ବଲାଙ୍ଗୀର: ଜିଲ୍ଲା ବେଲାପଡା କାନୁଟ ଗ୍ୟାସ୍ ଟ୍ରାଜେଡ଼ିରେ ପୁଣି ଦୁଃଖଦ ଘଟଣା । ପରିବାର ବର୍ଗଙ୍କୁ ମୃତ୍ୟୁରେ ଭାଙ୍ଗି ପଡ଼ି ପୁଅ ଜୀବନ ହାରିଥିବା ଘଟଣା ସାମ୍ନାକୁ ଆସିଛି । ଗାଁରେ ଶୋକର ଛାୟା ଖେଳିଯାଇଛି । ମୃତକ ଜଣକ ନାବାଳକ ହୋଇଥିବା ସୂଚନା । ଗ୍ୟାସ ଦୁର୍ଘଟଣାରେ ଗୋଟିଏ ପରିବାର ଚାରି ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ବି ଆଉ ଦୁଇ ଜଣ ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି ।
ଗତ ୧୦ତାରିଖରେ ବେଲପଡ଼ା ବ୍ଲକ କାନୁଟ ଗ୍ରାମରେ ଗ୍ୟାସ ଦୁର୍ଘଟଣାରେ ନିଆଁ ଲାଗି ଅଦା ବାରିଆଙ୍କ ପରିବାରର ଛଅ ଜଣ ଗୁରୁତର ହୋଇଥିଲେ । ପରବର୍ତ୍ତୀ ସମୟରେ ପରିବାରର ଚାରିଜଣଙ୍କ ମୃତ୍ୟୁ ଘଟିଥିଲା । ଏଥିରେ କାକା ଖୁଡ଼ି ଓ ମାଆକୁ ହରାଇ ଭାଙ୍ଗି ପଡ଼ିଥିବା ନାବାଳକ ପୁଅ ଶେଷରେ ଜୀବନ ହାରିଛି । ତେବେ ସୂଚନା ଅନୁସାରେ ଏହି ଗ୍ୟାସ ଦୁର୍ଘଟଣାରେ ଆଦାବରିଆ ପରିବାରର ମାଳତୀ ମହାକୁଡ, ମହେଶ୍ୱର ଅଦାବରିଆ, ଭାନୁମତୀ ଅଦା ବରିଆ, ଭାଗ୍ୟ ବତି ଜାଲଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।
ମାଳତୀ ମହାକୁଡଙ୍କ ସାନ ପୁଅ ଦ୍ରୋଣ ମହାକୁଡ ଘରେ ଏକା ଥିବାବେଳେ ଆଜି ଜୀବନ ହାରିଥିବା ଜଣାପଡ଼ିଛି । ସେପଟେ ମାଆଙ୍କ ମୃତଦେହ ଆଣିବା ପାଇଁ ତାଙ୍କ ବାପା ଓ ବଡ଼ ଭାଇ ରାଉରକେଲା ଯାଇଥିବାବେଳେ ଘରେ ପୁଅ ଜୀବନ ହାରିଛି । ତେବେ ମାଆ ଓ ଅନ୍ୟମାନଙ୍କୁ ହରାଇ ସେ ଦୁଃଖରେ ଭାଙ୍ଗି ପଡ଼ି ଜୀବନ ହାରିଥିବା ସୂଚନା ମିଳିଛି । ବେଲାପଡା ପୋଲିସ ଓ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ଆରମ୍ଭ କରିଛନ୍ତି । ନାବାଳକର ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରିଛି ।
ଏହା ମଧ୍ୟ ପଢନ୍ତୁ ....ବଲାଙ୍ଗୀର ଗ୍ୟାସ ଟ୍ରାଜେଡି; ଚିକିତ୍ସାଧୀନ ଅବସ୍ଥାରେ 4 ମୃତ
ତେବେ ସୂଚନାଯୋଗ୍ୟ ଅଦାବରିଆ ପରିବାର ଆର୍ଥିକ ସମସ୍ୟା ସୁଦୃଢ ନଥିବାବେଳେ ଘରର ପୁରୁଷମାନେ ବିଭିନ୍ନ ଦୋକାନ ଇତ୍ୟାଦିରେ କାମ କରୁଥିଲେ । ଏହି ଘଟଣା ପରେ ଏମାନେ ଆର୍ଥିକ ସମସ୍ୟାରେ ଜୁଝି ହୋଉ ଥିବାବେଳେ ସମ୍ପର୍କୀୟଙ୍କ ମୃତଦେହ ଆଣିବା ପାଇଁ ଗାଆଁରେ କିଛି ଆର୍ଥିକ ସାହାଯ୍ୟ ମଧ୍ୟ ମାଗିଥିଲେ । ହେଲେ ମୃତଦେହ ଗ୍ରାମରେ ପହଞ୍ଚିବା ପୂର୍ବରୁ ପରିବାରର ଆଉ ଜଣେ ପୁଅ ଜୀବନ ହାରିଥିବା ଦେଖିବାକୁ ମିଳିଛି । ଯାହା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଇଟିିଭି ଭାରତ, ବଲାଙ୍ଗୀର