ଭୁବନେଶ୍ବର: ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ପରିବର୍ତ୍ତନ ହେଲା ଅଙ୍ଗନବାଡ଼ି କେନ୍ଦ୍ରର ସମୟ । ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ଅଙ୍ଗନବାଡି କେନ୍ଦ୍ରର କାର୍ଯ୍ୟ ସମୟକୁ ପରିବର୍ତ୍ତନ କରାଯାଇଛି । ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ନିମନ୍ତେ ଅଙ୍ଗନବାଡି କେନ୍ଦ୍ରର କାର୍ଯ୍ୟ ସମୟ ସକାଳ ୭ରୁ ୧୧.୩୦ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି । ଏନେଇ ମହିଳା ଶିଶୁ ବିକାଶ ବିଭାଗ ପକ୍ଷରୁ ଗାଇଡ ଲାଇନ ଜାରି କରାଯାଇଛି । ପ୍ରକାଶଥାଉକି, ଗତ 30 ତାରିଖରେ ରାଜ୍ୟର ସ୍ଲୁକ ଗୁଡିକୁ ସକାଳୁଆ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା ।
ପାନୀୟ ସହ ଓଆରଏସକୁ ଗୁରୁତ୍ବ: ଖରା ଓ ଗରମକୁ ଦୃଷ୍ଟିରେ ରଖି ଅଙ୍ଗନବାଡି କେନ୍ଦ୍ରରେ ଶୁଦ୍ଧ ପାନୀୟ ଜଳ ସହ ଯଥେଷ୍ଟ ପରିମାଣର ଓଆରଏସ ପ୍ୟାକେଟ ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ରାଜ୍ୟରେ କ୍ରମାଗତ ଭାବେ ବଢୁଥିବା ତାପମାତ୍ରାକୁ ଆଖି ଆଗରେ ରଖି ଆଗୁଆ ପ୍ରସ୍ତୁତି ଓ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ପ୍ରତିକାର ଓ ମୁକାବିଲା କରାଯିବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ପୂର୍ବକ ଏହାର ପ୍ରତିକାର ଓ ମୁକାବିଲା କରାଯିବ । ଏ ସଂପର୍କରେ ସ୍ୱତନ୍ତ୍ର ଏସଆରସି ସମସ୍ତ ବିଭାଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଜଳସଂପଦ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ, ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଅସହ୍ୟ ଗ୍ରୀଷ୍ମ ପ୍ରବାହ, ଏପ୍ରିଲ ୨ରୁ ସକାଳୁଆ ସ୍କୁଲ - Morning Classes In Odisha
ସୂଚନାଥାଉକି, ରାଜ୍ୟରେ ପ୍ରଥମ ଶ୍ରେଣୀଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସକାଳୁଆ ସ୍କୁଲ ହେବ । ଆସନ୍ତାକାଲି ଅର୍ଥାତ ଏପ୍ରିଲ 2 ତାରିଖରୁ ସକାଳ ୭ଟାରୁ ଦିନ ୧୧ଟା ୩୦ ସମୟ ପର୍ଯ୍ୟନ୍ତ ପାଠପଢା ଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଥିଲା ।
ଇଟିଭି ଭାରତ, ଭୁବନେଶ୍ବର