ଭୁବନେଶ୍ବର: ଆଜି ରାଜଧାନୀର ଗୋଠପାଟଣାରେ ପ୍ରଥମ ଆଦିବାସୀ ଭବନର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଦେଇଛନ୍ତି । ଆଦିବାସୀ କଳା, ସଂସ୍କୃତି ଓ ବିକାଶର ବିଚାରବିମର୍ଶ, ସମ୍ମିଳନୀ ଓ ପ୍ରଦର୍ଶନ ପାଇଁ ଏହି ଭବନ ଏକ ବହୁମୁଖୀ କେନ୍ଦ୍ର ଭାବେ ପରିଗଣିତ ହେବ । ଏଥିପାଇଁ ଖର୍ଚ୍ଚ ହେବ ୧୦୦ କୋଟି ଟଙ୍କା । ଏହା କାର୍ଯ୍ୟକ୍ଷମ ହେଲେ ଆଦିମ ଜନଜାତି ସମେତ ୬୪ଟି ଅନୁସୂଚିତ ଜନଜାତି ବର୍ଗର ଆଦିବାସୀ ଲୋକ ଉପକୃତ ହେବେ ।
ଏହା ମଧ୍ୟ ପଢନ୍ତୁ .... ଓଡିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରଥମ ପ୍ରତିଷ୍ଠା ଦିବସ ପାଳନ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ଭବନ ନିର୍ମାଣ କରାଯାଉଛି । ଆଦିବାସୀ କଳା, ସଂସ୍କୃତି ଓ ବିକାଶର ବିଚାରବିମର୍ଶ, ସମ୍ମିଳନୀ ଓ ପ୍ରଦର୍ଶନ ପାଇଁ ଏହା ଏକ ବହୁମୁଖୀ କେନ୍ଦ୍ର ଭାବେ ପରିଗଣିତ ହେବ । ରାଜ୍ୟର ଆଦିବାସୀଙ୍କ ଉଦ୍ଦେଶ୍ୟରେ ଏହି ଭବନ ସମର୍ପିତ ହେବ । ନବୀନ ଓଡ଼ିଶା ସଶକ୍ତ ଓଡ଼ିଶାର ପରିକଳ୍ପନାକୁ ସାକାର ଦିଗରେ ଏହା ସହାୟକ ହେବ । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଆଦିବାସୀ ସମ୍ପ୍ରଦାୟର ସଦସ୍ୟଙ୍କ ପାଇଁ ସୁବିଧାରେ ରହିବାର ବ୍ୟବସ୍ଥା କରିବ ଏହି ଆଦିବାସୀ ଭବନ । ଏଥି ସହିତ ଅନୁସୂଚିତ ଜନଜାତି ସମୁଦାୟ ପ୍ରାୟତଃ ଭିନ୍ନ ଭିନ୍ନ ସାଂସ୍କୃତିକ ପ୍ରଥା, ଖାଦ୍ୟ ପସନ୍ଦ ଏବଂ ସାମାଜିକ ମାନଦଣ୍ଡ ବଜାୟ ରଖନ୍ତି । ଏହା ସହିତ ସେମାନଙ୍କ ସାଂସ୍କୃତିକ ସମ୍ବେଦନଶୀଳତାକୁ ମଧ୍ୟ ସମ୍ମାନ ଦେବ । ସେମାନଙ୍କ ପାଇଁ ଏକ ଆନନ୍ଦଦାୟକ ରହିବା ସୁବିଧା ମଧ୍ୟ ଉପଲବ୍ଧ କରିବ । ଆଦିବାସୀ ଭବନରେ ରହିବାର ସୁବିଧା ସହ ସମ୍ମିଳନୀ କକ୍ଷ, କୋରାପୁଟ କଫି କାଫେ ଏବଂ ଆଦିଶାର ଦ୍ବିତୀୟ ଆଉଟଲେଟ ମଧ୍ୟ ରହିବ ।
ଏଠାରେ ସ୍ବାସ୍ଥ୍ୟ ସେବା ସୁବିଧା, ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ସୂଚନା ଓ ସହାୟତା ମିଳିପାରିବ । ଆଦିବାସୀମାନଙ୍କ କଳାକୃତି ଏବଂ ପାରମ୍ପରିକ ବସ୍ତ୍ର ଉଭୟ ପ୍ରଦର୍ଶନ ଏବଂ ବିକ୍ରୟ ପାଇଁ ସୁଯୋଗ ରହିବ । କାର୍ଯ୍ୟକ୍ରମରେ ରାଜ୍ୟ ଅନୁସୂଚିତ ଜନଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଉପସ୍ଥିତ ଥିଲେ । ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର କମିଶନର ତଥା ଶାସନ ସଚିବ ରୂପାରୋଶନ ସାହୁ ସ୍ବାଗତ ଭାଷଣ ଦେଇଛନ୍ତି । ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀ ଏବଂ ବିଭାଗୀୟ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅନୁଯାୟୀ, ଏହି ପ୍ରସ୍ତାବିତ ଭବନର ଆବଶ୍ୟକତା ବିଷୟରେ ବିଭିନ୍ନ ଜନଜାତି ଗୋଷ୍ଠୀ ପକ୍ଷରୁ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହା କାର୍ଯ୍ୟକ୍ଷମ ହେଲେ ଆଦିମ ଜନଜାତି ସମେତ ୬୪ଟି ଅନୁସୂଚିତ ଜନଜାତି ବର୍ଗର ଆଦିବାସୀ ଲୋକ ଉପକୃତ ହେବେ ।
ଇଟିଭି ଭାରତ, ଭୁବନେଶ୍ବର