ଭୁବନେଶ୍ବର: ଆଜି ହର୍ଷୋଲ୍ଲାସରେ କମ୍ପିଯାଉଛି ଏକାମ୍ର କ୍ଷେତ୍ର । ବାବା ତ୍ରିଭୁବନେଶ୍ବର ଲିଙ୍ଗରାଜ ମହାପ୍ରଭୁ ମାତା ପାର୍ବତୀଙ୍କ ସହ ବିବାହ ବନ୍ଧନରେ ବାନ୍ଧିବାକୁ ଯାଉଛନ୍ତି । ଏଥି ପାଇଁ ପବିତ୍ର ଶୀତଳଷଷ୍ଠୀ ଉପଲକ୍ଷେ ପାଳନ ହୋଇଛି ଚନ୍ଦନ ମଉଜ ବା ଚନ୍ଦନ ମହୋତ୍ସବ । ପୁରୁଣା ଭୁବନେଶ୍ବରର ଗୁଆଝରରେ ଗୁଆଝର ସଂଗଠନ ପକ୍ଷରୁ ଏହି ଚନ୍ଦନ ମହୋତ୍ସବ ହୋଇଛି । ମହୋତ୍ସବରେ ବରିଷ୍ଠ ରାଜନେତା ଓ ଗୁଆଝର ସଂଗଠନର ମୁଖ୍ୟ ପୁରୋଧା ସୁର ରାଉତରାୟ ଗୁଆଝରରେ ଦେହରେ ସୁଗନ୍ଧିତ ଚନ୍ଦନ ଲଗାଇ ମଲ୍ଲୀଫୁଲ ପକାଇ ସ୍ନାନ କରିଛନ୍ତି । ତାଙ୍କ ସହ ଏକାମ୍ରର ବହୁ ସାଧାରଣ ଲୋକମନେ ମଧ୍ୟ ସ୍ନାନ କରିଛନ୍ତି ।
ଏହି ଅବସରରେ ଭଜନ ସମାରୋହ କରାଯାଇଛି । ଭଜନ ଗୀତର ଧୁନରେ ଭିଜି ଚନ୍ଦନ ବୋଳାବୋଳି ହୋଇ ଗୁଆଝରର ଶୀତଳ ଜଳରେ ବେଶ ମଉଜରେ ଗାଧେଇଛନ୍ତି ଏକାମ୍ର ନିବାସୀ । ଏଥିରେ ସାମିଲ ହୋଇଛନ୍ତି ଭୁବନେଶ୍ବରର ମେୟର ସୁଲୋଚନା ଦାସ । ବିଶ୍ବାସ ରହିଛି ଏହି ଗୁଆଝର ପାଣିରେ ଗାଧୋଇବା ଦ୍ବାରା ଚର୍ମରୋଗ ଭଲ ହୋଇଯାଏ । ଖରାଦିନର ଗରମରୁ ଶୀତଳତା ମିଳିବା ସହ ମନରେ ମଧ୍ୟ ଶୀତଳତା ଓ ଶାନ୍ତି ଆସିଥାଏ । ଏହାସହ ଏହି ମହୋତ୍ସବର ପରମ୍ପରା ରହିଛି ଯେ ଏହି ଝର ପାଣି ଶୀତଳ ପ୍ରଦାନ କରୁଥିବା ବେଳେ ଏଠାରେ ଗାଧୋଇ ମହାଦେବଙ୍କ ପାଖରୁ ଆସିଥିବା ବର ପକ୍ଷକୁ ସ୍ବାଗତ କରିଥାନ୍ତି ଲୋକେ ।
ଏହା ମଧ୍ୟ ପଢନ୍ତୁ ... ରାତିରେ ବାହାରିବ ଭୋଳାବାବାଙ୍କ ବରଯାତ୍ରୀ, ସରିଲା ହରିଦ୍ରା ଲେପନ ନୀତି - Sambalpur Shitalasasthi
ଅନ୍ୟପଟେ ଆଜି ଶୀତଳ ଷଷ୍ଠୀ ହୋଇଥିବା ବେଳେ ଦେବ ଦମ୍ପତିଙ୍କ ବିବାହକୁ ନେଇ ବରବେଶରେ ସୁସଜ୍ଜିତ ହୋଇ ମହାପ୍ରଭୁ ଲିଙ୍ଗରାଜ ଯିବେ କେଦାର ଗୌରୀ । ମଧ୍ୟରାତ୍ରରେ ଦେବଦମ୍ପତିଙ୍କ ବିବାହ ଉତ୍ସବ ହେବାକୁ ଥିବା ବେଳେ ଏଥିପାଇଁ ଶ୍ରୀଲିଙ୍ଗରାଜ ଓ କେଦାର ମନ୍ଦିରକୁ ସୁସଜ୍ଜିତ କରାଯାଇଛି । ବଧୂ ବେଶରେ ସଜେଇ ହୋଇଛନ୍ତି ମା’ ପାର୍ବତୀ, ସଜେଇ ହୋଇ ରହିଛି ବିବାହବେଦୀ । ମନ୍ଦିର ସିଂହଦ୍ଵାର ନିକଟରେ ଛାମୁଣ୍ଡିଆ କରାଯିବା ସହ ରାସ୍ତାରେ ତୋରଣ କରାଯାଇଛି । ମନ୍ଦିର ପାଚେରୀ ଓ ରାସ୍ତା ରଙ୍ଗିନ ଆଲୋକମାଳାରେ ଝଲସୁଛି । କେଦାରଗୌରୀ ମନ୍ଦିରକୁ ମଧ୍ୟ ସୁସଜ୍ଜିତ କରାଯାଇଛି ।
ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରାରେ ବିଭିନ୍ନ ପାରମ୍ପରିକ ବାଦ୍ୟ ବାଜି ଶୋଭାଯାତ୍ରା କରାଯିବ ବୋଲି ନିଷ୍ପତ୍ତି ହୋଇଛି । ମନ୍ଦିର ପ୍ରଶାସନ, ସେବାୟତ ନିଯୋଗ, ପ୍ରତିନିଧି, ସେବାୟତ ଓ ସ୍ଥାନୀୟ ପୁଲିସର ସହାୟତାରେ ଯାତ୍ରାକୁ ଶୃଙ୍ଖଳିତ କରାଯିବ ବୋଲି କୁହାଯାଇଛି । ଆଜିର ସନ୍ଧ୍ୟାକାଳୀନ ନୀତି ମଧ୍ୟରେ ରହିଛି ସନ୍ଧ୍ୟା ବେଶ, ସନ୍ଧ୍ୟା ଧୂପ ପରେ ଦିଅଁ ବିଜେ, ରାତିରେ କପିଳନାଥ ବିଜେ, ପରେ ରାତି ୯ ରୁ ୧୦ ମଧ୍ୟରେ ବଡ ସିଂହାର, ପଞ୍ଚ ବକ୍ର ବିଜେ, ପୁଷ୍ପାଞ୍ଜଳି ଓ ପହୁଡ଼ । ରାତି 09 ରୁ 10.30 ମଧ୍ୟରେ ମନ୍ଦିର ମଧ୍ୟରେ ବରଯାତ୍ରୀ ଭୋଜି, ରାତି 11 ଟା ବରାନୁଗମନ, ରାତି 11.15 ରୁ ୨.୩୦ ରେ ବିବାହ ଉତ୍ସବ ହେବ ବୋଲି ଧାର୍ଯ୍ୟ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର