ପୁରୀ/ଭୁବନଶ୍ୱର: ଆସନ୍ତା ୯ ତାରିଖରେ ଆମେରିକାର ହ୍ୟୁଷ୍ଟନ ସହରରେ ରଥଯାତ୍ରା ଆୟୋଜନ କରିବ ଆମେରିକାର ଇସ୍କନ ଅନୁଷ୍ଠାନ । ଅଦିନିଆ ରଥଯାତ୍ରାକୁ ଏବେ ସବୁ ମହଲରେ ବିରୋଧ ପରେ ଏହା ବେଶ ଚର୍ଚ୍ଚାର ବିଷୟ ହେଇଛି । ଅଦିନିଆ ରଥଯାତ୍ରାକୁ ବନ୍ଦ ପାଇଁ ଭକ୍ତ, ସେବାୟତ ଅନୁରୋଧ କରିଥିବାବେଳେ ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି ଗଜପତି । ସେପଟେ ଇସ୍କନର ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ଘଟଣାକୁ ନିନ୍ଦା କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ।
ଅଦିନରେ ରଥଯାତ୍ରାକୁ ଶଙ୍କରାଚାର୍ଯ୍ୟଙ୍କ ନିନ୍ଦା:
ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଆଷାଢ ଶୁକ୍ଲପକ୍ଷ ଦ୍ବିତୀୟ ତିଥିରେ ଅନୁଷ୍ଠିତ ହୋଇଥାଏ । ଆମେରିକାରେ ଇସ୍କନ ନଭେମ୍ବର ୩ରେ ସ୍ନାନଯାତ୍ରା ଓ ୯ରେ ରଥଯାତ୍ରା ଆୟୋଜନ କରିବାକୁ ଯାଉଛି । ଇସ୍କନର ଏହି ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ଘଟଣାକୁ ନିନ୍ଦା କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀ । ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀ କହିଛନ୍ତି, "ବିଧି ଅନୁଯାୟୀ ସବୁ କାର୍ଯ୍ୟ କରାଗଲେ ସବୁ କାର୍ଯ୍ୟ ସଫଳ ହୋଇଥାଏ । ତାହା ଶାସ୍ତ୍ରରେ ଉଲ୍ଲେଖ ରହିଛି । ଏହାକୁ ଉଲଘଂନ କରାଗଲେ ସବୁ କାର୍ଯ୍ୟ ବିଫଳ ହେଇଥାଏ । କେବଳ ନିଜର ଖ୍ୟାତି, ପ୍ରଚାର ପ୍ରସାର ପାଇଁ ଇସ୍କନ ଯେଉଁ ଭଳି ବିଧି ବ୍ୟବସ୍ଥା ନମାନି ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ କରୁଛି ତାହା ଠିକ୍ ନୁହେଁ । ଯେଉଁମାନେ ମହାପ୍ରଭୁଙ୍କୁ ଭକ୍ତି କରନ୍ତି ସେମାନେ ମହାପ୍ରଭୁଙ୍କ ସବୁ ବିଧି ବ୍ୟବସ୍ଥା ମାନିବା ଉଚିତ ।"
ସେପଟେ ଶ୍ରୀମନ୍ଦିର ବରିଷ୍ଠ ସେବାୟତ ମାଧବ ପୂଜାପଣ୍ଡା କହିଛନ୍ତି, "ପୂର୍ବରୁ ମଧ୍ୟ ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ବହୁ ଆପତ୍ତି ଉଠିଛି । ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶା ନିଯୋଗ ବୈଠକରେ ଏନେଇ ପୂର୍ବରୁ ଅଲୋଚୋନା ସହ ଉଦ୍ବେଗ ପ୍ରକାଶ ପାଇଛି । ଏହାକୁ ରୋକିବାକୁ ହେଲେ କେବଳ କାଗଜ କଲମରେ ସୀମିତ ରହିଲେ ହେବନାହିଁ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯିବ ଉଚିତ । ରାଜ୍ୟ ସରକାର ଇସ୍କନ ଅନୁଷ୍ଠାନକୁ ଏନେଇ ଅବଗତ କରିବା ଉଚିତ । ଗତ ୨୦୨୦ରେ କରୋନାରେ ଯେତେବେଳେ ମହାପ୍ରଭୁଙ୍କ ରଥଯାତ୍ରା ହୋଇଥଲା ସେତେବେଳେ ବଡଦାଣ୍ଡରେ ଘର ଥିବା ଲୋକମାନେ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିନଥିଲେ । ସରକାରଙ୍କ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିଥିଲେ । ଏହା ତ୍ୟାଗ ଓ ଭକ୍ତି ଥିଲା । ଯଦି ଆମେ ମହାପ୍ରଭୁଙ୍କୁ ଭକ୍ତି କରୁଛେ, ତେବେ ଅଦିନିଆ ରଥଯାତ୍ରା ଅୟୋଜନ ଠିକ ନୁହେଁ । ଏହାଦ୍ବାରା ଜଣାପଡୁଛି ମହାପ୍ରଭୁଙ୍କ ପ୍ରତି ଇସ୍କନର ଭକ୍ତି ନାହିଁ । ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଇସ୍କନକୁ ଏହା ଅବଗତ କରାଇବା ଉଚିତ୍ । ସେହିପରି କେଉଁ ତିଥିରେ ମହାପ୍ରଭୁଙ୍କ କିଭଳି ପର୍ବ ପର୍ବାଣୀ ପାଳନ କରିହେବ ପ୍ରଶାସନ ପକ୍ଷରୁ ଏକ ସୂଚନା ଇସ୍କନକୁ ଦିଆଯିବ ଉଚିତ ।"
ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିର ସମ୍ମୁଖରେ ସୂଚନା କେନ୍ଦ୍ର ନିର୍ମାଣକୁ ଜୋରଦାର ବିରୋଧ, ମୁଖ୍ୟ ପ୍ରଶାସକଙ୍କୁ ଦାବିପତ୍ର ପ୍ରଦାନ, ସିଂହଦ୍ଵାରର ହେବ ସୋନ୍ଦର୍ଯ୍ୟ ହାନି - information center controversy |
'ମହାପ୍ରଭୁଙ୍କ କୌଣସି ରୀତିନୀତି ଅଲଗା ଭାବରେ ହେବନାହିଁ'
ଅନ୍ୟପଟେ ଇସ୍କନ ମନ୍ଦିରର ଅଦିନିଆ ରଥଯାତ୍ରା ପାଳନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି, "ପୂର୍ବରୁ ମଧ୍ୟ ଏଭଳି ସ୍ଥିତି ଉପୁଜିଥିଲା । ମନ୍ଦିର ଏବଂ ସରକାରଙ୍କ ପକ୍ଷରୁ ଏଭଳି ଆୟୋଜନ କରିବା ପାଇଁ ବାରଣ କରାଯାଇଛି । ମହାପ୍ରଭୁଙ୍କ ରୀତିନୀତି ଯାନିଯାତ୍ରା ପର୍ବ ଆଦି ସବୁ ଗୁଡ଼ିକ ଏକ ନିର୍ଦ୍ଧାରିତ ସମୟରେ ନୀତି ଅନୁଯାୟୀ ହୁଏ । ଅତୀତରେ ସେମାନଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ଜଣାଇ ଦିଆଯାଇଥିଲା । ୨୦୨୨ ମସିହାରେ ମାୟାପୁରୀ ସ୍ଥିତ ଇସ୍କନ ମୁଖ୍ୟାଳୟ ପକ୍ଷରୁ ଏଯାବତ ସେମାନେ ସମସ୍ତ ଇସ୍କନ ମନ୍ଦିରକୁ ଏକ ମାର୍ଗଦର୍ଶକା ମଧ୍ୟ ଜାରି କରିଛନ୍ତି । ସେଥିରେ କୁହାଯାଇଛି, ବିଶ୍ଵର ସବୁ ଇସ୍କନ ମନ୍ଦିରରେ ଯେଉଁଠି ଜଗନ୍ନାଥ ପୂଜା ପାଉଛନ୍ତି ସେଠାରେ ମହାପ୍ରଭୁଙ୍କ କୌଣସି ରୀତିନୀତି ଅଲଗା ଭାବରେ ହେବନାହିଁ । ପୁରୀ ମନ୍ଦିର ରୀତିନୀତି ତାରିଖ ଏବଂ ବିଦ୍ଧି ଅନୁଯାୟୀ ହେବ ବୋଲି କହିଛନ୍ତି । ଅଦିନରେ କୌଣସି ରୀତିନୀତି ହୋଇପାରିବ ନାହିଁ ବୋଲି ଆଡଭାଇଜରୀ ଜାରି କରିଥିଲେ ।"
ଆଇନ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଏବେ ଯେଉଁ ରଥଯାତ୍ରା ଆୟୋଜନ ହେଇଛି ସେ ବାବଦରେ ସେ ତର୍ଜମା କରାଯିବ । ଗଜପତି ମହାରାଜା ମଧ୍ୟ ଏ ବାବଦରେ ବିସ୍ତୃତ ଭାବେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ଆମେ ଆଶା କରୁଛୁ ଇସ୍କନ ତରଫରୁ ଏ ପ୍ରସଙ୍ଗକୁ ଗୁରୁତ୍ବ ସହ ନେଇ ଯେଉଁ ସ୍ନାନଯାତ୍ରା ଓ ରଥଯାତ୍ରା ହେବାକୁ ଯାଉଛି, ଏକଥାକୁ ବନ୍ଦ କରିବା ପାଇଁ ଯଥାରୀତି ନିର୍ଦ୍ଦେଶ ଦେବେ । ମହାପ୍ରଭୁଙ୍କ କୌଣସି ରୀତିନୀତି ସଂକେତ ଭାବେ ବିଚ୍ୟୁତି ନହେଉ ସେ କଥାକୁ ସରକାର ଗୁରୁତ୍ବ ଦେଉଛନ୍ତି ।"
ଇଟିଭି ଭାରତ, ପୁରୀ/ଭୁବନେଶ୍ବର