୍ୱରରେ ମଶାଙ୍କ ଘନତ୍ୱ ୮୨ ରହିଥିଲାବେଳେ କଟକରେ ଏହା ୬୨ ରହିଛି । ତେଣୁ ବର୍ତ୍ତମାନ ମଶାଙ୍କ ଵଂଶବୃଦ୍ଧି କରିବା ସମୟ ହୋଇଥିବାରୁ ନିବାରଣ ଦିଗରେ ଯଥେଷ୍ଟ କାର୍ଯ୍ୟପନ୍ଥା ହାତକୁ ନିଆଯାଉଛି ।"
ଇଟିଭି ଭାରତ, କଟକ