ଭୁବନେଶ୍ୱର: ସୋସିଆଲ ମିଡିଆରେ ଅପଶବ୍ଦ ଲେଖୁଥିଲେ କିମ୍ବା ମିଥ୍ୟାଖବର ପୋଷ୍ଟ କରୁଥିଲେ ସାବଧାନ । ଲୋକପ୍ରିୟ ନେତାଙ୍କୁ ବଦନାମ କରୁଥିଲେ ହୁସିଆର । ସୋସିଆଲ ମିଡ଼ିଆ ଉପରେ ତୀକ୍ଷ୍ଣ ନଜର ରଖିଛି ପୋଲିସ । ସାଇବର ଅପରାଧ ଉପରେ ନଜର ରଖିବାକୁ ସାଇବର ପାଟ୍ରୋଲିଂ ଆରମ୍ଭ କରାଯାଇଛି । ଗୁଜବ କିମ୍ବା ଅପପ୍ରଚାର କରୁଥିଲେ ଗିରଫ ହୋଇପାରନ୍ତି । ଏନେଇ ପୋଲିସ କମିଶନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।
ପୋଲିସ କମିଶନର ସଞ୍ଜୀବ ପଣ୍ଡାଙ୍କ କହିଛନ୍ତି, "ନିର୍ବାଚନ ସମୟରେ ବିଶେଷ କରି ସୋସିଆଲ ମିଡିଆରେ ଯେଉଁ ଆପତ୍ତିଜନକ ପୋଷ୍ଟ ହେଉଛି ତାକୁ କଣ୍ଟ୍ରୋଲ କରିବା ପାଇଁ ସୋସିଆଲ ମିଡ଼ିଆ ସେଲ ଖୋଲାଯାଇଛି । ଉଭୟ କଟକ ଓ ଭୁବନେଶ୍ଵରରେ ଏହି ସେଲ ମନିଟର କରୁଛନ୍ତି । ବିଶେଷ କରି ଇଲେକ୍ସନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଆପତ୍ତିଜନକ ପୋଷ୍ଟ ଉପରେ ନଜର ରଖାଯାଇଛି । କେବଳ ଭୁବନେଶ୍ୱରରେ ୨୪୯ଟି ସୋସିଆଲ ପୋଷ୍ଟକୁ ହଟାଇବା ପାଇ ଟେକ ଡାଉନ୍ ନୋଟିସ କରାଯାଇଛି । ଫେସବୁକର ୬୮ଟି ପୋଷ୍ଟ, ଇନଷ୍ଟାରେ ୧୪୪ଟି ପୋଷ୍ଟ ଏବଂ ଏକ୍ସରେ ୩୭ଟି ପୋଷ୍ଟକୁ ହଟାଇବା ଫେସବୁକ, ଇନଷ୍ଟାଗ୍ରାମ,ଏକ୍ସ କର୍ତ୍ତୃପକ୍ଷଙ୍କୁ ନୋଟିସ କରାଯାଇଛି । ଖୁବଶୀଘ୍ର ସେମାନେ ସେସବୁ ପୋଷ୍ଟକୁ ବ୍ଲକ କରିବେ କିମ୍ବା ହଟାଇବେ । ଏଥି ସହିତ ୧୧୦ଟି ସୋସିଆଲ ମିଡ଼ିଆ ପୋଷ୍ଟ ଉପରେ ଏବେ କଡ଼ା ନଜର ରହିଛି ।"
କେଉଁ ଭଳି ପୋଷ୍ଟ ଆପଣ କରିପାରିବେ ନାହିଁ: ପୋଲିସ କମିଶନର ଆଉ ମଧ୍ୟ କହିଛନ୍ତି, "ଏନେଇ ପବ୍ଲିକରୁ ୪ଟି ଅଭିଯୋଗ ଆସିଛି ଓ ଅନ୍ୟାନ୍ୟ ସାଇବର ପାଟ୍ରୋଲିଂ ଜରିଆରେ ନିଜ ଆଡୁ ଯାଞ୍ଚ କରାଯାଇ ଏସବୁ ଦିଗରେ ନଜର ରଖାଯାଇଛି । ସୋସିଆଲ ମିଡ଼ିଆ ପୋଷ୍ଟ ଗୁଡିକ ଆପତ୍ତିଜନକ ଓ ଆକ୍ଷେପମୂଳକ ବା ଅପପ୍ରଚାର ଥିଲେ ଏନେଇ ଆକ୍ସନ ନେବାକୁ ପ୍ରକ୍ରିୟା ଜାରି ରହିଛି । ଅପପ୍ରଚାର ଓ ଆକ୍ଷେପମୂଳକ, ମିଥ୍ୟା ଖବର ବା ଗୁଜବ, ରାଜନୈତିକ ଆକ୍ରୋଶମୂଳକ ପୋଷ୍ଟ, ଅପନିନ୍ଦା ବା ବଦନାମ କଲାଭଳି ପ୍ରଚାର, ଗାଳି ଗୁଳଜ ବା ସମ୍ମାନହାନୀ ଭଳି ଆପତ୍ତିଜନକ ପୋଷ୍ଟ ଦେଖିଲେ ଏନେଇ ପୋଲିସକୁ ଯୋଗାଯୋଗ କରିବାକୁ ଜନସାଧାରଣଙ୍କୁ କୁହାଯାଇଛି ।"
ସାଇବର ହେଲ୍ପ ଡେସ୍କ ନମ୍ବର: ଏନେଇ ସାଇବର କଣ୍ଟ୍ରୋଲ ରୁମ୍ ବା ସାଇବର ପାଟ୍ରୋଲିଂ ଟିମର ସାଇବର ହେଲ୍ପ ଡେସ୍କ ପକ୍ଷରୁ ଭୁବନେଶ୍ୱର ପାଇଁ ୭୪୪୦୦୦୬୭୦୯ ନମ୍ବର ଜାରି କରାଯାଇଛି । ଏହି ନମ୍ବର କଲ କିମ୍ବା ମେସେଜ କରି ଏ ବିଷୟରେ ଜନସାଧାରଣ ଜଣାଇପାରିବେ । ଏଥିସହ ଭୁବନେଶ୍ୱର ପାଇଁ cyberhelpdesk.bbsr@odishapolice.gov.in ରେ ମଧ୍ୟ ଇ-ମେଲ୍ କରି ଆପତ୍ତିଜନକ ପୋଷ୍ଟର ଲିଙ୍କ ବିଷୟରେ ଜଣାଇପାରିବେ ।
ଅନ୍ୟପଟେ କଟକ ପାଇଁ ମଧ୍ୟ ସାଇବର ଟିମ ପକ୍ଷରୁ ନମ୍ବର ଜାରି କରାଯାଇଛି । 8280405965 ନମ୍ବରରେ କଲ କିମ୍ବା ହ୍ବାଟ୍ସଆପ ଯୋଗେ ଯୋଗାଯୋଗ କରି ଅଭିଯୋଗ ଦାୟର କରିହେବ । ଏଥିସହ cyberhelpdesk.updctc@odishapolice.gov.inରେ ମଧ୍ୟ ଇ-ମେଲ୍ ଜରିଆରେ ଆପତ୍ତିଜନକ ପୋଷ୍ଟ ସମ୍ପର୍କରେ ଜଣାଇବାକୁ ପୋଲିସ କମିଶନର ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଅଭିଯୋଗ ଦାୟର ପରେ ତଦନ୍ତ ହେବ ଓ ଆବଶ୍ୟକ ପଡିଲେ ଗିରଫଦାରି ମଧ୍ୟ କରାଯାଇପାରେ ବୋଲି ପୋଲିସ କମିଶନର କହିଛନ୍ତି ।
ଭୁବନେଶ୍ୱର, ଇଟିଭି ଭାରତ