ବଲାଙ୍ଗୀର: ଭୀଷଣ ଗ୍ରୀଷ୍ମପ୍ରବାହରେ ଛଟପଟ ହେଉଛି ଜନଜୀବନ । ମଣିଷଠୁ ପଶୁପକ୍ଷୀ, ସମସ୍ତେ ମୁଣ୍ଡଫଟା ତାତିରେ ଆଉଟୁପାଉଟୁ ହେଉଛନ୍ତି । ମଣିଷ ସିନା ନିଜ ବୁଦ୍ଧିବଳରେ ଗରମରୁ ରକ୍ଷା ପାଇଯାଉଛି, ହେଲେ ନିରୀହ ପକ୍ଷୀମାନେ ପାଣି ମୁନ୍ଦାଏ ବିନା ମୃତ୍ୟୁମୁଖରେ ପଡୁଛନ୍ତି । ତେଣୁ ଏହି ପକ୍ଷୀଙ୍କର ଶୋଷ ମେଣ୍ଟାଇବାକୁ ଅଣ୍ଟା ଭିଡିଛନ୍ତି ବଲାଙ୍ଗୀରର ୩ ଜଣ ଯୁବକ । ସେମାନେ ପ୍ରାୟ ୫୦୦ ଗଛରେ ମାଟିପତ୍ର ବାନ୍ଧି ସେଥିରେ ପାଣି ବ୍ୟବସ୍ଥା କରି ପକ୍ଷୀଙ୍କର ତୃଷ୍ଣା ନିବାରଣ କରୁଛନ୍ତି ।
ପ୍ରବଳ ଗରମରେ ସମସ୍ତେ ଛଟପଟ ହେଉଥିବାବେଳେ ନିରୀହ ପଶୁପକ୍ଷୀଙ୍କ କଥା କ୍ବିଚିତ୍ ଲୋକେ ଚିନ୍ତା କରିଥାନ୍ତି । କିନ୍ତୁ ନିରୀହ ପକ୍ଷୀଙ୍କ ପାଇଁ ବଲାଙ୍ଗୀରରେ ୩ ପକ୍ଷୀପ୍ରେମୀ ଯୁବକଙ୍କ ମହତ୍ ଉଦ୍ୟମ ଏବେ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇଛି । ଏହି ଯୁବକମାନେ ହେଲେ ପ୍ରଶାନ୍ତ ମହାକୁର, ନିଗମାନନ୍ଦ ପରିଡ଼ା ଓ ସଚ୍ଚିଦାନନ୍ଦ ନାୟକ । ଏମାନେ ଅସହ୍ୟ ଖରା ତାତିକୁ ଖାତିର ନକରି ସହର ସାରା ବୁଲି ବୁଲି ପକ୍ଷୀଙ୍କ ଜୀବନ ରକ୍ଷା ପାଇଁ ଗଛ ଡାଳରେ ପାଣି ରଖୁଛନ୍ତି ।
ଏହି ତିନି ବନ୍ଧୁ ନିତି ଦିନ ସକାଳୁ ସକାଳୁ ଘରୁ ବାହାରି ଯାଆନ୍ତି । ସହରର ସମସ୍ତ ରାସ୍ତାକଡ଼ରେ ଥିବା ଗଛଗୁଡିକରେ ମାଟିପାତ୍ର ବାନ୍ଧି ସେଥିରେ ପାଣି ରଖନ୍ତି । କିଛି ମାଟିପାତ୍ରକୁ ନିଜସ୍ବ ଖର୍ଚ୍ଚରେ କିଣୁଥିବା ବେଳେ ଆଉ କିଛି ମନ୍ଦିର ଭଳି ପୂଜାସ୍ଥଳୀରେ ଫିଙ୍ଗା ଯାଉଥିବା ଅଦରକାରୀ ପାତ୍ର ସଂଗ୍ରହ କରନ୍ତି । ସେହି ପାତ୍ରରେ ପାଣି ରଖି ଗଛ ଡାଳରେ ବାନ୍ଧି ଦିଅନ୍ତି । ଏହି ଭୀଷଣ ଖରାରେ ନିରୀହ ପକ୍ଷୀମାନେ ଯେପରି ପାଣି ବିକଳରେ ମୃତ୍ୟୁମୁଖରେ ନପଡନ୍ତି, ସେଥିପାଇଁ ତିନି ଯୁବକଙ୍କ ଏହି ମହତ୍ ପ୍ରୟାସ ।
ଏନେଇ ନିଗମାନନ୍ଦ ପରିଡ କହିଛନ୍ତି, ''ବଲାଙ୍ଗୀର ସହରରେ ପ୍ରବଳ ଗରମ ହେଉଛି । ମଣିଷ ନିଜ ବୁଦ୍ଧି ବଳରେ ସୁବିଧାରେ ରହୁଛି, ହେଲେ ନିରୀହ ପକ୍ଷୀ ଏବେ ବିପଦରେ ଅଛନ୍ତି । ଯେହେତୁ ଖରାରେ ସବୁ ପାଣି ଉତ୍ସଗୁଡିକୁ ଶୁଖିଯାଇଛି । ପାଣି ମୁନ୍ଦାଏ ପାଣି ପକ୍ଷୀମାନେ ଛଟପଟ ହେଉଛନ୍ତି । ତେଣୁ ସେ ଓ ତାଙ୍କ ଦୁଇ ବନ୍ଧୁ ପକ୍ଷୀଙ୍କ ଶୋଷ ମେଣ୍ଟାଇବାକୁ ଚିନ୍ତା କରି ନିଜସ୍ଵ ଖର୍ଚ୍ଚରେ ସେମାନଙ୍କ ପାଇଁ ପାଣି ବ୍ୟବସ୍ଥା କରୁଛନ୍ତି ।'' ତାଙ୍କର ଦୁଇ ବନ୍ଧୁ ପ୍ରଶାନ୍ତ ମହାକୁର ଓ ସଚ୍ଚିଦାନନ୍ଦ ନାୟକ ମଧ୍ୟ ସମାନ କଥା କହିଛନ୍ତି ।
ତିନି ବନ୍ଧୁ ପ୍ରାୟ ୫୦୦ ଗଛରେ ମାଟିପାତ୍ର ବାନ୍ଧି ପକ୍ଷୀଙ୍କ ପାଇଁ ପାଣି ବ୍ୟବସ୍ଥା କରିଛନ୍ତି । ସେହି ପାତ୍ରରେ ସେମାନେ ସବୁଦିନ ପାଣି ଭରୁଥିବା କହିଛନ୍ତି । ଏଥିସହ ସମସ୍ତେ ନିଜ ଘର ଛାତରେ ପକ୍ଷୀଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରିବାକୁ ଜନସାଧାରଣଙ୍କ ନିବେଦନ କରିଛନ୍ତି । ବଲାଙ୍ଗୀରର ଏହି ଯୁବକମାନଙ୍କ ମହତ୍ ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଉଛି ।
ଇଟିଭି ଭାରତ, ବଲାଙ୍ଗୀର