ବ୍ରହ୍ମପୁର: ସକାଳୁ ସକାଳୁ ଗଞ୍ଜାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଟିକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ଚାଲିଗଲା 2 ସ୍କୁଟି ଆରୋହୀଙ୍କ ଜୀବନ । ଆଜି(ରବିବାର) ଭୋର୍ ସମୟରେ ଗଞ୍ଜାମ ଜିଲ୍ଲାର କୋଟିନଡା ଥାନା ଅନ୍ତର୍ଗତ କଲେଜ ଛକ ଡ଼ିପଲ ସ୍କୁଲ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକମାନେ ହେଲେ ବ୍ରହ୍ମପୁର ସହର ଗୋଷାଣୀନୂଆଗାଁ ଅଞ୍ଚଳର କେ.ରାଜେଶ ଓ କୁନାଲ ସାହୁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ମୁତାବକ, ଆଜି (ରବିବାର) ଭୋର୍ ୫ଟା ସମୟରେ ଦୀପକ ନାମ ଘରୋଇ ବସ୍ ଗଞ୍ଜାମ ଜିଲ୍ଲା ଆସିକାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ଏହି ସମୟରେ କୋଟିନଡା ଥାନା ଅନ୍ତର୍ଗତ କଲେଜ ଛକ ଡ଼ିପଲ ସ୍କୁଲ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ସ୍କୁଟିକୁ ଜୋର୍ରେ ଧକ୍କା ଦେଇଥିଲା । ବସ୍ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ସ୍କୁଟି ଆରୋହୀ ଏବଂ ତାଙ୍କ ସହ ଥିବା ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଆସିକା ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ । କିନ୍ତୁ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ...ସଡ଼କ ଦୁର୍ଘଟଣାରେ ୩ ସ୍କୁଲ ଛାତ୍ର ଗୁରୁତର, ସମସ୍ତଙ୍କ ଅବସ୍ଥା ସଂକଟାପର୍ଣ୍ଣ
ଏହା ମଧ୍ୟ ପ଼ଢ଼ନ୍ତୁ...ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା ସ୍କୁଲ ଭ୍ୟାନ, ୬ ଛାତ୍ରଛାତ୍ରୀ ଆହତ
ସେପଟେ ଖବର ପାଇ କୋଟିନଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ କିଭଳି ଏବଂ କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଲା ତାହାର ପ୍ରକୃତ କାରଣ ଅନୁଧ୍ୟାନ କରାଯାଇଛି । ତେବେ ଦୁର୍ଘଟଣାରେ ଆଖି ବୁଜିଥିଲା 2 ଜଣ ହେଲେ ବ୍ରହ୍ମପୁର ସହର ଗୋଷାଣୀ ନୂଆଗାଁ ଅଞ୍ଚଳର କେ.ରାଜେଶ ଓ କୁନାଲ ସାହୁ । ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଗୋଟିଏ ପଟେ ସଡକ ଦୁର୍ଘଟଣା ରୋକିବା ପାଇଁ ସରକାରଙ୍କଠାରୁ ଆରମ୍ଭ କରି ବିଭିନ୍ନ ସଙ୍ଗଠନ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ଏଭଳି ବାରମ୍ବାର ଦୁର୍ଘଟଣା ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । ଲଗାତାର ଗତ କିଛି ଦିନ ଧରି ରାଜ୍ୟରେ ଗୋଟିଏ ପରେ ଗୋଟିଏ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟଣା ସାମ୍ନାକୁ ଆସୁଛି ।
ଇଟିଭି ଭାରତ, ବ୍ରହ୍ମପୁର