ଭଦ୍ରକ: ଓଡିଶାର ଅଦ୍ୱିତୀୟ ସୂର୍ଯ୍ୟ ଉପାସନ କ୍ଷେତ୍ର ଭାବେ ପରିଚିତ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ପ୍ରାଚୀନ ଅର୍କକ୍ଷେତ୍ର । ପୌରାଣିକ ତଥା ଐତିହାସିକ କିମ୍ବଦନ୍ତୀର ବାର୍ତ୍ତା ବହନ କରୁଥିବା ପ୍ରସିଦ୍ଧ ବିରଞ୍ଚିନାରାୟଣ ପୀଠରେ ଚୂଳଚଢା ପର୍ବ ପାଳିତ ହୋଇଯାଇଛି । ପ୍ରଭୁଙ୍କ ବଡ ସିଂହାର ବେଶ କରାଯିବା ପରେ ମନୋହର ଭୋଗ ଲାଗିଛି । ଏହି ପର୍ବକୁ ଦେଖିବା ପାଇଁ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।
ପୂରାଣ ଅନୁସାରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ବହୁ ପୁରାତନ ପ୍ରସିଦ୍ଧ ବିରଞ୍ଚିନାରାୟଣ ପୀଠରେ ବର୍ଷରେ କେବଳ ଚୂଳଚଢା ପର୍ବ ଦିନ ମନ୍ଦିରର ଉତ୍ତର ଦ୍ୱାର ଖୋଲାଯାଇଥାଏ । କୁଷ୍ଠ ରୋଗୀମାନେ ମାନସିକ ଉପଚାର ପାଇଁ ଏହି ଦ୍ୱାରରେ ଅଧିଆ ପଡିଥାନ୍ତି ଏବଂ ଠାକୁରଙ୍କୁ ଦର୍ଶନ କରି ରୋଗ ମୁକ୍ତ ହୋଇଥାନ୍ତି ବୋଲି ବିଶ୍ବାସ ରହିଛି । କିମ୍ବଦନ୍ତ୍ରୀ ଅନୁଯାୟୀ, ଶ୍ରୀକୃଷ୍ଣଙ୍କ ପୁଅ ଶାମ୍ବ ଶାପଦଶା ମୁକ୍ତ ପାଇଁ ଏଠାରେ ସୂର୍ଯ୍ୟ ଉପାସନ କରିଥିଲେ ଏବଂ ଚୂଳଚଢା ପର୍ବ ପାଳନ ପରେ ଏଠାରୁ ବିଦାୟ ନେଇଥିଲେ । ତେଣୁ ବିଶ୍ବାସ ରହିଛି ବିରଞ୍ଚିନାରାୟଣଙ୍କ ଏହି ଚୂଳଚଢା ଦର୍ଶନ କଲେ ସମସ୍ତ ଚର୍ମ ରୋଗରୁ ମୁକ୍ତି ହୋଇଥାଏ । ଏହି ଅବସରରେ ତୁଳସୀ ପତ୍ର ଏବଂ ଫୁଲରେ ତିଆରି ଫୁଲ ଛତା ଅର୍ପଣ କରାଯାଇଥାଏ । ପ୍ରାଚୀନ କାଳରୁ ଏହି ଅର୍କକ୍ଷେତ୍ରରେ ସୌର ଚାଳନା ଅନୁଯାୟୀ ପର୍ବ ପର୍ବାଣୀମାନ ପାଳନ କରାଯାଇଥାଏ । ଏଠାରେ ଚର୍ତୁମୁଖୀ ବ୍ରହ୍ମା ପୂଜା ପାଆନ୍ତି, ଯାହା ଏସିଆ ମହାଦେଶର ଅଦ୍ୱିତୀୟ ଦର୍ଶନ ସ୍ଥାନ ବୋଲି କୁହାଯାଉଛି ।
ଏହା ମଧ୍ୟ ପଢ଼ନ୍ତୁ....ବିରଞ୍ଚିନାରାୟଣ ପୀଠରେ ଚାଲିଛି ଗୁଣ୍ଡୁଣୀ ମେଳା, ମାନସିକ ପୂରଣ ପାଇଁ ଲାଗୁଛି ଭିଡ
ପ୍ରକାଶ ଥାଉକି, କୋଣାର୍କ ମନ୍ଦିର ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ହୋଇଥିବା ବେଳେ ଏହି ବିରଞ୍ଚିନାରାୟଣ ମନ୍ଦିର ନବମ ଶତାବ୍ଦୀର ବୋଲି ଐତିହାସିକ ତଥା ଗବେଷକଙ୍କ ମତ ରହିଛି । ତେବେ ମନ୍ଦିରର ଚୂଳଚଢା ପର୍ବରେ ପୂଜକଙ୍କ ସମେତ ମାଳି ସେବାୟତ ଏବଂ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ । ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ବିରଞ୍ଚିନାରାୟଣଙ୍କ ବଡ ସିଂହାର ବେଶ ଦର୍ଶନ କରିଥିଲେ । ଏହି ପୀଠର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ପ୍ରକଳ୍ପ ହାତକୁ ନିଆଯାଇଛି । ଗତ କିଛି ମାସ ତଳେ ଏହି ମନ୍ଦିରରେ ବଜ୍ରାଘାତ ହୋଇଥିଲା । ଫଳରେ ଏହି ପ୍ରାଚୀନ ମନ୍ଦିରଟି ବେଶ ପ୍ରଭାବିତ ହୋଇଥିଲା । ତେଣୁ ରାଜ୍ୟ ସଂସ୍କୃତି ବିଭାଗ ସମେତ ମୁଖ୍ୟ ସଚିବଙ୍କୁ ଭେଟି ଏନେଇ ବିହିତ ପଦକ୍ଷେପ ନେବାକୁ ଭଦ୍ରକ ସାଂସଦ ଦାବି କରିଥିଲେ । ପରେ ଏହାର କ୍ଷେତ୍ରୀୟ ଅନୁଧ୍ୟାନ କରାଯାଇ 25 ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିଲା । ଏହାସହ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ପୁଣିଥରେ 25 ଲକ୍ଷ ଟଙ୍କାକୁ ମିଶାଇ ମୋଟ 50 ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିବା ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ଭଦ୍ରକ