ପୁରୀ: ମୁଣ୍ଡ ଉପରେ ନିର୍ବାଚନ । ନେତା ଏବେ କର୍ମୀଙ୍କ ସହଯୋଗ କାମନାରେ ଲାଗିଛନ୍ତି । ହୋଲି ଅବସରରେ ନେତାମାନେ କର୍ମୀଙ୍କୁ ନେଇ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରି କର୍ମୀଙ୍କ ଉତ୍ସାହ ବୃଦ୍ଧି କରୁଛନ୍ତି । ତେବେ ପୁରୀରୁ ବିଜେଡିର ଲୋକସଭା ପ୍ରାର୍ଥୀ ହେବାକୁ ଥିବା ଅରୁପ ପଟ୍ଟନାୟକ ମଧ୍ୟ ହୋଲି ଅବସରରେ ପୁରୀରେ କର୍ମୀଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସେ ଦଳୀୟ କର୍ମୀଙ୍କ ସହ ମିଶି ହୋଲି ଖେଳିଥିବା ଦେଖିବାକୁ ମିଳିଛି ।
ଏ ନେଇ ଅରୁପ କହିଛନ୍ତି, "ହୋଲି ଏକ ଭାଇଚାରାର ପର୍ବ । ଏହା ସମସ୍ତଙ୍କୁ ଏକାଠି ରହିବାର ବାର୍ତ୍ତା ଦେଇଥାଏ ।" ତେବେ ହୋଲି ଖେଳ ଅବସରରେ କର୍ମୀ ଓ ନେତାଙ୍କ ସହ ଅରୁପଙ୍କ ପରିଚୟ ମଧ୍ୟ ହୋଇଛି । ଅରୁପ ପୁରୀରେ ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଥିବାରୁ କର୍ମୀ ଓ ନେତାଙ୍କ ମଧ୍ୟରେ ଉତ୍ସାହ ବଢାଇଛନ୍ତି । ପୁରୀ ସହରର ବିଭିନ୍ନ ୱାର୍ଡର ନେତା ଓ କର୍ମୀଙ୍କୁ ରଙ୍ଗ ଲଗାଇ, ଖାଦ୍ୟ ପାନୀୟରେ ଆପ୍ୟାୟିତ କରି ହୋଲି ଉତ୍ସବ ପାଳନ କରିଛନ୍ତି । ତେବେ ମହାପ୍ରଭୁ ତାଙ୍କୁ ଜଗନ୍ନାଥ ଧାମକୁ ଡକାଇଛନ୍ତି । ତାଙ୍କ ହାତରେ ବୋଧେ ପ୍ରଭୁ କିଛି ସେବା କାର୍ଯ୍ୟ ରଖିଥିବେ । ତେବେ ସେ କେବଳ ଗୁରୁଜନଙ୍କଠାରୁ ଆଶୀର୍ବାଦ ଓ ଛୋଟଙ୍କ ଠାରୁ ସ୍ନେହ ଚାହୁଁଥିବା କହିଛନ୍ତି । ତେବେ ସେବା ହିଁ ତାଙ୍କର ମୂଳ ଲକ୍ଷ୍ୟ ବୋଲି ଅରୁପ ପଟ୍ଟନାୟକ କହିଛନ୍ତି ।
ଏହା ବି ପଢନ୍ତୁ- ଇସ୍ପାତ ନଗରୀରେ ହୋଲି ପାଳନ: ଉଡିଲା ଫଗୁ, ନାଚଗୀତରେ ଝୁମିଲେ ରାଉରକେଲାବାସୀ
ସେପଟେ ଏହି ହୋଲି ଖେଳରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ସାମିଲ ହୋଇଥିଲେ । ମହାପ୍ରଭୁ ଶ୍ରଜଗନ୍ନାଥ ସବୁ ଲୋକଙ୍କ ଭିତରେ ରଙ୍ଗର ପର୍ବ ହୋଲି ଭଳି ରଙ୍ଗୀନ କରିଦିଅନ୍ତୁ ବୋଲି ସେ ପ୍ରାର୍ଥନା କରିଥିବା କହିଛନ୍ତି । ତେବେ ଆଗାମୀ ନିର୍ବାଚନରେ ବିଜେଡି ପୁରୀ ସହିତ ରାଜ୍ୟରେ ମଧ୍ୟ ବିପୁଳ ସମର୍ଥନ ସହ ଜିତିବ । ମୁଖ୍ୟମନ୍ତ୍ରୀ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ପୁରୀ ବିଜେଡ଼ିର ପ୍ରାର୍ଥୀ ହେବାକୁ ଥିବା ସୁନିଲ ମହାନ୍ତି କହିଛନ୍ତି ଯେ ରଙ୍ଗର ପର୍ବ ହୋଲି ଏକ ଉତ୍ସବର ଦିବସ । ତେବେ ତାଙ୍କ ବାପା ମହେଶ୍ବର ମହାନ୍ତିଙ୍କ ଦେହାନ୍ତ 1 ବର୍ଷ ହୋଇ ନ ଥିବାରୁ ସେ ହୋଲି ଖେଳୁ ନ ଥିବା କହିଛନ୍ତି ।
ସେ ନିଜେ ଖେଳୁ ନଥିଲେ ମଧ୍ୟ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ତେବେ ପୁରୀ ବାସିନ୍ଦା ଆଗାମୀ ଦିନରେ ତାଙ୍କୁ ସମର୍ଥନ ଦେବେ ବୋଲି ସେ ଆଶା ରଖିଥିବା କହିଛନ୍ତି । ଅନ୍ୟପଟେ ପୁରୀ ସହରର ବରିଷ୍ଠ ବିଜେଡି ନେତା କହିଛନ୍ତି ଯେ ପୁରୀରେ ବିଜେଡିର ସଂଗଠନ ବେଶ ସୁଦୃଢ଼ ରହିଛି । ଚଳିତ ନିର୍ବାଚନରେ ବିଜେଡି ପୁରୀ ସଂସଦୀୟ କ୍ଷେତ୍ରରେ ବିପୁଳ ବିଜୟ ହାସଲ କରିବ ବୋଲି ବରିଷ୍ଠ ବିଜେଡି ନେତା ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ପୁରୀ