କଟକ: ଚଳିତ ନିର୍ବାଚନରେ ରାଜ୍ୟରେ ବିଜେଡି ଭଲ ପ୍ରଦର୍ଶନ କରିବ । ୧୪୭ଟି ବିଧାନସଭା ଆସନ ମଧ୍ୟରୁ ୧୧୫ ଟି ବିଜେଡି ସପକ୍ଷରେ ଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ସେହିପରି ୨୧ ଟି ଲୋକସଭା ସିଟ ମଧ୍ୟରୁ ବିଜେଡି ସପକ୍ଷରେ ୧୧ ରୁ ୧୨ ଟି ସିଟ ଆସିବ । ବିଜେପି ଏବଂ ବିଜେଡି ମଧ୍ୟରେ କଡା ସଂଘର୍ଷ ହେବ, ତଥାପି ମଧ୍ୟ ବିଜେଡିକୁ ଆଶା ଠାରୁ ଭଲ ସଫଳତା ମିଳିବ ବୋଲି ଆଶା ପ୍ରକଟ କରିଛନ୍ତି ଦେବାଶିଷ।ସେହିପରି ବାରବାଟୀରେ ତ୍ରିମୁଖୀ ଲଢେଇ ହେବ। ବିଜେଡି, ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡା ଟକ୍କର ହୋଇଛି। ବିଜେଡି ଆଗୁଆ ରହିଥିବା ସେ କହିଛନ୍ତି।
ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧ ତାରିଖ ରେ ହେବାକୁ ଯାଉଛି । ବିଭିନ୍ନ ରାଜନୈତିକ ଦଳ ମାନେ ନିଜ ସପକ୍ଷରେ ମତଦାନ ପାଇଁ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି।ମାତ୍ର ତୃତୀୟ ପର୍ଯ୍ୟାୟ ନିର୍ବାଚନ ସୁଦ୍ଧା ବିଜେଡି ଭଲ ପ୍ରଦର୍ଶନ କରିବା ନେଇ ବିଜେଡି ନେତାଏ କହୁଛନ୍ତି । ସେହିପରି ବିଜେପି ନେତା ମାନେ ମଧ୍ୟ ଏଥର ରାଜ୍ୟରେ ଭଲ ହେବା ନେଇ ଆକଳନ କରୁଛନ୍ତି । ଜୁନ ୪ ତାରିଖ ପରେ ସ୍ପଷ୍ଟ ଚିତ୍ର ଆସିଯିବ । ରାଜ୍ୟରେ କିଏ ମାରୁଛି ବାଜି, କାହା ଖାତାକୁ ଯାଉଛି କେତେ ଆସନ, କାହାକୁ ଭରସା କରିଛନ୍ତି ଜନତା ଓ ରାଜ୍ୟରେ ସରକାର ପରିବର୍ତ୍ତନ ହେଉଛି ନା ଷଷ୍ଠ ଥର ପାଇଁ ବିଜେଡି ସରକାର ଗଠନ କରୁଛି ତା ଉପରେ ସମସ୍ତଙ୍କ ନଜର ।
ରାଜ୍ୟର ତୃତୀୟ ପର୍ଯ୍ୟାୟ ନର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଯାଇଥିବା କିଛିଦିନ ତଳେ ଦୃଢୋକ୍ତି ପ୍ରକାଶ କରିଥିଲେ ବିଜେପି ନେତା କେଭି ସିଂହଦେଓ । ସେ କହିଥିଲେ, "ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଓଡ଼ିଶାର ସାଧାରଣ ନାଗରିକ ସରକାର ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନେଇଥିବା ଜନମତରୁ ସ୍ପଷ୍ଟ ଜଣାପଡୁଛି । ଜୁନ ୧୦ରେ ବିଜେପି ସରକାର ହେଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଆ ପୁଅ କିମ୍ବା ଝିଅ ହେବେ, ଏଥିରେ କୌଣସି ଦ୍ବିମତ ନାହିଁ । ନୂତନ ଭୋଟର, ଯୁବପିଢ଼ି ତଥା ମାତୃଶକ୍ତି ଉତ୍ସାହର ସହ ମତଦାନ ସାବ୍ୟସ୍ତ କରିଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି, ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହୋଇଥିବା ୬ଟି ଲୋକସଭା ସମ୍ପୂର୍ଣ୍ଣ ରୂପେ ବିଜେପି ଜିତୁଛି ।"
ଇଟିଭି ଭାରତ, କଟକ