ଭଦ୍ରକ: ନିର୍ବାଚନକୁ ନେଇ ସରଗରମ ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀ । ଏହି ଆସନରେ ଚଳିତ ନିର୍ବାଚନରେ ହେବ ଜୋରଦାର ଫାଇଟ । ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ସହ ଟକ୍କର ଦେବାକୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କାର୍ଯ୍ୟକର୍ତ୍ତା ବିକାଶ ଚନ୍ଦ୍ର ସାହୁ । ଗୋ-ଗ୍ରାମ-ଗରିବ ମୁଦ୍ଦା ନେଇ ଚଳିତ ନିର୍ବାଚନ ସେ ଲଢିବେ ବୋଲି କହିଛନ୍ତି । ସାମ୍ବାଦିକ ସମ୍ମିଳନୀ ଜରିଆରେ ବିକାଶ ଚନ୍ଦ୍ର ସାହୁ ପ୍ରାର୍ଥିତ୍ୱ ଏବଂ ମୁଦ୍ଦା ନେଇ ସୂଚନା ଦେଇଛନ୍ତି।
ଚାନ୍ଦବାଲି ବିଧାନସଭା ଆସନରେ ବିଜେପି ପକ୍ଷରୁ ରାଜ୍ୟ ସଭାପତି ମନମୋହନ ସାମଲ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ପକ୍ଷରୁ ରାଜ୍ୟ ଯୁବ ବିଜେଡ଼ି ସଭାପତି ବ୍ୟୋମକେଶ ରାୟ ଓ କଂଗ୍ରେସ ପକ୍ଷରୁ ଦଳର ବରିଷ୍ଠ ନେତା ଅମୀୟ ମହାପାତ୍ର ନିର୍ବାଚନ ଲଢୁଛନ୍ତି। ତିନି ଦଳ ପ୍ରାର୍ଥୀଙ୍କ ସହ ଲଢେଇ କରି ନିର୍ବାଚନ ଫଳାଫଳକୁ ସ୍ବାଧୀନ ପ୍ରାର୍ଥୀ ପ୍ରଭାବିତ କରିବା ଆଶଙ୍କା ରହିଛି । ଚାନ୍ଦବାଲିରେ ଚଳିତ ଥର ଏକ ଦମଦାର ଲଢେଇ ଦେଖିବାକୁ ମିଳିବ ।
ସ୍ୱୟଂ ସେବକ ସଂଘ ପରିବାରର ବିଚାର ଧାରାରେ କାର୍ଯ୍ୟ କରିବା ସହିତ ଲୋକଙ୍କ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା, ଗୋ ବଂଶର ରକ୍ଷା କରିବା ଏବଂ ଗୋ ଚାଷ କରି ଜୀବିକା ନିର୍ବାହ କରିବା ଆଦି ଅନେକ ମୁଦା ନେଇ ସେ ନିର୍ବାଚନ ମଣ୍ଡଳୀର ଭୋଟରଙ୍କ ପାଖକୁ ଯିବେ ବୋଲି କହିଛନ୍ତି ବିକାଶ । ଜଣେ ହିନ୍ଦୁ ବାଦି ସଂଗଠକ ଭାବେ ଦୀର୍ଘ 20 ବର୍ଷ ଧରି ରାଷ୍ଟ୍ରିୟ ସ୍ୱୟଂ ସେବକ ପ୍ରଚାରକ ଦାୟିତ୍ଵ ନେଇ ଭଦ୍ରକ ଜିଲ୍ଲା ତଥା ଆଖପାଖ ଯାଜପୁର ଏବଂ ବାଲେଶ୍ୱର ଜିଲ୍ଲାରେ କାର୍ଯ୍ୟ କରି ଆସୁଛନ୍ତି ସେ। ଏଥିସହ ବଜରଙ୍ଗ ଦଳ ହେଉ ଅଥବା ବିଶ୍ୱ ହିନ୍ଦୁ ପରିଷଦର ଆଦର୍ଶରେ ଅନୁପ୍ରାଣିତ ହୋଇ ସେ କାର୍ଯ୍ୟ ମଧ୍ୟ କରିଛନ୍ତି। ବିଗତ କିଛି ମାସ ହେବ ସାମାଜିକ ସଂଗଠକ ଭାବରେ ଗୋ-ଗ୍ରାମ-ସେବା ତଥା ଗୋ ସୁରକ୍ଷା ଦିଗରେ ପ୍ରଚେଷ୍ଟା ଜାରି ରଖିଛନ୍ତି ବିକାଶ। ତେଣୁ ଆରଏସଏସ, ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦର କର୍ମୀ ମାନଙ୍କ ସହଯୋଗ ସେ ପାଇବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏଥିସହ ସ୍ଥାନୀୟ ଲୋକଙ୍କ ଭଲ ପାଇବା ତାଙ୍କୁ ଏକ ବିକଶିତ ସମାଜ ଗଠନ ଦିଗରେ ସହାୟକ ହେବ ବୋଲି ସେ ବେଶ ଆଶାବାଦୀ ଅଛନ୍ତି ବୋଲି ପ୍ରକାଶ କରିଥିଲେ।
ଇଟିଭି ଭାରତ, ଭଦ୍ରକ