ଭୁବନେଶ୍ବର: ନିର୍ମାଣଧୀନ କୋଠାରୁ ଖସି ୨ ଶ୍ରମିକ ଗୁରୁତର । ଭୁବନେଶ୍ବରର ନୟାପଲ୍ଲୀ ଥାନା ଅଞ୍ଚଳରେ ୩ ମହଲା କୋଠା କାମ ଚାଲିଥିବା ବେଳେ ଅଘଟଣ ଘଟିଛି । ତେବେ ଗୁରୁତର ୨ ଶ୍ରମିକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିର୍ମାଣାଧୀନ କୋଠାଟି ଜଣେ ବିଧାୟକଙ୍କର ବୋଲି ଜଣାପଡ଼ିଛି ।
ସୂଚନା ମୁତାବକ, ନୟାପଲ୍ଲୀ ଥାନା ଅନ୍ତର୍ଗତ ଲକ୍ଷ୍ମୀମନ୍ଦିର କଡ଼ରେ ଜଣେ ବିଜେଡି ବିଧାୟକ ତିନି ମହଲା କୋଠାଘର ନିର୍ମାଣ କରୁଛନ୍ତି । ସେହି କୋଠାର ନିର୍ମାଣ କାର୍ଯ୍ୟ ଜଣେ ଠିକା ସଂସ୍ଥା ନିର୍ମାଣ କରୁଛି । ତେବେ ନିର୍ମାଣାଧୀନ କୋଠାରେ ଛାତ ପଡ଼ୁଥିବା ଗତକାଲି ସନ୍ଧ୍ୟା ୫ଟା ବେଳେ ୨ ଜଣ ଶ୍ରମିକ ଖସି ପଡ଼ିଥିଲେ । ସେମାନଙ୍କ ଉପରେ ପଟା ଓ କିଛି ବଲ୍ଲା ପଡିବାରୁ ଛାତି ଓ ଦେହରେ ଗଭୀର କ୍ଷତ ହୋଇଛି । ଏନେଇ ସେମାନଙ୍କୁ ତୁରନ୍ତ ଘଟଣାସ୍ଥଳରୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଥିଲା । କ୍ୟାପିଟାଲ ହସ୍ପିଟାଲରେରେ ଚିକିତ୍ସା କରାଯିବା ସହ ତାଙ୍କର ଯନ୍ତ୍ରଣା ଯୋଗୁଁ ତାଙ୍କର ହାଡ଼ ଭାଙ୍ଗିଥିବା ସନ୍ଦେହରେ ଏକ୍ସରେ ପାଇଁ ଡାକ୍ତର ନିର୍ଦ୍ଦେଶ ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ- ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକ ମୃତ, ପେଟପାଟଣା ଚିନ୍ତାରେ ପରିବାର
ଏହା ମଧ୍ୟ ପଢନ୍ତୁ - ଇଟାଭାଟିରେ ନିଆଁ ଲଗାଇ ଶୋଇଥିଲେ, ଶ୍ବାସରୁଦ୍ଧ ହୋଇ ଚାଲିଗଲା 3 ଜୀବନ
ଏହି ଘଟଣାକୁ ନେଇ ଜଣେ ଶ୍ରମିକଙ୍କ ପତ୍ନୀ ସ୍ବାମୀଙ୍କୁ ବଞ୍ଚାଇବାକୁ ଗୁହାରି କରିଛନ୍ତି । ଏପରିକି ତାଙ୍କର ଚିକିତ୍ସା କରିବାକୁ ସେ କହିଛନ୍ତି। ଅନ୍ୟପଟେ ଏନେଇ କଣ୍ଟ୍ରାକ୍ଟର ଶ୍ରମିକଙ୍କୁ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ପ୍ରକୃତରେ ସୁରକ୍ଷା ନିରାପତ୍ତା ଅଭାବରୁ ଏଭଳି ଅଘଟଣ ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି ।
ଗତବର୍ଷ ଏଭଳି ସେପ୍ଟେମ୍ବର ୨୯ରେ ଧଉଳି ଥାନା ଅଞ୍ଚଳର ରଘୁନାଥ ନଗରରେ ନିର୍ମାଣଧୀନ ସ୍ବରେଜ ଟାଙ୍କିରେ ଯାଇଥିଲା ଦୁଇ ଶ୍ରମିକଙ୍କ ଜୀବନ । ରାଜ୍ୟ ବାହାରୁ ପଶ୍ଚିମବଙ୍ଗରୁ ଆସିଥିବା ଦୁଇ ଶ୍ରମିକ ଅକାଳରେ ପ୍ରାଣ ହରାଇଥିଲେ । ଏନେଇ ପୋଲିସ ଖବରପାଇ ତଦନ୍ତ କରିଥିଲା । ଅନେକ ସମୟରେ ଶ୍ରମିକମାନେ ବିପଦପୂର୍ଣ୍ଣ ଭାବେ କାମ କରୁଥିବା ବେଳେ ଏ ଦିଗରେ କାମ କରୁଥିବା ସଂସ୍ଥା ହେଉ ବା କଣ୍ଟ୍ରାକ୍ଟର କୌଣସି ପଦକ୍ଷେପ ନେଉନାହାନ୍ତି । ସହାୟତା ରାଶି ନଥିବାରୁ ଦୈନିକ ମଜୁରିଆ ଭାବେ ଖଟୁଥିବାରୁ ନିରିହ ଶ୍ରମିକ ଏପରି ଶିକାର ହେଉଛନ୍ତି । ଏନେଇ ଶ୍ରମ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ ।
ଇଟିଭି ଭାରତ, ଭୁବନେଶ୍ବର