ବ୍ରହ୍ମପୁର: ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଠକେଇ ମାମଲାରେ ଆଶ୍ଚର୍ଯ୍ଯଜନକ ଟ୍ୱିଷ୍ଟ । ପ୍ରଦୀପଙ୍କ ଦ୍ବାରା ଠକେଇର ଶିକାର ନୁହେଁ ବରଂ କିଛି ରାଜନେତା ଓ ପ୍ରାଶାସନିକ ଅଧିକାରୀଙ୍କ ଚାପର ବଶବର୍ତ୍ତୀ ହୋଇ ମିଥ୍ୟା କେସ ଦେଇଥିବା ନେଇ କୋର୍ଟରେ ବୟାନ ରଖିଛନ୍ତି ଦୁଇ ଅଭିଯୋଗକାରୀ । ଗତକାଲି (ମଙ୍ଗଳବାର) ଏହି ମାମଲାର ଶୁଣାଣି ବେଳେ ଦୁଇ ଅଭିଯୋଗକାରୀ ବିଚାରପତିଙ୍କ ସମ୍ମୁଖରେ ଏହି ବୟାନ ରଖିଥିବା ପ୍ରଦୀପଙ୍କ ଓକିଲ ଦୀପକ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
- 'ପ୍ରଶାସନିକ ଚାପର ବଶବର୍ତ୍ତୀ ହୋଇ ମିଥ୍ୟା ମାମଲା':
ଟାଟା କମ୍ପାନୀରେ ନିଯୁକ୍ତି କରାଇଦେବା ନାଁରେ ଟଙ୍କା ଠକେଇ ନେଇ ଗୋପାଳପୁରର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ବ୍ରହ୍ମପୁର ସାଂସଦ ଡ.ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ରୁଜୁ ହୋଇଥିବା ମାମଲାର ଶୁଣାଣି ଗତକାଲି (ମଙ୍ଗଳବାର) ବ୍ରହ୍ମପୁର ‘ଜେ.ଏମ୍.ଏଫ୍.ସି’ କୋର୍ଟରେ ହୋଇଥିଲା । ଏହି ଶୁଣାଣି ବେଳେ ବିଚାରପତିଙ୍କ ସାମ୍ନାରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ୨ ଅଭିଯୋଗକାରୀ । ଅଭିଯୋଗକାରୀ ଲକ୍ଷ୍ମୀଧର ନାୟକ ଓ ପ୍ରଭାତ କୁମାର ନାୟକ ନିଜର ବୟାନରେ ଉକ୍ତ ସମୟରେ ପ୍ରଶାସନର ଚାପରେ ପୂର୍ବରୁ ଲେଖାଯାଇଥିବା ଏତଲାରେ ସେମାନେ କେବଳ ସ୍ୱାକ୍ଷର କରିଥିଲେ ବୋଲି କହିଥିବା ପ୍ରଦୀପ ପାଣିଗ୍ରାହୀଙ୍କ ଓକିଲ ଦୀପକ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
- ଥାନାରେ ବସି ଏତଲା ଲେଖିଥିଲେ କିଛି ବରିଷ୍ଠ ଅଧିକାରୀ: ପ୍ରଦୀପଙ୍କ ଓକିଲ
ପ୍ରଦୀପଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି," ଅଭିଯୋଗକାରୀମାନେ ପ୍ରଦୀପ ପାଣିଗ୍ରାହୀଙ୍କୁ କିମ୍ବା କୌଣସି ବ୍ୟକ୍ତିବିଶେଷଙ୍କୁ ଟଙ୍କା ପଇସା ପ୍ରଦାନ କରିଥିବା କିମ୍ୱା କେହି ପ୍ରଦାନ କରିଥିବା ବିଷୟକୁ ଜାଣିନଥିବା କୋର୍ଟରେ ତଥ୍ୟ ରଖିଛନ୍ତି । ସେମାନଙ୍କ ହାତରେ ଏତଲା କରାଯାଇ ଏଭଳି ମାମଲା ରୁଜୁ କରାଯାଇଥିବା ସେମାନେ ନିଜେ କୋର୍ଟରେ ସ୍ୱୀକାର କରିଛନ୍ତି । ରିପୋର୍ଟ (ପ୍ରଦୀପଙ୍କ ବିରୋଧରେ ଏତଲା) ଲେଖା ହେବା ବେଳେ ଜିଲ୍ଲାର କିଛି ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ବରିଷ୍ଠ ରାଜନେତା ଗୋଳନ୍ଥରା ଥାନାରେ ବସି ଉକ୍ତ ରିପୋର୍ଟ ପ୍ରସ୍ତୁତ କରିଥିଲେ ଆଉ ସେଥିରେ କେବଳ ଅଭିଯୋଗକାରୀ ଦସ୍ତଗତ କରିଥିଲେ ।" ପ୍ରଦୀପଙ୍କ ଓକିଲ ଏହା ମଧ୍ୟ କହିଛନ୍ତି, ଏହି ମାମଲାରେ କୌଣସି ସତ୍ୟାସତ୍ୟ ନଥିବା ବେଳେ ପରବର୍ତ୍ତୀ ଅବସ୍ଥାରେ କଣ ହେବ ତାହା ଜଣାପଡିବ ।
ଏହାମଧ୍ୟ ପଢନ୍ତୁ.. କୋର୍ଟରେ ସାଂସଦ ପ୍ରଦୀପ ପାଣିଗ୍ରାହୀ ହାଜର, 4ଟି ମାମଲାରେ ଚାର୍ଜଫ୍ରେମ
କ’ଣ ରହିଥିଲା ମାମଲା:
ଗୋପାଳପୁରର ବିଧାୟକ ଥିବା ସମୟରେ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନାଁରେ ଟାଟା କମ୍ପାନୀରେ ଚାକିରି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା । ୨୦୨୦ ମସିହା ନଭେମ୍ବର ମାସରେ ଏନେଇ ପ୍ରଥମେ କ୍ରାଇମବ୍ରାଞ୍ଚ ନିକଟରେ ଅଭିଯୋଗ ପରେ କଟକ ସାଇବର ଥାନାରେ ମାମଲା ରୁଜୁ ହୋଇଥିଲା । ତଦନ୍ତ ପରେ ପ୍ରଦୀପଙ୍କ ନାଁରେ ଠକେଇ ମାମଲା ରୁଜୁ ହୋଇଥିଲା । ଏପରିକି ଏହାକୁ ନେଇ ପ୍ରଦୀପଙ୍କୁ ଗିରଫ ହୋଇ ଜେଲ ଯିବାକୁ ମଧ୍ୟ ପଡିଥିଲା । ଗୋଳନ୍ଥରା ଥାନା ଅଞ୍ଚଳରେ ରୁଜୁ ହୋଇଥିବା ଦୁଇଟି ମାମଲାରେ ଗତକାଲି (ମଙ୍ଗଳବାର) ଶୁଣାଣି ହୋଇଥିଲା । ଏଥିରେ ପ୍ରଦୀପ ପାଣିଗ୍ରାହୀ ନିଜେ ମଧ୍ୟ ଉପସ୍ଥିତ ରହିଥିଲେ ।
- କିଏ ସେହି ରାଜନେତା ଓ ଅଧିକାରୀ:-
ଅଭିଯୋଗକାରୀଙ୍କ ଏଭଳି ବୟାନ ପରେ ପରବର୍ତ୍ତୀ ଶୁଣାଣିରେ କୋର୍ଟଙ୍କ ଆଭିମୁଖ୍ୟ କ’ଣ ରହିବ ତାହା ଜଣାପଡିବ । ତେବେ ଅଭିଯୋଗକାରୀଙ୍କ ଏହି ମନ୍ତବ୍ୟ ପରିବର୍ତ୍ତନ ପରେ କିଏ ସେହି ଅଧିକାରୀ ଓ ରାଜନେତା ସେନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଏବେ ସେମାନେ ମଧ୍ୟ ତଦନ୍ତ ପରିସରକୁ ଆସପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ଇଟିଭି ଭାରତ, ବ୍ରହ୍ମପୁର