ପୁରୀ: ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରୁ ଉମାକାନ୍ତ ସାମନ୍ତରାୟଙ୍କୁ ପ୍ରାର୍ଥୀ କରି ନିର୍ବାଚନ ମୈଦାନକୁ ଓହ୍ଲାଇଛି ବିଜେଡି । ସେପଟେ ବିଜେପି ଓ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ନିର୍ବାଚନ ପାଇଁ ପ୍ରଚାରରେ ଆଗରେ ରହିଛନ୍ତି ଉମାକାନ୍ତ । ଏବେଠାରୁ ଉମାକାନ୍ତ ନିର୍ବାଚନ ପାଇଁ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ଏହି କ୍ରମରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ପୁରୀ ସଦର ବ୍ଲକର 11ଟି ପଞ୍ଚାୟତରେ ନିଜ ଶକ୍ତି ପଦର୍ଶନ କରିଛନ୍ତି ଉମା ।
ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଚାର ଆରମ୍ଭ କଲେଣି ନେତା । ଏଥିରେ ଆଗରେ ଅଛନ୍ତି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିରୁ ପ୍ରାର୍ଥୀ ହୋଇଥିବା ଉମାକାନ୍ତ ସାମନ୍ତରାୟ । ଆଜି ନିର୍ବାଚନ ମଣ୍ଡଳୀରେ ଯାଉଥିବା ପୁରୀ ସଦର ବ୍ଲକର 11 ଟି ପଞ୍ଚାୟତରେ ଉମାକାନ୍ତ ସାମନ୍ତରାୟ ଜୋରଦାର ପ୍ରଚାର କରିଛନ୍ତି । ଚନ୍ଦନପୁର ନିକଟ ବୀରନରସିଂପୁର ଠାରୁ ସିରୁଳି ମହାବୀର ମନ୍ଦିରରେ ଏକ ବିରାଟ ବାଇକ୍ ରାଲି କରିଛନ୍ତି ଉମାକାନ୍ତ ସାମନ୍ତରାୟ । ଏଥିରେ ଏକ ହଜାରରୁ ଅଧିକ ବିଜେଡି କର୍ମୀ ସାମିଲ ହେଇଥିଲେ । ବାଇକ୍ ରାଲି ପୁର୍ବରୁ ଉମାକାନ୍ତ ସାମନ୍ତରାୟଙ୍କୁ ବିଜେଡି କର୍ମୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିବା ପରେ ପରେ ବାଇକ୍ ରାଲି ଅନୁଷ୍ଠିତ ହେଇଥିଲା । ପ୍ରତ୍ୟେକ ପଞ୍ଚାୟତରେ ମହିଳାମାନେ ସ୍ଵାଗତ କରିବା ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସିରୁଳି ମହାବୀର ମନ୍ଦିର ନିକଟରେ ବାଇକ୍ ରାଲି ଶେଷ ପରେ ବିଜେଡି ପ୍ରାର୍ଥୀ ଉମାକାନ୍ତ ମନ୍ଦିର ଯାଇ ଠାକୁର ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ।
ତେବେ ନିର୍ବାଚନ କ୍ୟାମ୍ପେନକୁ ନେଇ ଉମାକାନ୍ତ ସାମନ୍ତରାୟ କହିଛନ୍ତି, "ବାଇକ ରାଲିରେ ଏକ ହଜାରରୁ ଅଧିକ ଲୋକ ସାମିଲ ହେବା ପ୍ରମାଣିତ ହୋଇଛି ଯେ, ବ୍ରହ୍ମଗିରିବାସୀ ତାଙ୍କୁ ବହୁତ୍ ଭଲ ପାଆନ୍ତି । ଆଗାମୀ ନିର୍ବାଚନରେ ମୁଁ ବିପୁଳ ପରିମାଣରେ ଭୋଟ ପାଇ ବିଜୟ ହାସଲ କରିବି ।" ସେହିପରି ଗତ 2019 ନିର୍ବାଚନରେ ବ୍ରହ୍ମଗିରିରେ ବିଜେଡି ହାରିଥିବା ବେଳେ ବିଜେପି ଜିତିଥିଲା । ତେବେ 2024 ନିର୍ବାଚନରେ ବିଜେଡ଼ି ବ୍ରହ୍ମଗିରି ଆସନ ଜିତି ପାରିବ କି ପ୍ରଶ୍ନର ଉତ୍ତର ଦେଇ ଉମାକାନ୍ତ ସାମନ୍ତରାୟ କହିଛନ୍ତି, " ମୁଁ କେବେ ପଛଘୁଞ୍ଚା ଦେଇନାହିଁ । ପ୍ରଭୁ ସିରୁଳି ମହାବୀର ଓ ବ୍ରହ୍ମଗିରିବାସୀଙ୍କ ଆଶୀର୍ବାଦରୁ ମୁଁ ବିଜୟ ହାସଲ କରିବି ।
ଏହା ମଧ୍ୟ ପଢ଼ନ୍ତୁ...ସତ୍ୟବାଦୀ ଓ ବ୍ରହ୍ମଗିରି ପାଇଁ ଛିଣ୍ଡିଲା ବିଜେଡ଼ିର ଆସନ ବୁଝାମଣା - Bjd Meeting
ତେବେ ସତ୍ୟବାଦୀରୁ ଆସି ବ୍ରହ୍ମଗିରିରେ ପ୍ରାର୍ଥୀ ହେବା, ଆଉ କମ ସମୟ ନିର୍ବାଚନ ଥିବା ବେଳେ ଏହା ତାଙ୍କ ପାଇଁ କେତେ ସହଜ ହେବ ବୋଲି ପ୍ରଶ୍ନର ଉତ୍ତର ଦେଇ ଉମାକାନ୍ତ ସାମନ୍ତରାୟ କହିଛନ୍ତି, "ଆସନ ପରିବର୍ତ୍ତନ ହେଲେ ମଧ୍ୟ ଏହା କୌଣସି ପ୍ରଭାବ ପଡ଼ିବନି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ, ନିର୍ମଳ ଓ ବିକାଶମୂଳକ ଶାସନ ପାଇଁ ବିଜେଡି ନିଶ୍ଚିତ ଜିତିବ । ନବୀନ ପଟ୍ଟନାୟକ ହେଉଛନ୍ତି ମୋ ନେତା । ସେ ଯାହା ଆଦେଶ ଦେବେ ମୁଁ ପାଳନ କରିବି ।"
ଇଟିଭି ଭାରତ, ପୁରୀ