ଭୁବନେଶ୍ବର: ଆରମ୍ଭ ହୋଇଛି ୫୯ତମ ସର୍ବଭାରତୀୟ ପୋଲିସ DG-IG ସମ୍ମିଳନୀ । ଲୋକସେବା ଭବନରେ ଏହି ସମ୍ମିଳନୀକୁ ଉଦଘାଟନ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଏହି ସମ୍ମିଳନୀରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଏନଏସଏ ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଅଛନ୍ତି । ଓଡ଼ିଶାରେ ପ୍ରଥମ ଥର ପାଇଁ ଭୁବନେଶ୍ବରରେ ଆୟୋଜିତ ହୋଇଛି ଏହି ଜାତୀୟସ୍ତରର ସମ୍ମିଳନୀ । ଯେଉଁଠି ସମସ୍ତ ରାଜ୍ୟର ପୋଲିସ ଡିଜିଙ୍କ ସହ ସୁରକ୍ଷା ଓ ତଦନ୍ତକାରୀ ସଂସ୍ଥାର ଡିଜି ଓ ନିର୍ଦ୍ଦେଶକ ମଧ୍ୟ ଯୋଗ ଦେଇଛନ୍ତି ।
DG-IG ସମ୍ମିଳନୀରେ ଦେଶରେ ଆନ୍ତରୀଣ ସୁରକ୍ଷା ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ । କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବ । ଉଦଘାଟିତ ସମାରୋହ ଗୃହମନ୍ତ୍ରୀ ଦ୍ବାରା ଆରମ୍ଭ ହୋଇଥିବା ବେଳେ ଉଦଯାପନୀ ସମାରୋହ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ସମାପନ ହେବ । ଏହି ସମ୍ମିଳନୀରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକରେ ମଧ୍ୟ ବିବେଚିତ ଡିଜିଙ୍କୁ ସମ୍ମାନିତ କରାଯିବ ।
ଏସବୁ ବିଷୟରେ ହେବ ଆଲୋଚନା:
ପ୍ରେସ ଇନଫରମେସନ ବ୍ୟୁରୋ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କାର୍ଯ୍ୟକ୍ରମରେ ପୋଲିସ ସାମ୍ନା କରୁଥିବା ନିତିଦିନିଆ ଚ୍ୟାଲେଞ୍ଜ ଓ ଅପରାଧ ନିୟନ୍ତ୍ରଣ ଦିଗରେ ଜାତୀୟ ସୁରକ୍ଷା ନେଇ ବିଭିନ୍ନ ପ୍ରସଙ୍ଗ ଉପରେ ଏକ ଖୋଲା ଆଲୋଚନା କରାଯିବ । ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ଅଜିତ ଡୋଭାଲଙ୍କ ଉପସ୍ଥିତିରେ ବିଭିନ୍ନ ଆଇଡିଆ, ପରାମର୍ଶ ଓ ଗଠନ ମୂଳକ ପଦକ୍ଷେପ ଉପରେ ମଧ୍ୟ ବିଚାର ବିମର୍ଶ କରାଯିବ । ବିଶେଷ କରି ଜାତୀୟ ନିରାପତ୍ତା ସୁରକ୍ଷା, ଆତଙ୍କବାଦୀ କାର୍ଯ୍ୟକଳାପ ଓ ସେମାନଙ୍କ ଗତିବିଧି ଓ ସକ୍ରିୟ ସଂଗଠନ, ଦେଶ ବିରୋଧୀ ସଂଗଠନ ଓ ସେମାନଙ୍କର କାର୍ଯ୍ୟକଳାପ, ଉପକୂଳ ସୁରକ୍ଷା ଓ ଅନୁପ୍ରବେଶ, ନୂଆ ଆଇନ ବିଏନଏସ ଭଳି ଆଇନ ସମେତ ନାର୍କୋଟିକ୍ସ ତଥା ଡ୍ରଗ୍ସ ଓ ଗଞ୍ଜେଇ ଭଳି ନିଶା କାରବାର ଆଦି ଉପରେ ଆଲୋଚନା ହେବ ।
ନୂଆ ଢଙ୍ଗରେ ହେବ କାର୍ଯ୍ୟକ୍ରମ:
ଯୋଗ ସେସନ୍-ସକାଳ ୬ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହେବ । ଯୋଗ କାର୍ଯ୍ୟକ୍ରମରୁ ଆରମ୍ଭ ହେବ ବୈଠକ । ପରେ ବିଜନେସ ସେସନ୍ ଅର୍ଥାତ୍ ଯାହା ସୁରକ୍ଷା ସମ୍ପର୍କିତ ରହିଛି ସେ ବିଷୟରେ ଆଲୋଚନା ହେବ । ବ୍ରେକ ଆଉଟ୍ ସେସନରେ ଲୋକସେବା ସମ୍ମିଳନୀର ଗୃହରେ ଖାଇବାର କାର୍ଯକ୍ରମ ରହିଛି । କିଛି ସମୟ ପାଇଁ ମଧ୍ୟାନ୍ତର ନେଇ ପୁନଶ୍ଚ କାର୍ଯ୍ୟକ୍ରମରେ ଭାଗ ନେବେ । ଥିମେଟିକ ଡାଇନିଂ ଟେବୁଲ୍ ସେସନ୍ ଜରିଆରେ ସ୍ବତନ୍ତ୍ର ଟପିକ ଯାହା ରହିଛି ସେ ସଂକ୍ରାନ୍ତୀୟ ପ୍ରେଜେଣ୍ଟେସନ ବା ବର୍ତ୍ତମାନର ଯାହା ସ୍ଥିତି ରହିଛି ସେନେଇ ବୈଠକ ହେବ ।
ପ୍ରଥମଥର ପାଇଁ ଭୁବନେଶ୍ବରରେ ସମ୍ମିଳନୀ:
୧୯୫୦ ମସିହାରୁ ଆରମ୍ଭ ହୋଇଥିବା ସର୍ବଭାରତୀୟ ପୋଲିସ ଡିଜି ସମ୍ମିଳନୀ ପୂର୍ବରୁ କେବଳ ଦିଲ୍ଲୀ ଆୟୋଜିତ ହେଉଥିବା ବେଳେ ୨୦୧୪ ମସିହା ପରଠୁ ଏହି ସମ୍ମିଳନୀ ଭିନ୍ନ ଭିନ୍ନ ରାଜ୍ୟରେ ଅନୁଷ୍ଠତ ହେଉଛି । ପୂର୍ବରୁ ଆସାମର ଗୌହାଟି, ଗୁଜୁରାଟର କଚ୍ଛ, ତେଲେଙ୍ଗାନାର ହାଇଦ୍ରାବାଦ, ମଧ୍ୟପ୍ରଦେଶର ଟେକନପୁର, ଗୁଜୁରାଟର ଷ୍ଟାଚୁ ଅଫ ୟୁନିଟ, ମହାରାଷ୍ଟ୍ରର ପୁଣେ, ଉତ୍ତରପ୍ରଦେଶ ଲକ୍ଷ୍ନୌ, ନୂଆଦିଲ୍ଲୀ, ରାଜସ୍ଥାନର ଜୟପୁରରେ ହୋଇସାରିଛି । ଏବେ ପ୍ରଥମଥର ପାଇଁ ଓଡ଼ିଶାରେ ଏହି ସମ୍ମିଳନୀ ଆୟୋଜନ କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ- ଆଜିଠୁ DG-IG ସମ୍ମିଳନୀ: ହାଇଆଲର୍ଟରେ ଭୁବନେଶ୍ବର, ନୋ-ଫ୍ଲାଇଂ ଜୋନ ଘୋଷଣା ଏହା ମଧ୍ୟ ପଢ଼ନ୍ତୁ- ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ତିନିଦିନିଆ ଗସ୍ତରେ ଏକାଧିକ କାର୍ଯ୍ୟକ୍ରମ |
ଭୁବନେଶ୍ବରରେ କଡ଼ା ସୁରକ୍ଷା:
ଏହି ସମ୍ମିଳନୀରେ ପ୍ରାୟ ୯୦ରୁ ଅଧିକ ସର୍ବଭାରତୀୟ ସ୍ତରର ବିଭିନ୍ନ ରାଜ୍ୟର ଓ ବିଭିନ୍ନ କ୍ୟାଡ଼ର ଆଇପିଏସ ଅଫିସର ଯୋଗ ଦେଇଛନ୍ତି । ଏଥିପାଇଁ ସହରରେ ସୁରକ୍ଷା ନେଇ ହାଇ-ଆଲର୍ଟ ଜାରି କରାଯାଇଛି । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱରରେ ବିଭିନ ସ୍ଥାନରେ ନୋ-ଫ୍ଲାଇଂ ଜୋନ ଘୋଷଣା ସହ ସୁରକ୍ଷା ନେଇ ଡଗ ସ୍କ୍ୱାର୍ଡ, ବମ ସ୍କ୍ୱାର୍ଡ ଓ ବନ୍ଧୁକ ଧାରି ପୋଲିସ ସହ ଗୁଇନ୍ଦା, ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ଫୋର୍ସଙ୍କୁ ମୁତୟନ କରାଯାଇଛି । ଦିନ ୧ଟା ପରଠାରୁ ଭୁବନେଶ୍ୱରରେ ବିଏମସି ପକ୍ଷରୁ ସମସ୍ତ ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି । ୧୦୮ ପ୍ଲାଟୁନ ଫୋର୍ସ ମୁତୟନ ସହ ଟ୍ରାଫିକ ଓ ଭିଭିଆଇପିଙ୍କ ଗସ୍ତ ଓ ରହଣି କ୍ଷେତ୍ରରେ ପୋଲିସ ମୁତୟନ କରଯାଇଛି । ଏକପ୍ରକାର କଡ଼ା ସୁରକ୍ଷା ବଳୟରେ ସମ୍ମିଳନୀ ଚାଲିଛି ।
DG-IG ସମ୍ମିଳନୀ ଉଦଘାଟିତ:
ଆଜି ଠାରୁ ଲୋକସେବା ଭବନରେ ୩ ଦିନିଆ ୫୯ ତମ ପୋଲିସ DG-IG ସମ୍ମିଳନୀ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଲୋକସେବା ଭବନରେ ପହଞ୍ଚିଛନ୍ତି । ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ । ଏକ ସ୍ବତନ୍ତ୍ର ବିମାନରେ ଶାହ ଭୁବନେଶ୍ବର ବିମାନ ବନ୍ଦରରେ ଅବତରଣ କରିବା ପରେ କଡ଼ା ସୁରକ୍ଷା ମଧ୍ୟରେ ସିଧା ଲୋକସେବା ଭବନରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ । ସେହିପରି ଡୋଭାଲ ବିମାନ ବନ୍ଦରରୁ ରାଜ୍ୟ ଅତିଥି ଭବନରେ ପହଞ୍ଚିଥିଲେ । କିଛି ସମୟ ସେଠାରେ ରହି ସେ ମଧ୍ୟ ଲୋକସେବା ଭବନରେ ପହଞ୍ଚିଥିଲେ । ଗତକାଲି ରାତି ସୁଦ୍ଧା ପ୍ରାୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୋଲିସ DG-IG ପହଞ୍ଚି ରାଜ୍ୟ ଅତିଥି ଭବନରେ ଅବସ୍ଥାନ କରିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର