କଟକ/ଭୁବନେଶ୍ବର: ଭୁବନେଶ୍ବର ପରେ କଟକରେ ଠାବ ହେଲା ସିମ୍ ବକ୍ସ । ଆଜି (ରବିବାର) କଟକ ମଧୁପାଟଣା ଥାନା ଅନ୍ତର୍ଗତ ରାଜେନ୍ଦ୍ର ନଗର ଅଞ୍ଚଳର ଏକ ଭଡା ଘରୁ ସିମ୍ ବକ୍ସ ଠାବ ହୋଇଛି । ଏଠାରୁ ୫ଟି ସିମ୍ ବକ୍ସ ମିଳିଥିବା ବେଳେ ଏଥିରେ ୫୦୦ରୁ ଅଧିକ ସିମ୍ ରହିଛି ଓ ୪ରୁ ଊର୍ଦ୍ଧ୍ବ ରାଉଟର ମିଳିଛି । ତେବେ ଦୀର୍ଘ ୬ ମାସ ଧରି ଏହି ଭଡା ଘରେ ସିମ୍ ବକ୍ସ ଅପରେଟ ହେଉଥିଲା । ଆଜି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ ଏବଂ ସାଇଣ୍ଟିଫିକ ଟିମ୍ ଅଭିଯୁକ୍ତ ରାଜୁ ମଣ୍ଡଳକୁ ସାଙ୍ଗରେ ଧରି ସେହି ଘରେ ଚଢାଉ କରି ସିମ ବକ୍ସ ଜବତ କରିଥିବା ସୂଚନା ମିଳିଛି ।
- ଭଡା ଘରେ ଚାଲିଥିଲା ସିମ୍ ବକ୍ସ
ସୂଚନା ଥାଉକି, ଦୁଇ ଦିନ ତଳେ ପ୍ରଥମେ ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ମହାଦେବ ନଗରରୁ ଜଣେ ସନ୍ଦିଗ୍ଧ ଘରୁ ୭ଟି ସିମ ବକ୍ସ ଜବତ ହୋଇଥିଲା । ଏହି ଘଟଣାରେ ପୋଲିସ ପଶ୍ଚିମବଙ୍ଗର ମୂଳ ବାସିନ୍ଦା ରାଜୁ ମଣ୍ଡଳକୁ ଗିରଫ କରି ୫ ଦିନିଆ ରିମାଣ୍ଡରେ ଆଣିଥିଲା । ପଚରାଉଚରା ବେଳେ କଟକ ରାଜେନ୍ଦ୍ର ନଗର ଅଞ୍ଚଳର ଏକ ଭଡା ଘରେ ସିମ୍ ବକ୍ସ ଚାଲୁଥିବା ଅଭିଯୁକ୍ତ କହିଥିଲା । ଏହାପରେ ପୋଲିସ ତାକୁ ସାଙ୍ଗରେ ଧରି କଟକର ସେହି ଭଡା ଘରେ ଚଢାଉ କରି ସିମ ବକ୍ସ ଜବତ କରିଛି ।
- ଅଧିକ ଖୋଳତାଡ଼ କରୁଛି ପୋଲିସଭୁବନେଶ୍ବର ପରେ କଟକରେ ଠାବ ହେଲା ସିମ୍ ବକ୍ସ, ପୋଲିସର ଛାନଭିନ୍ ଜାରି (ETV Bharat Odisha)
ଏଠାରେ ଉଲ୍ଲେଖଯୋଗ୍ୟ, ଏହି ସିମ ବକ୍ସ ଜରିଆରେ ପାକିସ୍ତାନ, ଆଫଗାନିସ୍ତାନ, ଚୀନ, ଇରାକ, ଇରାନ ଭଳି ଏକାଧିକ ଦେଶକୁ ସନ୍ଦିଗ୍ଧ କଲ୍ ଯାଉଥିଲା । ସାଇବର ଠକେଇ, ଦେଶ ବିରୋଧି ସ୍ଲୋଗାନ, ଆତଙ୍କବାଦୀ କାର୍ଯ୍ୟକଳାପ, ଦାଦାବଟି ଓ ହାୱଲା ଭଳି ଅପରାଧିକ କାର୍ଯ୍ୟ ପାଇଁ ଏହାକୁ ବ୍ୟବହାର କରାଯାଉଥିଲା । ଏସବୁ ପଛରେ ମାଷ୍ଟର ମାଇଣ୍ଡ ହେଉଛି ଜଣେ ବାଂଲାଦେଶୀ ଯୁବକ । ସେ ଏହି ସିମ ବକ୍ସ ରାକେଟ ବୁଝାସୁଝା କରିବା ପାଇଁ ପଶ୍ଚିମବଙ୍ଗର ରାଜୁ ମଣ୍ଡଳକୁ ଦାୟିତ୍ବ ଦେଇଥିଲା । ଭୁବନେଶ୍ବର ପରେ ଏବେ କଟକରେ ସିମ୍ ବକ୍ସ ଠାବ ହେବା ପରେ କମିଶନରେଟ ପୋଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାରେ ଅଧିକ ତନାଘନା ଜାରି ରଖିଛନ୍ତି ।
ସିମ ବକ୍ସ ଠାବ ପରେ ଭୟରେ ପଡୋଶୀ:

ଏନେଇ ଜଣେ ପଡୋଶୀ କହିଛନ୍ତି, ''ଏହି ସିମ୍ ବକ୍ସ ରାକେଟ ଖବର ଶୁଣି ଖୁବ ଡର ଲାଗୁଛି । ଏହାଦ୍ବାରା ଆତଙ୍କବାଦୀ କାର୍ଯ୍ୟକଳାପ ହେଉଥିଲା । ଆମ ଘର ପାଖରେ ଏମିତି ଅପରାଧ ଜଣାପଡିବା ପରେ ଭୟଭୀତ ଅଛୁ । ଅନେକ ସମୟରେ ଜଣେ ଯୁବକ ବିଳମ୍ବିତ ରାତିରେ ବାଇକରେ ଆସୁଥିଲା । ହୁଏତ ସେହି ଯୁବକ ସେ ଘରକୁ ଯାଉଥିଲା ।'' ତେବେ ଘର ଭଡା ଦେବା ବେଳେ ଭଡାଟିଆଙ୍କ ପୃଷ୍ଠଭୂମି ଭଲ ଭାବେ ଛାନଭିନ୍ କରିବା ଉଚିତ୍ ବୋଲି ଆଉ ଜଣେ ପଡୋଶୀ କହିଛନ୍ତି ।

5 ଦିନିଆ ରିମାଣ୍ଡରେ କାର୍ପଟଦାର:
ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି, ''ଅଭିଯୁକ୍ତକୁ ୧୪ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ ହୋଇଥିଲା । ପରେ ୫ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି । ଛାନଭିନ୍ରୁ ଜଣାପଡିଛି, ଆଉ ଜଣେ ଲୋକ କଟକରେ ସିମ ବକ୍ସ ଅପରେଟ କରୁଥିଲା । ସେଠି ଯାହା ମିଳିଛି ତାହାର ମଧ୍ୟ ଯାଞ୍ଚ କରିବୁ । ଏ ସମ୍ପର୍କରେ ଜାତୀୟ ତଦନ୍ତକାରୀ ଏଜେନ୍ସିକୁ ଜଣାଇ ସହଯୋଗ ନେବୁ ।'' ରାଜୁ ମଣ୍ଡଳକୁ ନିୟୋଜିତ କରିଥିବା ବାଂଲାଦେଶୀ ଆଶାଦୁର ଜମାନକୁ ଧରିବାକୁ ପୋଲିସ ଇଣ୍ଟରପୋଲ ବା ଅନ୍ୟ ଜାତୀୟ ଏଜେନ୍ସିର ସହଯୋଗ ନେଇପାରେ । ତାକୁ ଧରିବା ପାଇଁ ପୋଲିସର ଏକ ଟିମ ତନାଘନା ଚଳାଇଛି ।

ଭୂଆଁ ବୁଲାଇବାକୁ ନାନୋ ସିମ୍
କଟକରେ ମିଳିଥିବା ସିମ ବକ୍ସରେ ନାନୋ ସିମ ବ୍ୟବହାର ହେଉଥିଲା । ଏହି ସିମରେ RSN ନମ୍ବର ନଥିଲା । ଯାହାଫଳରେ ସହଜରେ ଭୂଆଁ ବୁଲାଯାଇପାରିବ । କାରଣ RSN ନମ୍ବର ଥିଲେ ସେଥିରୁ ଟେଲିକମ କମ୍ପାନି ମାଧ୍ୟମରେ ୧୦ ଟିକିଆ ମୋବାଇଲ ନମ୍ବର ଠାବ କରିବା ସହଜ ହୁଏ । ସେହି ନମ୍ବରରୁ କଲ୍ ଡିଟେଲ ଯାଞ୍ଚ ହୋଇଥାଏ ।
ପୋଲିସକୁ ଚକମା ପାଇଁ ସ୍ମାର୍ଟ ସ୍ବିଚ୍ ବ୍ୟବହାର
କଟକରେ ରେଡ୍ ବେଳେ ସାମ୍ନାକୁ ଆସିଛି ସ୍ମାର୍ଟ ସ୍ବିଚର ବ୍ୟବହାର ଘଟଣା । ଅଭିଯୁକ୍ତମାନେ ଏକ ସ୍ମାର୍ଟ ସ୍ବିଟ୍ ସକେଟ ବ୍ୟବହାର କରୁଥିଲେ । ସେଥିରେ ବି ଗୋଟିଏ ସିମ୍ ପଡିଥିଲା । ଏହାକୁ ମୋବାଇଲ ଜରିଆରେ ବାହାରୁ ଥାଇ ମନିଟର କରାଯାଉଥିଲା । ବିଦ୍ୟୁତ୍ ସପ୍ଲାଏ ବନ୍ଦ କରିବା କିମ୍ବା କେଉଁ ମେସିନ କାହା ପରେ ବୁଲାଇବା ପାଇଁ ସେହି ମେସିନରେ ସ୍ବିଚ୍ ବ୍ୟବହାର କରୁଥିଲା ।
ଇଟିଭି ଭାରତ, କଟକ ଓ ଭୁବନେଶ୍ବର