ଭୁବନେଶ୍ବର: କମେଣ୍ଟମରାକୁ କେନ୍ଦ୍ର କରି ଅଶାନ୍ତ ସହିଦନଗର । ଦୁଇ ଦିନ ପୂର୍ବେ ଦୁଇ ଗୋଷ୍ଠୀ ମଧ୍ୟରେ ହଣାହଣି ପରେ ଏବେ ବୋମାମାଡ କରି ଆତଙ୍କ ଖେଳାଇଲେ ଦୁର୍ବୃତ୍ତ । ବୋମାମାଡରେ ୯ ଫୁଟ ଉଚ୍ଚରେ ଉଡ଼ିଲା ବାଇକ, ଭାଙ୍ଗିଲା କାର । ଗତକାଲି(ଶୁକ୍ରବାର) ରାତିରେ ସହିଦନଗର ଓ୍ବିନର ଆସୋସିଏସନ୍ ପାଖରେ ବୋମାମାଡ ହୋଇଥିଲା । ଫଳରେ ସହିଦନଗରରେ ଆତଙ୍କ ଖେଳିଯାଇଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିଶ୍ବରଞ୍ଜନ ବିଶ୍ବାଳ ସହ ତାର ୨ ସହଯୋଗୀଙ୍କୁ ଅକଟ ରଖିଛି ପୋଲିସ । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି । ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବା ନେଇ କମିଶନରେଟ ପୋଲିସ ସୂଚନା ଦେଇଛି ।
ବୋମାମାଡ ହୋଇଥିବା ଓ୍ବିନର୍ସ କ୍ଲବ ପାଖରେ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, 50ରୁ 60 ଜଣ ଯୁବକ ହାତରେ ଖଣ୍ଡା ଭୁଜାଲି ଧରି ଏକାଠି ଆସି କ୍ଲବ ସାମ୍ନାରେ ବାଣ ଫୁଟାଉ ଥିବା କ୍ଲବ ମେମ୍ବରଙ୍କୁ ଗୋଡେଇଲେ। ଏହାପରେ ବୋମାମାଡ କରିଥିଲେ । ଫଳରେ ସେଠାରେ ଥିବା 5ଟି ଗାଡି ନଷ୍ଟ ହୋଇଯାଇଛି । ଏକ ବାଇକ ଉଡି ଉଡି ତଳେ ପଡିଥିଲା । କାର କାଚ ଭାଙ୍ଗି ଯାଇଥିଲା । ବୋମା ମାଡ ପରେ ସ୍ଥାନୀୟ ଲୋକେ ଏଣେତେଣେ ଦୌଡି ପଳାଇଥିଲେ । ସେମାନେ ସବୁ ଗୋଶାଳା ପିଲା । କିଛି ଜଣଙ୍କ ନାମ ମଧ୍ୟ ଜଣାଅଛି ।
ପୋଲିସ ତଦନ୍ତ ଜାରି:
ବୋମାମାଡ ନେଇ ଖବର ପାଇବା ପରେ ଘଟଣାସ୍ଥଳର ସହିଦନଗର ଥାନା ପୋଲିସ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ପୂର୍ବରୁ କମେଣ୍ଟ ମରାକୁ ନେଇ ଏଭଳି ଆତଙ୍କରେ ଘଟାଇଥିବା ବେଳେ ଦୁଇ ଗୋଷ୍ଠୀର ଯୁବକଙ୍କ ମଧ୍ୟରେ ବିବାଦ ରହିଛି । ଦୁଇ ଦିନ ତଳେ ଦୁଇ ଗୋଷ୍ଠୀ ମଧ୍ୟରେ ଆକ୍ରମଣ ଯୋଗୁଁ ଜଣଙ୍କର ମୁଣ୍ଡକୁ ହାଣି ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ-ରାଜଧାନୀରେ ସିରିଜ ବୋମାମାଡ, ଥରିଲା ବାପୁଜୀନଗର-ଶିଶୁଭବନ - bomb blast in Bhubaneswar
ସହିଦନଗରରେ ଗୋଷ୍ଠୀ ରାଜ୍:
ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି, ସହିଦନଗରରେ ଏବେ ଭିନ୍ନ ଭିନ ସ୍ଥାନରେ ଯୁବଗୋଷ୍ଠୀ ଏକାଠି ହୋଇ ବସୁଛନ୍ତି ଓ ଦାଦାଗିରି କରୁଛନ୍ତି । କିଛିଦିନ ତଳେ ସହିଦନଗର ଓ୍ବିନର୍ସ କ୍ଲବ ପିଲାଙ୍କ ସହ ଗୋଶାଳାର କିଛି ଯୁବକଙ୍କ ମଧ୍ୟରେ କଥା କଟାକଟି ପରେ କମେଣ୍ଟ ମରା ଆରମ୍ଭ ହୋଇଥିଲା । ଫଳରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ପରିସ୍ଥିତି ଏମିତି ହେଲା ଯେ ଜଣଙ୍କର ମୁଣ୍ଡରେ ଆଘାତ ଲାଗିଥିଲା । ସେହିକାରଣରୁ ବୋମାମାଡ ହୋଇଛି ।
ଅଧାରୁ ଅଧିକ ଯୁବକଙ୍କ ନାଁରେ ମାମଲା:
ଯୁବ ଗୋଷ୍ଠୀରେ ଏକାଧିକ ଯୁବକଙ୍କ ନାମରେ ଥାନାରେ ମାମଲା ରହିଛି । ନିଜକୁ ପୁରୁଣା ପିଲା କହି ନିଜକୁ ପ୍ରଭାବଶାଳି ଭାବୁଛନ୍ତି । ପ୍ରତି ଗୋଷ୍ଠୀରେ ଜଣେ ମୁଖ୍ୟ ରହୁଛି । ତା ନାଁ ଅନୁସାରେ ଗୋଷ୍ଠୀର ନାମ ରହୁଛି । ରୂପାଲି , ଚାନ୍ଦି ଭଣ୍ଡାର ପାଖ, ଷ୍ଟେସନ ରୋଡ଼ , ହୋଟେଲ ମହାରାଜା ସାମ୍ନା, ଫୁଟ ଓଭରବ୍ରୀଜ , ମହର୍ଷି ରୋଡ ହାଟ ପାଖ, ବ୍ରୀଜ ତଳ ଖଟି, ପାର୍କ ଖଟି ,ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଖଟି , ରମାଦେବୀ କଲେଜ ସାମ୍ନା ଭଳି ବିଭିନ୍ନ ସ୍ଥାନରେ ଏକାଠି ହୋଇ ପ୍ରତିଦିନ ଆତଙ୍କ ଖେଳାନ୍ତି ।
ଇଟିଭି ଭାରତ, ଭୁବନେଶ୍ବର