ଭୁବନେଶ୍ବର: ଶେଷ ହେଲା ତିନିଦିନିଆ "ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ" । ନିରଦ ମହାପାତ୍ରଙ୍କ ପ୍ରସିଦ୍ଧ ‘ମାୟା ମିରିଗ’ କାଳଜୟୀ ଚଳଚ୍ଚିତ୍ର ପ୍ରଦର୍ଶନରୁ ଚଳଚିତ୍ର ଉତ୍ସବର ଶୁଭାରମ୍ଭ ହୋଇଥିଲା । ହଜିଯାଇଥିବା ପୁରୁଣା ଓଡ଼ିଆ ଫିଲ୍ମର ପ୍ରଚାର ପ୍ରସାର ସହ ନୂଆ ପିଢିଙ୍କୁ ଏହାର ଅସ୍ତିତ୍ବ ଓ ଇତିହାସ ସମ୍ପର୍କରେ ଜଣେଇବାର ଏହା ଏକ ସୁନ୍ଦର ପ୍ରୟାସ କରିଥିଲେ ଆୟୋଜକ । ସେପଟେ ଏହି ଚଳଚ୍ଚିତ୍ର ମହୋତ୍ସବର ଅନ୍ୟ ଏକ ପ୍ରମୁଖ ଆକର୍ଷଣ ଥିଲା ଅଭିନୟ ଏବଂ ସ୍କ୍ରିନ ପ୍ଲେ ରାଇଟିଂ ଉପରେ ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ମୁକେଶ ଛାବ୍ରା ଓ ଅମିତ ରାଏଙ୍କ ମାଷ୍ଟର କ୍ଲାସ୍ ।
ଆଜି ଶେଷ ଦିନରେ ୫ଟି ଫିଲ୍ମ ଯେପରିକି ଶୂନ୍ୟ ସ୍ୱରୂପ, ମଲା ଜହ୍ନ, ମୋକ୍ଷ, ଶେଷ ଦୃଷ୍ଟି ଓ ଶଲା ବୁଢାର ବଦଲା ଦେଖିଛନ୍ତି ଦର୍ଶକ । ଆଜି ଶେଷ ଦିନରେ ନିର୍ଦ୍ଦେଶକ ଅମିତ ରାଏଙ୍କ ମାଷ୍ଟର କ୍ଲାସ ରହିଥିବା ବେଳେ ଷ୍ଟୋରୀ କିଭଳି ଲେଖାଯିବ, ନିର୍ଦ୍ଦେଶନା କିଭଳି ଦିଆଯାଏ, ସ୍କ୍ରିନ ପ୍ଲେ ରାଇଟିଂ, ଚରିତ୍ର ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଭଳି କ୍ଲାସ ଯେଉଁମାନେ ବମ୍ବେ ଯାଇ କାମ କରିବାକୁ ଚାହୁଁଛନ୍ତି ତାଙ୍କୁ ଏହି ଫେଷ୍ଟିଭାଲ ସୁଯୋଗ ଭେଟିଦେବ ବୋଲି କୁହାଯାଇପାରିବ । ପ୍ରାୟତଃ ୨୦ରୁ ୨୨ବର୍ଷ ପରେ କେବଳ ଓଡ଼ିଆ ଚଳଚ୍ଚିତ୍ରକୁ ନେଇ ଏକ ଫେଷ୍ଟିଭାଲ ଆୟୋଜନ ହେଇଥିଲା । ଦୀର୍ଘ ବର୍ଷର ବ୍ୟବଧାନ ପରେ କେବଳ ଓଡ଼ିଆ ସିନେମାକୁ ନେଇ ଏକ ଚଳଚ୍ଚିତ୍ର ମହୋତ୍ସବ ଆୟୋଜିତ ହେଉଥିବାରୁ ସମସ୍ତଙ୍କ ମନରେ ଖୁସି ଭରିଯାଇଛି । ଶେଷ ଦିନରେ ବିଶିଷ୍ଟ ଲେଖିକା ପ୍ରତିଭା ରାୟ ଯୋଗ ଦେଇ କହିଛନ୍ତି ଯେ, ମୌଳିକ କାହାଣୀ ସହ ସାହିତ୍ୟ ଗଳ୍ପ ଓ ଉପନ୍ୟାସର କାହାଣୀରେ ସୃଷ୍ଟ ସିନେମା ଏକ ସୁନ୍ଦର ସିନେମା ଦେଇଥାଏ । ଏଠି ପ୍ରତିଟି ଚରିତ୍ର ବେଶ ଜୀବିତ ଆଉ କାହାଣୀ ଗୁଡ଼ିକ ବେଶ ରୁଦ୍ଧିମନ୍ତ ହୋଇଥାଏ । ଆଉ ଓଡ଼ିଆ ସିନେମା ଶିଳ୍ପରେ ବର୍ତ୍ତମାନ ସାହିତ୍ୟ ଧାରା ଆଉ ଥରେ ଆରମ୍ଭ ହେବ ଦରକାର ।
ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲରେ ଜାତୀୟ ଏବଂ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ୧୫ଟି ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିବା ବେଳେ ଜୁନ୍ ୭, ୮ ଓ ୯ ତାରିଖ, ୩ ଦିନ ଧରି ଚାଲିଥିଲା ଏହି ଫେଷ୍ଟିଭାଲ । ଏଥିପାଇଁ କୌଣସି ଦେୟ ନଦେଇ ଏହି ପୁରୁଣା ଚଳଚ୍ଚିତ୍ରକୁ ବେଶ ଉତ୍ସାହର ସହ ଦେଖିଛନ୍ତି ଦର୍ଶକ । ସେପଟେ ଏହି ଚଳଚ୍ଚିତ୍ର ମହୋତ୍ସବର ଅନ୍ୟ ଏକ ପ୍ରମୁଖ ଆକର୍ଷଣ ରହିଥିଲା ଅଭିନୟ ଏବଂ ସ୍କ୍ରିନ ପ୍ଲେ ରାଇଟିଂ ଉପରେ ଯଥାକ୍ରମେ ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ମୁକେଶ ଛାବ୍ରା ଓ ଅମିତ ରାଏଙ୍କ ମାଷ୍ଟର କ୍ଲାସ୍ । ଏହି ମାଷ୍ଟର କ୍ଲାସ ଓଡ଼ିଶାର ଯୁବ ଅଭିନେତା ଓ ଚଳଚ୍ଚିତ୍ର ନିର୍ଦ୍ଦେଶକମାନଙ୍କ ପାଇଁ ବିଶେଷ ସହାୟକ ହୋଇଥିଲା । ଆଜି ଅର୍ଥାତ ଶେଷ ଦିନରେ ଅମିତ ରାଏଙ୍କ ମାଷ୍ଟର କ୍ଲାସରେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଯୁବ ଅଭିନେତା ଚଳଚିତ୍ର ନିର୍ଦ୍ଦେଶକ ଆସି ଯୋଗଦେଇଥିଲେ । ଆଉ ଅମିତ ରାଏଙ୍କ ସହ ୧ ଟୁ ୧ କଥା ହୋଇ ନିଜର ମନରେ ଗୋଟେ ଭଲ ଓ ଗୁଣବତା ସିନେମା କିଭଳି ପ୍ରସ୍ତୁତ କରିହେବ ତାର ଦ୍ଵନ୍ଦ୍ବକୁ ଦୂର କରିଥିଲେ । ୮ତାରିଖରେ ଫିଲ୍ମ ନିର୍ମାତା ଛାବ୍ରା ଉପସ୍ଥିତ ରହି ବମ୍ବେ ପାଇଁ କିଭଳି ଜଣେ କଳାକାର ପ୍ରସ୍ତୁତ ହେବେ, ସୁଯୋଗକୁ କିଭଳି ଉପଯୋଗ କରିବା, କାମ କିଭଳି ମିଳିବ ଓ ଅଡ଼ିଶନ୍ ସମ୍ପର୍କିତ ସବୁକିଛି ଉପରେ ଆଲୋଚନା କରିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର