ଖୋର୍ଦ୍ଧା: ବାଜି ସାରିଛି ନିର୍ବାଚନୀ ବିଗୁଲ । ଏବେ ରାଜ୍ୟରେ ଚାଲିଛି ଟିକଟ ବଣ୍ଟା ପର୍ବ । ତେବେ ନିର୍ବାଚନୀ ତାରିଖ ଯେତିକି ପାଖଉଛି ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ସେତିକି ଛକାପଞ୍ଝା ଆରମ୍ଭ ହୋଇଛି । ପ୍ରମୁଖ ଦଳମାନେ ପର୍ଯ୍ୟାୟ କ୍ରମେ ପ୍ରାର୍ଥା ଘୋଷଣା କରୁଥିବା ବେଳେ ଖୋର୍ଦ୍ଧା ବିଧାନସଭା ଆସନ ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ସେମାନଙ୍କ ଯୋଦ୍ଧାଙ୍କ ନାମ ଘୋଷଣା କରିନାହାନ୍ତି । କିନ୍ତୁ ଖୋର୍ଦ୍ଧାରୁ ବିଜେପି ଟିକଟ ପାଇଁ ଆଶାୟୀ କାଳୁ ଖଣ୍ଡେଇତରାୟ ସୋମବାର ଖୋର୍ଦ୍ଧାରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ।
ଖୋର୍ଦ୍ଧାରେ ଶକ୍ତି ପ୍ରଦର୍ଶନ କରିଛନ୍ତି ବିଜେପି ଟିକଟ ଆଶାୟୀ କାଳୁ ଖଣ୍ଡେଇତରାୟ । କାଳୁ ହଜାର ହଜାର ବିଜେପି ସମର୍ଥକଙ୍କ ସହିତ ଏକ ବିଶାଳ ଶୋଭାଯାତ୍ରାରେ ସ୍ଥାନୀୟ ମକୁନ୍ଦପ୍ରସାଦରୁ ବାହାରି ଖୋର୍ଦ୍ଧା ସହର ପରିକ୍ରମା କରିଛନ୍ତି । ଦଳ କାଳୁଙ୍କୁ ଟିକଟ ଦେଲେ ବିଜେପି ଖୋର୍ଦ୍ଧାରେ ବହୁମତ ପାଇବା ସହିତ ବିଜୟ ହେବ ବୋଲି ସମର୍ଥକମାନେ ଦାବି କରିଛନ୍ତି । ସେହିପରି ଏହି ଶୋଭାଯାତ୍ରାରେ ଜିଲ୍ଲା ବିଜେପି ସଭାପତିଙ୍କ ସହିତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ହଜାର ହଜାର ବିଜେପି କର୍ମୀଙ୍କ ଶୋଭାଯାତ୍ରା ପାଇଁ ସହରରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା । ତେବେ ବଡ଼କଥା ହେଲା ଏହି କାର୍ଯ୍ୟକ୍ରମରେ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଉପସ୍ଥିତ ନଥିଲେ । ଯାହାକୁ ନେଇ ବିଜେପି କର୍ମୀ ଓ ଅପରାଜିତାଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ସ୍ପଷ୍ଟ ବାରିହୋଇ ପଡୁଥିଲା ।
ସେପଟେ କାଳୁ ଗତଥର ବିଜେପିରୁ ବିଧାୟକ ପ୍ରାର୍ଥୀ ହୋଇ ୭୫ ହଜାରରୁ ଊର୍ଦ୍ଧ୍ବ ଭୋଟ ପାଇଥିବା ବେଳେ ତାଙ୍କୁ ଚଳିତ ଥର ପ୍ରାର୍ଥୀ ନକରିବା ପାଇଁ ସାଂସଦ କୁଆଡେ ଭିତିରି ଷଡଯନ୍ତ୍ର କରିଥିବା ଚର୍ଚ୍ଚା ହେଉଛି । ଚର୍ଚ୍ଚା ହେଉଛି ଯେ, ସାଂସଦ ପ୍ରାର୍ଥିନୀ ଅପରାଜିତା, ଚିଲିକା ବିଧାୟକଙ୍କୁ ଦଳରେ ସାମିଲ କରି ଖୋର୍ଦ୍ଧାରୁ ପ୍ରାର୍ଥୀ କରିବା ପାଇଁ ଯୋଜନା କରୁଛନ୍ତି । ଯାହାକୁ ତୀବ୍ର ବିରୋଧ କରି କାଳୁ ଏବଂ ତାଙ୍କ ସମର୍ଥକ ଏଭଳି ବିଶାଳ ଶକ୍ତି ପ୍ରଦର୍ଶନ କରଥିବା ଆଲୋଚନା ହେଉଛି । ସେହିପରି ଏହି ବିଶାଳ ଜନସମ୍ପର୍କ ପଦଯାତ୍ରା ମଧ୍ୟାମରେ ବିଜେପିକୁ ତୃଣମୂଳ ସ୍ତରରୁ ଅଧିକ ମଜଭୁତ କରାଯାଉଥିବା କହିଛନ୍ତି କାଳୁ ।
ଇଟିଭି ଭାରତ, ଖୋର୍ଦ୍ଧା