ପୁରୀ: ଆସିଲା ଶ୍ରୀମନ୍ଦିର ରତ୍ନ ଭଣ୍ଡାର ବାହାର ପାର୍ଶ୍ଵର ଲେଜର ସ୍କାନିଂ ରିପୋର୍ଟ । ଶ୍ରୀମନ୍ଦିର ରତ୍ନ ଭଣ୍ଡାର ବାହାର ପାର୍ଶ୍ଵ କାନ୍ଥରେ ରହିଛି ଫାଟ । ଆଜି (ଗୁରୁବାର) ମହାରାଜା ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏଏସଆଇ ପକ୍ଷରୁ ଏହି ରିପୋର୍ଟ ଦାଖଲ କରାଯାଇଛି । ତର୍ଜମା କରିବା ପାଇଁ ଏକ ସ୍ବତନ୍ତ୍ର ବୈଷୟିକ କମିଟିକୁ ଦାୟିତ୍ବ ଦିଆଯାଇଥିବା ବେଳେ ତର୍ଜମା ପରେ ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି ।
ରତ୍ନଭଣ୍ଡାରର ବାହାର ପାର୍ଶ୍ବ କାନ୍ଥରେ କିଛି ଫାଟ ଥିବା ଲେଜର ସ୍କାନିଂ ରିପୋର୍ଟରୁ ଜଣାପଡିଥିବା ବେଳେ ଏହା ପ୍ଲାଷ୍ଟରରେ ଫାଟ ନା କାନ୍ଥରେ ଫାଟ ସୃଷ୍ଟି ହୋଇଛି ସେ ନେଇ ତର୍ଜମା କରିବା ପାଇଁ ଏକ ସ୍ବତନ୍ତ୍ର ବୈଷୟିକ କମିଟିକୁ ଦାୟିତ୍ଵ ଦିଆଯାଇଛି । ବୈଷୟିକ କମିଟିର ନିଷ୍ପତ୍ତି ଆସିବା ପରେ ଆଗାମୀ ବର୍ଷା ଦିନ ପୂର୍ବରୁ ରତ୍ନଭଣ୍ଡାର ବାହାର ପାର୍ଶ୍ବ କାନ୍ଥର ପ୍ଲାଷ୍ଟରକୁ ଛଡା ଯାଇ ନୂତନ ପ୍ଲାଷ୍ଟର କରାଯିବ ବୋଲି କହିଛନ୍ତି ଏଏସଆଇ ଅଧିକାରୀ । ତେବେ ଭିତର ରତ୍ନ ଭଣ୍ଡାରର ମରାମତି ଜରୁରୀ ଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଆସିଲେ ଏ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଏଏସଆଇ ଅଧିକାରୀ ।
ଏହା ବି ପଢନ୍ତୁ- ରତ୍ନଭଣ୍ଡାର ଅଳଙ୍କାର ତଦାରଖ ପାଇଁ କମିଟି ଗଠିତ; ଜଷ୍ଟିସ ଅରିଜିତ ପଶାୟତ ଅଧ୍ୟକ୍ଷ
ସେହିପରି ଅବଢ଼ା ଯୋଜନାରେ ନିର୍ମିତ ହୋଇଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ମଧ୍ୟ ପରିଚାଳନା କମିଟି ବୈଠକରେ ସବିଶେଷ ଆଲୋଚନା ହୋଇଥିଲା । ଶ୍ରୀମନ୍ଦିର ନୀତିକାନ୍ତି କିଭଳି ଶୃଙ୍ଖଳିତ ହୋଇପାରିବ, ସେବାୟତ କଲ୍ୟାଣ ଯୋଜନା, ଗୁରୁକୂଳ ପ୍ରକଳ୍ପକୁ ନେଇ ଗଠନ ହୋଇଥିବା ବିଭିନ୍ନ ସବ କମିଟିର ନିଷ୍ପତ୍ତିକୁ ମଧ୍ୟ ସବିଶେଷ ଭାବରେ ଆଲୋଚନା ହୋଇଥିଲା । ସେପଟେ ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ରତ୍ନ ଅଳଙ୍କାରର ଗଣତି, ମଣତି ପାଇଁ ମୁଖ୍ୟମନ୍ତ୍ରୀ ଗଠନ କରିଥିବା ୧୨ ଜଣିଆ ସ୍ବତନ୍ତ୍ର କମିଟିକୁ ସ୍ବାଗତ କରିଛନ୍ତି ସେବାୟତ ।
ଆଗାମୀ ରଥଯାତ୍ରାରେ ମହାପ୍ରଭୁ ରତ୍ନ ସିଂହାସନରେ ନଥିବା ବେଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ସଠିକ୍ ସମୟ ହେବ ବୋଲି ସେବାୟତ କହିଛନ୍ତି । ଆଜିର ବୈଠକରେ ଶ୍ରୀମନ୍ଦିରର ନାଟମଣ୍ଡପ ମରାମତି ସମ୍ପର୍କରେ ଏଏସଆଇ ପକ୍ଷରୁ ଅବଗତ କରାଯାଇଥିଲା । ନାଟମଣ୍ଡପର ଫାଟ ଥିବା ବିମର ମରାମତି କାର୍ଯ୍ୟ ସୁରୁଖୁରୁରେ ଚାଲିଥିବା ବେଳେ ଏହାକୁ ସପୋର୍ଟ ଦେବା ପାଇଁ ଷ୍ଟେନ ଲେସରେ ନିର୍ମିତ ସ୍ବତନ୍ତ୍ର ବିମ ଖୁବଶୀଘ୍ର ଲଗାଯିବ ବୋଲି ଏଏସଆଇ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ନାଟମଣ୍ଡପର ଅନ୍ୟାନ୍ୟ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଥିବା ଏଏସଆଇ ପକ୍ଷରୁ କୁହାଯାଇଛି । ସେପଟେ ଏମାର ମଠ ନିକଟରେ ନିର୍ମାଣ ହେଉଥିବା ଅଭ୍ୟର୍ଥନା କେନ୍ଦ୍ର ଏବଂ ରଘୁନନ୍ଦନ ପାଠାଗାର ପାଇଁ ଏନଏମଏ ପକ୍ଷରୁ ଅନୁମତି ମିଳିଥିବା ଏଏସାଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଇଟିଭି ଭାରତ, ପୁରୀ