ଭୁବନେଶ୍ବର: ରାଜ୍ୟରେ ମନୁଷ୍ୟକୁ ବାର୍ଡ ଫ୍ଲୁ ସଂକ୍ରମଣ ଭୟ । ଏନେଇ ସ୍ପଷ୍ଟୀକରଣ ରଖିଲେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଗତକାଲି ମନୁଷ୍ୟକୁ ବାର୍ଡ ଫ୍ଲୁ ହୋଇଥିବା ମନ୍ତ୍ରୀ ଏକ ଗଣମାଧ୍ୟମକୁ କହିଥିବା ବେଳେ ଆଜି ନିଜ ଛେପ ଢୋକିଛନ୍ତି । ସେ କହିଛନ୍ତି 'ରାଜ୍ୟରେ ମନୁଷ୍ୟକୁ ବାର୍ଡଫ୍ଲୁ ହୋଇ ନାହିଁ । ଯେଉଁ ନମୁନା ପରୀକ୍ଷା ପାଇଁ ଯାଇଥିଲା ତାହା ନେଗେଟିଭ ଆସିଛି ।' ତେଣୁ ବାର୍ଡ ଫ୍ଲୁକୁ ନେଇ ଆତଙ୍କିତ ନ ହେବାକୁ ପରାମର୍ଶ ଦେଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । ମଙ୍ଗଳବାର ପୁରୀ ଜିଲ୍ଲା ମଙ୍ଗଳପୁର CHCରେ ଚିକିତ୍ସାଧୀନ ଜଣେ ଅସୁସ୍ଥଙ୍କୁ ଜ୍ୱର ହେବାରୁ ତାଙ୍କ ରକ୍ତ ନମୁନା ଟେଷ୍ଟ ପାଇଁ ପଠାଯାଇଥିଲା । ଯାହା ନେଗେଟିଭ ଆସିଛି ।
ମଣିଷକୁ ସଂକ୍ରମଣ ହୋଇନାହିଁ ବାର୍ଡ ଫ୍ଲୁ:
ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ''ଓଡ଼ିଶାରେ ବାର୍ଡ ଫ୍ଲୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ମଣିଷକୁ ସଂକ୍ରମଣ ହୋଇନାହିଁ ବାର୍ଡ ଫ୍ଲୁ। ଯେଉଁ ନମୁନା ପରୀକ୍ଷା ପାଇଁ ଯାଇଥିଲା ନେଗେଟିଭ ଆସିଛି । ନିରାକରଣ ଦୃଷ୍ଟିରୁ ତାଙ୍କୁ ଆଇସୋଲେସନରେ ରଖାଯାଇଛି । ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ ସମ୍ପୂର୍ଣ ସଜାଗ ରହିଛି । ସଚେତନତା କାର୍ଯ୍ୟକ୍ରମ ବ୍ୟାପକ କରାଯାଇଛି। ବାର୍ଡ ଫ୍ଲୁ କୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ । ''
ଗତକାଲି ମନୁଷ୍ୟକୁ ବାର୍ଡ ଫ୍ଲୁ ହୋଇଥିବା କହିଥିଲେ ମନ୍ତ୍ରୀ:
ଗତକାଲି ଏକ ଜାତୀୟ ସମ୍ବାଦ ସରବରାହ ସଂସ୍ଥାକୁ ପ୍ରତିକ୍ରିୟା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ ମଣିଷକୁ ବାର୍ଡ ଫ୍ଲୁ ସଂକ୍ରମଣ ହୋଇଛି। ଯାହା ସାରା ରାଜ୍ୟରେ ଚର୍ଚ୍ଚା ର ଶିରୋନାମା ପାଲଟିଥିଲା। ଆଜି ଏହି ଚର୍ଚ୍ଚାର ସ୍ପଷ୍ଟୀକରଣ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।
ବେକାକୁ ବାର୍ଡ ଫ୍ଲୁ:
ଵେକାବୁ ହେଲାଣି ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ । ସଂକ୍ରମଣ ନିୟନ୍ତ୍ରଣ କରିବାକୁ ଲାଗିପଡ଼ିଛି ସ୍ଵାସ୍ଥ୍ୟ ବିଭାଗ ସମେତ ପ୍ରାଣୀ ସମ୍ପଦ ବିଭାଗ । ପିପିଲି ସତ୍ୟବାଦୀ ପରେ ଏବେ ନିମାପଡ଼ା ଓ ଡେଲାଙ୍ଗରୁ ଯାଇଛି କୁକୁଡ଼ାଙ୍କ ନମୁନା । ଯାହା କୁକୁଡ଼ା ଚାଷୀଙ୍କ ଚିନ୍ତା ବଢ଼ାଇଛି । ଏପଟେ ଦୁଇଟି ଆର୍ ଆର୍ ଟି ଟିମ ର ସଦସ୍ୟଙ୍କ ନମୁନା ଯାଇଥିବା ବେଳେ ଏହାର ରିପୋର୍ଟ ନେଗେଟିଭ ଆସିଛି । ଏପଟେ ଯଦି କାହାର ଜ୍ଵର କାଶ ଭଳି ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର ।
ସନ୍ଦେହ ବ୍ୟକ୍ତିଙ୍କ ନେଗେଟିଭ ରିପୋର୍ଟ:
ବାର୍ଡ ଫ୍ଲୁକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି ଯେ, "ବାର୍ଡ ଫ୍ଲୁ ନେଇ ଜଣଙ୍କ ଦେହରେ ସନ୍ଦେହ ଥିଲା । ଏହା ନେଗେଟିଭ ଆସିଛି ଓ ସେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। କୁକୁଡ଼ା ମଡ଼କର ଖବର ମିଳୁଥିବା ବିଭିନ୍ନ ସ୍ଥାନରେ ରାପିଡ ରେସପନ୍ସ ଟିମ ଘରକୁ ଘର ବୁଲି ସର୍ଭେ କରୁଛନ୍ତି । ଦୁଇଟି ଟିମରୁ ଚାରୋଟି ଟିମ କରାଯାଇଛି । ଏହି ଟିମ ପ୍ରିଭେଣ୍ଟିଭ ମେଡିକେସନ ଆବଶ୍ୟକ ପଡିଲେ ଦିଆଯାଉଛି" ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ।
ପିପିଲି ଓ ସତ୍ୟବାଦୀ ପରେ ନିମାପଡ଼ା, ଡେଲାଙ୍ଗ :
ଜନସ୍ୱାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି , "ପିପିଲି ଓ ସତ୍ୟବାଦୀ ପରେ ଏବେ ନିମାପଡା, ଡେଲାଙ୍ଗରୁ କୁକୁଡ଼ାଙ୍କ ରକ୍ତ ନମୁନା ଯାଇଛି । ଉପରିସ୍ଥ ଅଧିକାରୀ ସଜାଗ ରହିଛନ୍ତି । ଯେଉଁଠି କୁକୁଡ଼ା ମରିଛନ୍ତି ସେଠି ସର୍ଭେ ଚାଲିଛି । ପୁରୀ ଜିଲ୍ଲାରେ ସମସ୍ତ ମେଡିକାଲକୁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି । ପ୍ରଭାବିତ ଅଞ୍ଚଳରେ ଯେଉଁମାନେ କୁକୁଡ଼ା ସଂସ୍ପର୍ଶରେ ଆସୁଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କୁହାଯାଇଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର ।
ବର୍ତ୍ତମାନ ସୁଦ୍ଧା ମରାଗଲାଣି 30 ହଜାର କୁକୁଡ଼ା:
ବାର୍ଡ ଫ୍ଲୁ ଭୟ ଭିତରେ ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୩୦ ହଜାର କୁକୁଡା ମରାଯାଇଛି । ସତ୍ୟବାଦୀ ଓ ପିପିଲି ଅଞ୍ଚଳରୁ ଯାଇଥିବା ନମୁନାରୁ ପଜେଟିଭ ଆସିଛି । କୁକୁଡ଼ା ମାରିବା ପାଇଁ ୨୧ ଟିମ ଓ ସାନିଟାଇଜ ପାଇଁ ୧୦ଟି ଟିମ ଲାଗିଛି । ଚାଷୀଙ୍କୁ କ୍ଷତିପୂରଣ ବାବଦରେ ସରକାର ନିଷ୍ପତ୍ତି ନେଇଛନ୍ତି । ଛୋଟ କୁକୁଡ଼ାକୁ ୨୦ ଟଙ୍କା ଓ ବଡ କୁକୁଡ଼ା ପାଇଁ ୭୦ଟଙ୍କା ଦେବାକୁ ବ୍ୟବସ୍ଥା ହୋଇଛି । ବର୍ତ୍ତମାନ୍ ସୁଦ୍ଧା ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି । ଅଣ୍ଡା ପିଛା ୩ ଟଙ୍କା ଦେବାର ବ୍ୟବସ୍ଥା ରହିଛି । ଅଲଗା ଜିଲ୍ଲାକୁ କିପରି ନ ବ୍ୟାପିବ ବିଭାଗ ସଚେତନ ରହିଛି । ନିମାପଡ଼ା ଓ ଡେଲାଙ୍ଗରୁ ନମୁନା ପଠାଯାଇଛି, ଆସିଲେ ଜଣାପଡ଼ିବ ସେ ଅଞ୍ଚଳରେ ବାର୍ଡ ଫ୍ଲୁ ଅଛି କି ନାହିଁ ।
ଇଟିଭି ଭାରତ, ଭୁବନେଶ୍ବର