ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ଆସନ୍ତାକାଲି ଅର୍ଥାତ ଫେବୃଆରୀ ୧୬ରୁ ଆରମ୍ଭ ହେବାକୁ ଥିବା ବେଳେ ମାର୍ଚ୍ଚ ୨୦ ଯାଏଁ ଚାଲିବ । ଆସନ୍ତାକାଲି(ଶୁକ୍ରବାର) ମାତୃଭାଷା ପରୀକ୍ଷା ଦେବେ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ । ଏହି ସମୟରେ ପରୀକ୍ଷାର ପ୍ରଶ୍ନପତ୍ର ଭାଇରାଲ ନେଇ ଅନେକ ବିଭ୍ରାଟ ଦେଖିବାକୁ ମିଳେ । ତେବେ ପରୀକ୍ଷା ସମୟରେ କିମ୍ବା ପୂର୍ବରୁ ସୋସିଆଲ ମିଡିଆରେ ଏଭଳି ଭାଇରାଲ ପ୍ରଶ୍ନ ପତ୍ରର ଗୁଜବକୁ ବିଶ୍ବାସ ନ କରିବାକୁ ପରାମର୍ଶ ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ ।
ଏ ନେଇ ପରୀକ୍ଷା ନିୟନ୍ତ୍ରକ ଅଶୋକ କହିଛନ୍ତି, " ପ୍ରଶ୍ନପତ୍ର ବିଭ୍ରାଟ ନହେବା ପାଇଁ ପରିଷଦ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି । ଟେଷ୍ଟ ପେପରରୁ କିଛି ପ୍ରଶ୍ନପତ୍ର ବାହାର କରି ଭାଇରାଲ କରୁଛନ୍ତି । ତେବେ ଏହାକୁ ବିଶ୍ବାସ ନ କରିବାକୁ ଅନୁରୋଧ ରହିବ । ଯଦି ଏଭଳି କୌଣସି ସ୍ଥାନରେ ଦେଖିବାକୁ ମିଳିଥାଏ ତେବେ ତୁରନ୍ତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକଙ୍କ ନଜରକୁ ଆଣିଲେ, ତୁରନ୍ତ ଏହାର କ୍ଲାରିଫିକେସନ ଦିଆଯିବ ।"
ଏହା ବି ପଢନ୍ତୁ- ଆସନ୍ତାକାଲିଠୁ ଯୁକ୍ତ ଦୁଇ ପରୀକ୍ଷା, ପରୀକ୍ଷାର୍ଥୀଙ୍କ ପାଇଁ ପରାମର୍ଶ ଦେଲା CHSE
ସୂଚନା ଅନୁଯାୟୀ, ଯୁକ୍ତ ଦୁଇ ପରୀକ୍ଷା ଦେବେ ମୋଟ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷାର୍ଥୀ । ସେଥିରୁ ରେଗୁଲାର ୩ ଲକ୍ଷ ୬୦ ହଜାର ୧୯୮ ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ୨୬ ହଜାର ୫୨ ଜଣ ରହିଛନ୍ତି । ମୋଟ ୧ ଲକ୍ଷ ୮୬ ହଜାର ୮୮୯ ଜଣ ପୁଅ ପରୀକ୍ଷା ଦେଉଥିବା ବେଳେ ଝିଅଙ୍କ ସଂଖ୍ୟା ୧ ଲକ୍ଷ ୯୯ ହଜାର ୩୬୧ ରହିଛନ୍ତି । ମୋଟ କଳାରେ ୨ ଲକ୍ଷ ୩୭ ହଜାର ୭୫୦, ବିଜ୍ଞାନରେ ୧ ଲକ୍ଷ ୧୬ ହଜାର ୬୨୦ , ବାଣିଜ୍ୟରେ ୨୬ ହଜାର ୮୯ ଜଣ ପରୀକ୍ଷା ଦେଉଥିବା ବେଳେ ଧନ୍ଦାମୂଳକରେ ୫ହଜାର ୭୯୧ ଜଣ ଏଥର ପରୀକ୍ଷା ଦେଉଛନ୍ତି । ମୋଟ ୧୯ଟି ସିଟିଂରେ ହେବ ପରୀକ୍ଷା ।
ପ୍ରତ୍ୟେକ ଦିନ ଗୋଟିଏ ବିଷୟରେ ହିଁ ପରୀକ୍ଷା ହେବ । ଏହା ଭିତରେ ମାଟ୍ରିକ ପରୀକ୍ଷା ମଧ୍ୟ ଚାଲିବ ତେଣୁ ସେମାନଙ୍କ ସୂଚୀକୁ ଦେଖି ମାଟ୍ରିକ ପରୀକ୍ଷା ଯେଉଁ ଦିନ ରହିଛି ସେଦିନ ଯୁକ୍ତ ପରୀକ୍ଷା ରଖାଯାଇନାହିଁ । ସମସ୍ତ ପ୍ରସ୍ତୁତି ରହିଛି । ପ୍ରଥମ ୧୦ଟି ବିଷୟ ପରୀକ୍ଷାର ପ୍ରଶ୍ନପତ୍ର ପରୀକ୍ଷା ହବରେ ପହଞ୍ଚିଛି । ତ୍ରିସ୍ତରୀୟ ସ୍କ୍ବାଡ ବ୍ୟବସ୍ଥା ହୋଇଛି । ପ୍ରଶ୍ନପତ୍ର ବିଭ୍ରାଟ ହେବ ନାହିଁ ବୋଲି କହିଛନ୍ତି ପରୀକ୍ଷା ନିୟନ୍ତ୍ରକ । ପରୀକ୍ଷା ଆରମ୍ଭ ୧୦ଟାରେ ହେବ । ୩୦ ମିନିଟ ପୂର୍ବରୁ ସେଣ୍ଟରରେ ପହଞ୍ଚିବେ ଛାତ୍ରଛାତ୍ରୀ । ୧୫ ମିନିଟ ପୂର୍ବରୁ ପରୀକ୍ଷା ହଲରେ ପହଞ୍ଚିବା ପାଇଁ ସୂଚନା ଦିଆଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର