ଭୁବନେଶ୍ବର: ରାଜ୍ୟ ସରକାରଙ୍କ ‘ନୂଆ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ଭୁବନେଶ୍ବରରେ ଆୟୋଜିତ ହୋଇଛି ଦୁଇଦିନିଆ ‘ବିଶ୍ବ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ’ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇଛନ୍ତି । ଏଭଳି ପଦକ୍ଷେପ ରାଜ୍ୟର ଦୀର୍ଘସ୍ଥାୟୀ ବିକାଶ ତଥା ଭବିଷ୍ୟତ ଲାଗି ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧି ଲାଗି ଏକ ମାର୍ଗଦର୍ଶନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଘଟୁଛି । ତେଣୁ ଏହା ସହିତ ତାଳ ଦେଇ ଆମକୁ ଆମର ସାମାଜିକ ଓ ଅର୍ଥନୈତିକ ଧାରାକୁ ସମୃଦ୍ଧ କରିବାକୁ ହେବ । ଭବିଷ୍ୟତ ଲାଗି ଆମ ଯୁବପିଢ଼ିକୁ ପ୍ରସ୍ତୁତ କରିବାକୁ ପଡ଼ିବ । ଏହି ସମ୍ମିଳନୀ ରାଜ୍ୟର ଦ୍ରୁତ ଅଭିବୃଦ୍ଧି, ଭବିଷ୍ୟତ ଲାଗି ଦକ୍ଷ ମାନବ ସମ୍ବଳ ପ୍ରସ୍ତୁତି କରିବାରେ ସହାୟକ ହେବ । ସେହିପରି ଯୁବପିଢ଼ିଙ୍କ ଲାଗି ନୂତନ ଓ ବ୍ୟାପକ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିବା ଦିଗରେ ମଧ୍ୟ ବିଶେଷ ସହାୟକ ହେବ । ରୂପାନ୍ତରଣ ଆମ ପାଇଁ କେବଳ ଏକ ନୂଆ ବାଟ ନୁହେଁ । ଏହା ଏକ ଆବଶ୍ୟକତା । ପ୍ରମୁଖ ଶିଳ୍ପ ନେତୃତ୍ବ ଏବଂ ବିଭିନ୍ନ ଅଂଶୀଦାର ଏକାଠି ହୋଇ ଭବିଷ୍ୟତର ମାନବ ସମ୍ବଳ ଲାଗି ଅପାର ସମ୍ଭାବନା ତଥା ଓଡ଼ିଶା ପାଇଁ ଅସୀମ ସମୃଦ୍ଧି ସୃଷ୍ଟି ଲାଗି ରାସ୍ତା ପ୍ରସ୍ତୁତ କରିବା ଏଭଳି କାର୍ଯ୍ୟକ୍ରମର ଲକ୍ଷ୍ୟ ।
ଅଧିକ ପଢନ୍ତୁ- ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ରୂପାନ୍ତରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ କହିଛନ୍ତି ଯେ, ଆଜି ସ୍କିଲଡ଼ ଇନ ଓଡ଼ିଶା ଏକ ବିଶ୍ବସ୍ତରୀୟ ବ୍ରାଣ୍ଡ ହୋଇଛି । ଓଡ଼ିଶା ଏବେ ଏକ ପ୍ରମୁଖ ଦକ୍ଷତା ବିକାଶ କେନ୍ଦ୍ର ଭାବେ ପରିଗଣିତ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ଶିଖର ସମ୍ମିଳନୀ ଦେଶ ବିଦେଶର ନିଯୁକ୍ତିଦାତା ଏବଂ ନିବେଶକମାନଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତରେ ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗକୁ ବ୍ୟାପକ କରିବା ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବିଭିନ୍ନ ପ୍ରମୁଖ ସଂସ୍ଥା ସହିତ ଏମଓୟୁ ସ୍ବାକ୍ଷର କରାଯାଇଛି ।
ମୁଖ୍ୟମନ୍ତ୍ରୀ ସ୍କିଲଡ଼ ଇନ ଓଡ଼ିଶା ଇଣ୍ଟର୍ଣ୍ଣସିପ ଏବଂ ନାନୋ ୟୁନିକର୍ଣ୍ଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ବିଦେଶରେ ଓଡ଼ିଶାର ଯୁବପିଢ଼ିଙ୍କ ନିଯୁକ୍ତି ସୁଯୋଗ ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ର ଏବେ ଏକ ରିକ୍ରୁଟମେଣ୍ଟ ଏଜେନ୍ସି ଭାବେ କାମ କରିବ । ଏହି ଅଧିବେଶନରେ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଯୋଗ ଦେଇଥିଲେ । ଆରମ୍ଭରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ସ୍ୱାଗତ ଭାଷଣ ଦେଇଛନ୍ତି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଊଷା ପାଢ଼ୀ ଧନ୍ୟବାଦ ଅର୍ପଣ କରିଛନ୍ତି ।
ଆଜି ପୂର୍ବହ୍ନରୁ ଏହି ଅନ୍ତର୍ଜାତୀୟ ସମ୍ମିଳନୀ ଆରମ୍ଭ ହୋଇଛି । ବିଭିନ୍ନ ଅଧିବେଶନରେ ଓଡ଼ିଶାର ଅଭିବୃଦ୍ଧି, ଶିଳ୍ପ ସମ୍ଭାବନା ଏବଂ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ ଉପରେ ଆଲୋଚନା ହୋଇଛି । ଦେଶବିଦେଶରୁ ଆସିଥିବା ବିଭିନ୍ନ ଶିଳ୍ପ କ୍ଷେତ୍ର, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ନିଯୁକ୍ତି ଓ ମାନବ ସମ୍ବଳ ବିକାଶ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିତ୍ୱ ଏବଂ ବିଶେଷଜ୍ଞ ଯୋଗ ଦେଇଛନ୍ତି । ସେମାନଙ୍କ ସହ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀ, ବିଶେଷକରି ଦକ୍ଷତା ବିକାଶ କ୍ଷେତ୍ର ସହ ଜଡ଼ିତ ପ୍ରଶାସକ ଓ ପ୍ରଶିକ୍ଷକମାନେ ଯୋଡ଼ି ହୋଇଛନ୍ତି ।
ବିଭିନ୍ନ ଅଧିବେଶନରେ ଉନ୍ନୟନ କମିଶନର ଅନୁ ଗର୍ଗ, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର ଏବଂ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ତଥା ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ସିଇଓ ରେଘୁ ଜି ପ୍ରମୁଖ ଯୋଗ ଦେଇଛନ୍ତି । ପ୍ରଥମ ଅଧିବେଶନରେ ଷ୍ଟ୍ରାଟେଜି ଆଣ୍ଡ ଆକ୍ସନ ପ୍ଲାନ ଫର ଡିଜିଟାଲ ସ୍କିଲିଂ ବିଷୟରେ ଏକ ସ୍ବତନ୍ତ୍ର ପୁସ୍ତିକା ଉନ୍ମୋଚନ କରାଯାଇଛି । ସେହିପରି ସ୍କିଲଡ଼ ଇନ ଓଡ଼ିଶା କାର୍ଯ୍ୟକ୍ରମର ସଫଳତାକୁ ନେଇ ଭିଡିଓ ପ୍ରଦର୍ଶନ କରାଯାଇଛି । ଏହି କାର୍ଯ୍ୟକ୍ରମ ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ ।
ଇଟିଭି ଭାରତ, ଭୁବନେଶ୍ବର