ଭବାନୀପାଟଣା/କନ୍ଧମାଳ: କଳାହାଣ୍ଡି ଜିଲ୍ଲା ଢେପଗୁଡାଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକକୁ ଧକ୍କା ଦେଇ ଓଲଟିଲା କଣ୍ଟେନର । ଦୁର୍ଘଟଣାରେ ୨ ବାଇକ ଆରୋହୀ ମୃତ । ଭବାନୀପାଟଣା ଓ ବିଶାଖାପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା । ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ, ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ବିଶ୍ଵନାଥପୁର ଥାନା ପୋଖରୀ ବନ୍ଧ ଗାଁର ଅରୁଣ ଧଙ୍ଗଡା ମାଝୀ ଏବଂ ପଦ୍ମଲୋଚନ ପାତ୍ର ଗୋରକେଲକୁ ମିସ୍ତ୍ରୀ କାମ କରିବାକୁ ବାଇକ ଯୋଗେ ଯାଉଥିଲେ । ସେହି ସମୟରେ ଢେପଗୁଡାଠାରେ ରାୟଗଡ଼ା ପଟୁ ଦ୍ରୁତ ଗତିରେ ଆସୁଥିବା କଣ୍ଟେନରଟି ପ୍ରଥମେ ଦୁଇ ବାଇକ୍ ଆରୋହୀଙ୍କ ଧକ୍କା ଦେବା ସହ ଓଲଟି ପଡ଼ିଥିଲା । ଫଳରେଘଟଣା ସ୍ଥଳରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ମାରିଛି। ଏନେଇ ଖବରପାଇ ଘଟଣାସ୍ଥଳରେ ବିଶ୍ଵନଥପୁର୍ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କ୍ଷତିପୂରଣ ଦାବିରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ସେହିପରି ଆଜି(ସୋମବାର) ସକାଳେ କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା କେରେଡ଼ି ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଶିଶପାଙ୍ଗା ଗାଁର ଯୁଗଳ ପ୍ରଧାନ ବୋଲି ଜଣାପଡିଛି । ସେ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ନେଇ ନିଜ ଗାଁରୁ ଫୁଲବାଣୀ ଅଭିମୁଖେ ଯାଉଥିବା ବେଳେ, ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ- ପଥଚାରୀକୁ ପିଟିଲା ମୋ ବସ: ଗାଡି ଭାଙ୍ଗିଲେ ଉତ୍ୟକ୍ତ ଲୋକେ, ଘଣ୍ଟାଏ ଧରି ରାସ୍ତା ଜାମ
ସେହି ସମୟରେ ବିପରୀତ ଦିଗରୁ ଦ୍ରୁତଗତିରେ ଅସୁଥୁବା ଏକ କାର୍ କେରେଡ଼ି ଗ୍ରାମ ନିକଟରେ ମୁହାଁମୁହିଁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସେନା କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକରେ ବସିଥିବା ଅନ୍ୟଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ଘଟାଇଥିବା କାରଟି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହରର ବୋଲି ଜଣା ପଡିଥିବା ବେଳେ ଏହି ଦୁର୍ଘଟଣାରେ କାରର ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି । ଅନ୍ୟପଟେ ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଏହି ଦୁର୍ଘଟଣାକୁ ନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।
ଇଟିଭି ଭାରତ, କଳାହାଣ୍ଡି/ କନ୍ଧମାଳ