କେନ୍ଦୁଝର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଗସ୍ତର ଦ୍ବିତୀୟ ଦିନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ମେଗା ସ୍ବାସ୍ଥ୍ୟମେଳାର ଉଦଘାଟନ କରିଛନ୍ତି । କେନ୍ଦୁଝର ଜିଲ୍ଲା ସଦର ମହକୁମା ଡାକ୍ତରଖାନା, ଧରଣୀଧର ନାୟକ ମେଡିକାଲ କଲେଜ ଓ ଏସସିବି ମେଡିକାଲ କଲେଜର ମିଳିତ ଆନୁକୂଲ୍ୟରେ ଏହି ମେଳା ଆୟୋଜନ କରାଯାଇଥିଲା । ଏଥିରେ ସ୍ନାୟୁରୋଗ, ହୃଦରୋଗ, ଭେଷଜ, ସର୍ଜରୀ, ୟୁରୋଲୋଜି, ପେଡିଆଟ୍ରିକ୍, ଅର୍ଥୋପେଡିକ ଇତ୍ୟାଦି ରୋଗର ବହୁ ବିଶେଷଜ୍ଞ ଡାକ୍ତରମାନେ ଯୋଗ ଦେଇ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇଛନ୍ତି ।
ଏହି ସ୍ବାସ୍ଥ୍ୟ ମେଳା କାର୍ଯ୍ୟକ୍ରମରେ ଚକ୍ଷୁ ଚିକିତ୍ସା ଶିବିର, ସ୍ବାସ୍ଥ୍ୟସେବା ଶିବିର ଏବଂ ସାମାଜିକ ସଶକ୍ତିକରଣ ଶିବିରର ଆୟୋଜିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ତିନୋଟି ଶିବିରକୁ ଉଦ୍ଘାଟନ କରିଥିଲେ । ଏଥିସହ ଶିବିରରେ ଉପସ୍ଥିତ ଡାକ୍ତର, ରୋଗୀ ଓ ସାଧାରଣ ଲୋକଙ୍କ ସହିତ କଥା ହୋଇଥିଲେ । କେନ୍ଦୁଝର ଜିଲ୍ଲାର ୧୩ଟି ବ୍ଲକ ଓ ୫ଟି ସହରାଞ୍ଚଳର ହଜାର ହଜାର ଜନସାଧାରଣ ଏହି ସ୍ବାସ୍ଥ୍ୟ ଶିବିର ମାଧ୍ୟମରେ ଉପକୃତ ହୋଇପାରିଛନ୍ତି ।
ଏନେଇ ଏଲଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟର ରିଜିଓନାଲ ହେଡ ଆଲୋକ ସ୍ବାଇଁ କହିଛନ୍ତି ଯେ, ଓଏମସି ଏବଂ ଏଲ୍ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଚକ୍ଷୁ ଚିକିତ୍ସା ଶିବିରରେ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ବ ବ୍ୟକ୍ତି ସେମାନଙ୍କ ଚକ୍ଷୁ ପରୀକ୍ଷା କରାଇଛନ୍ତି । ଏହି ପରୀକ୍ଷା ପରେ ଆବଶ୍ୟକତା ଥିବା ବ୍ୟକ୍ତିମାନଙ୍କୁ ମାଗଣାରେ ଚଷମା ଯୋଗାଇ ଦିଆଯାଇଛି । ଜିଲ୍ଲାର ପାଖାପାଖି 4 ହଜାର ରୋଗୀ ଏହିସବୁ ସ୍ବାସ୍ଥ୍ୟ ଶିବିରରୁ ଉପକୃତ ହୋଇଛନ୍ତି ।
କାର୍ଯ୍ୟକ୍ରମ ପରେ ଗଣମାଧ୍ୟମକୁ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ସରକାର ଆସିଲା ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଉଥିବା ସାଧାରଣ ଲୋକଙ୍କଠାରୁ ସେମାନଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଏବଂ ଚିକିତ୍ସା କ୍ଷେତ୍ରରେ ଅବହେଳା ସମ୍ପର୍କରେ ଶୁଣିବା ପରେ ସେମାନଙ୍କ ପାଇଁ କିଛି ନୂତନ ପଦକ୍ଷେପ ନେବାକୁ ଚିନ୍ତା କରିଥିଲି । ସେହି ଅନୁଯାୟୀ ପ୍ରତି ଜିଲ୍ଲା ମୁଖ୍ୟାଳୟରେ କିପରି ସ୍ବାସ୍ଥ୍ୟ ଶିବିରମାନ ଆୟୋଜନ କରାଯିବ ସେନେଇ ପଦକ୍ଷେପ ନିଆଯାଉଛି । ଆମ ସରକାର ଲୋକମାନଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ।
ଏହା ମଧ୍ୟ ପଢନ୍ତୁ: କାହିଁକି ହୁଏ ସ୍ତନ କର୍କଟ ? ଏହାର ଲକ୍ଷଣ ଓ ନିରାକରଣ ବିଷୟରେ କହିଲେ ଡାକ୍ତର - Breast Cancer ଏହା ମଧ୍ୟ ପଢନ୍ତୁ: ବାରମ୍ବାର ଦାନ୍ତବିନ୍ଧା ହେଉଛି କି ? ଏମିତି କରନ୍ତୁ ଉପଚାର - Toothache pain |
ଇଟିଭି ଭାରତ, କେନ୍ଦୁଝର