ସମ୍ବଲପୁର: ଜିଲ୍ଲାର ଧନୁପାଲି ଥାନା ଅନ୍ତର୍ଗତ ପୁଟିବନ୍ଦ ସ୍ଥିତ ନେତାଜୀ ନଗରରେ "ଆଦର୍ଶ ଶିଶୁ ମନ୍ଦିର" ଦ୍ୱାରା ପରିଚାଳିତ ମାନସିକ ଅନଗ୍ରସର ଥଇଥାନ କେନ୍ଦ୍ର "ସମର୍ଥ"ରେ ଅନ୍ତେବାସୀଙ୍କୁ ନିର୍ଯାତନା ଏବଂ ମାଡ଼ପିଟ ଘଟଣାରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି l ଅନୁଷ୍ଠାନର ସେକ୍ରେଟାରୀ ଅଭିଯୁକ୍ତ ହରିଶ୍ଚନ୍ଦ୍ର ଦାସ ଓ ମହିଳା କେୟାର ଟେକର ସ୍ୱାଗତିକା ପ୍ରଧାନଙ୍କୁ ଗିରଫ କରାଯାଇଥିବା ବେଳେ ଏନଜିଓକୁ ବ୍ଲାକ ଲିଷ୍ଟ କରିବା ସହ ପଞ୍ଜିକରଣକୁ ରବ୍ଦ କରିବାକୁ ପ୍ରକ୍ରିୟା ଆରମ୍ଭ କରାଯାଇଛି ।
ସମ୍ବଲପୁର ଜିଲ୍ଲାପାଳଙ୍କ ପ୍ରତିକ୍ରିୟା :
ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦାର କହିଛନ୍ତି, "ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଦେଖିବା ପରେ ତୁରନ୍ତ ସେଠାକୁ ଏକ ଟିମ ପଠାଯାଇଥିଲା l ଆଦର୍ଶ ଶିଶୁ ମନ୍ଦିର ନାମକ ଏକ ଏନଜିଓ ଦ୍ୱାରା ପରିଚାଳିତ "ସମର୍ଥ" ଥଇଥାନ ଅନୁଷ୍ଠାନରେ ନିର୍ଯାତନା ଦିଆଯାଉଥିଲା l ଭିଡିଓ ଓ ତଦନ୍ତ ଆଧାରରେ ସେ ଲୋକମାନଙ୍କ ବିରୋଧରେ ଏତଲା ଦିଆଯାଇ ସେମାନଙ୍କୁ ଗିରଫ କରାଯାଇଛି । ଏନଜିଓକୁ ବ୍ଲାକ ଲିଷ୍ଟ କରିବାକୁ ଏବଂ ପଞ୍ଜିକରଣ ବାତିଲ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ୭ ଦିନ ମଧ୍ୟରେ ସେଠାରେ ଥିବା ଅନ୍ତେବାସୀମାନଙ୍କୁ ଅନ୍ୟତ୍ର ଥଇଥାନ କରାଯିବ । ସେ ନେଇ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଆଉ ମଧ୍ୟ ବରିଷ୍ଠ ଅଧିକାରୀଙ୍କୁ ଏନେଇ ଏକ ଟିମ ଗଠନ କରାଯାଇଛି, ସେହି ଟିମ ଏହାର ଫୁଙ୍ଖାନୁଫୁଙ୍ଖ ତଦନ୍ତ କରିବେ l ସେହି ରିପୋର୍ଟ ଆସିବା ପରେ ରିପୋର୍ଟକୁ ଆଧାର କରି ସେକ୍ରେଟାରୀ ଓ ଅନ୍ୟ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ l "
କଣ ଥିଲା ପୂରା ଘଟଣା :
ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅନ୍ତର୍ଗତ ପୁଟିବନ୍ଦ ସ୍ଥିତ ନେତାଜୀ ନଗରରେ ଆଦର୍ଶ ଶିଶୁ ମନ୍ଦିର ଦ୍ୱାରା ପରିଚାଳିତ ମାନସିକ ଅନଗ୍ରସର ଥଇଥାନ କେନ୍ଦ୍ର "ସମର୍ଥ"ରେ ପାଖାପାଖି ୩୦ରୁ ଅଧିକ ଅନ୍ତେବାସୀ ରହୁଥିଲେ । ସେଠାରେ ସେମାନଙ୍କୁ ଅକଥନୀୟ ଶାରୀରିକ ତଥା ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଜଣେ ପୂର୍ବତନ ମହିଳା କର୍ମଚାରୀ ଲିପିକା ଦର୍ଜୀ ମଧ୍ୟ 'ସମର୍ଥ'ରେ ହେଉଥିବା ଏହି ଅନ୍ୟାୟକୁ ନେଇ ସାଂଘାତିକ ଅଭିଯୋଗ ଆଣିଥିଲେ । ଅଭିଯୋଗ ଓ ସୋସିଆଲ ମିଡିଆରେ ଭିଡିଓକୁ ଆଧାର କରି ଧନୁପାଲି ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମର୍ଥ ଆଶ୍ରମରେ ଚଢାଉ କରାଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଲୋକଲୋଚନକୁ ଆଣିଥିଲେ 'ସମର୍ଥ' ଅନୁଷ୍ଠାନର ଜଣେ ପୂର୍ବତନ ମହିଳା କେୟାର ଟେକର ଲିପିକା ଦର୍ଜୀ l ତାଙ୍କ ଘର ଟିଟଲାଗଡ଼ ହୋଇଥିବା ବେଳେ ସେ ଏଠାରେ ମାତ୍ର 18 ଦିନ କାର୍ଯ୍ୟ କରିଥିଲେ l ଲିପିକା କହିଛନ୍ତି, "ସେଠାରେ ଲୋକମାନଙ୍କୁ ମାରପିଟ କରାଯାଉଥିଲା । ଭଲରେ ଖାଇବା ଦିଆ ଯାଉନଥିଲା । ଭଲରେ ମେଡିସିନ ମଧ୍ୟ ଦିଆ ଯାଉନଥିଲା l ଯେଉଁ ନିଦ ଔଷଧ ଦିଆ ଯାଉଥିଲା ସେଥିରେ ସେମାନେ ବହୁତ ଦୁର୍ବଳ ହୋଇ ଯାଉଥିଲେ । କାରଣ ଭଲରେ ଖାଇବା ଦିଆ ଯାଉନଥିଲା । ସେମାନଙ୍କ ସହ ବହୁତ ଖରାପ ବ୍ୟବହାର କରାଯାଉଥିଲା l ମହିଳାମାନଙ୍କ ସହ ବହୁତ ଅସଦାଚରଣ ହେଉଥିଲା, ସେମାନଙ୍କୁ ଦ୍ବିଅର୍ଥବୋଧକ କଥା ମଧ୍ୟ କୁହା ଯାଉଥିଲା l"
ଲିପିକା ଦର୍ଜୀ କହିଛନ୍ତି " ଏହି 18 ଦିନରେ ଅନ୍ତେବାସୀଙ୍କ ଏହି ଅବସ୍ଥା ଦେଖି ଏଠି କାମ କରି ପାରିନଥିଲି l ଏହି ଅନ୍ତେବାସୀଙ୍କୁ ଅକଥନୀୟ ନିର୍ଯାତନାରୁ ମୁକ୍ତ କରିବାକୁ ଭାବିଥିଲି l ସେଥିପାଇଁ ପ୍ରଥମେ ଏହି ସବୁ ଘଟଣାର ପ୍ରମାଣ ସ୍ୱରୂପ ଭିଡିଓ ସଂଗ୍ରହ କରିଥିଲି l ଏହି ସମୟରେ ଜୀବନ ପ୍ରତି ଭୟ ମଧ୍ୟ ରହିଥିଲା l ତେବେ ସାହାସିକତାର ସହ ଭିଡିଓ ସୁଟ କରିଥିଲି ଓ ଅନ୍ୟ ଏକ ସ୍ଥାନରେ ଚାକିରି ଟିଏ ଖୋଜିଥିଲି l ଅନ୍ୟ ଏକ ଫାଇନାନ୍ସ କମ୍ପାନୀରେ ଚାକିରି ମିଳିବା ପରେ ଏଠାରୁ ଚାକିରି ଛାଡି ଦେଇଥିଲି l"
ଲିପିକା ଦର୍ଜୀ ଆହୁରି ମଧ୍ୟ କହିଛନ୍ତି ଯେ " ଗତ କିଛି ଦିନ ତଳେ ସମ୍ବଲପୁର ଜେଲରୁ ବାହାରିଥିବା କଏଦୀ ଜାବିର ସତ୍ତାରଙ୍କୁ ମଧ୍ୟ ଥଇଥାନ କେନ୍ଦ୍ରରେ ମାଡ ମରାଯାଇଥିଲା । ସେ ଶାନ୍ତ ସ୍ୱଭାବର ହୋଇଥିଲେ ମଧ୍ୟ ସ୍ଵାଗତିକା ପ୍ରଧାନଙ୍କ ସହ ତାଙ୍କର କଣ ସମସ୍ୟା ଥିଲା କେଜାଣି ତାଙ୍କୁ ସେ ବହୁତ ମାଡ଼ ମାରୁଥିଲେ l " ଥରେ ସେ ଚାଲୁ ଚାଲୁ ପଡି ଯାଇଥିଲେ, ଆଉ ପଡ଼ିଥିବା ଅବସ୍ଥାରେ ତାଙ୍କୁ ବହୁତ ମାଡ଼ ମରାଯାଇଥିଲା ବୋଲି କହିଛନ୍ତି ଲିପିକା ଦର୍ଜୀ ।
ଏହାମଧ୍ୟ ପଢନ୍ତୁ... ଥଇଥାନ କେନ୍ଦ୍ରରେ ଅନ୍ତେବାସୀଙ୍କୁ ନିର୍ଯାତନା ଅଭିଯୋଗ, ପୋଲିସ ଚଢ଼ାଉ ଜେଲରୁ ମୁକ୍ତ ହୋଇ ସୁଦ୍ଧା ଘରଠୁ ଦୂରରେ, ଠିକଣା ହଜାଇଥିବା ଜଣେ ବନ୍ଦୀର କାହାଣୀ... |
ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଥବୀର ମହାନନ୍ଦ କହିଛନ୍ତି, "ଗଣମାଧ୍ୟମ ଜରିଆରେ ଆମେ ଜାଣିଲୁ ଯେ 'ସମର୍ଥ' ଅନୁଷ୍ଠାନର ସେକ୍ରେଟାରୀ ଅନ୍ତେବାସୀଙ୍କୁ ମାଡପିଟ କରିଛନ୍ତି ବୋଲି । ତାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅନୁସନ୍ଧାନ ଆରମ୍ଭ କରିଥିଲୁ l ଅନ୍ତେବାସୀମାନଙ୍କୁ ମାରପିଟ ହେଉଥିବା ନେଇ ସେମାନେ କହିବା ପରେ ସେକ୍ରେଟାରୀ ନାଁରେ ଏତଲା ଦେଇଥିଲୁ l ଏହି ସଂସ୍ଥାଟି 2019ରୁ ସେଠାରେ ଚାଲୁଥିଲା ତେବେ 2023ରୁ ସରକାରୀ ଗ୍ରାଣ୍ଟ ପାଇ ଆସୁଥିଲା l ମୁଁ ସେଠାକୁ 3 ଥର ନିତ୍ୟ ପରିଦର୍ଶନରେ ଯାଇଥିଲି । ସେଠାରେ ଅପରିଷ୍କାର ପରିବେଶ ଥିଲା । ସେହି ହିସାବରେ ସରକାରଙ୍କୁ ପୂର୍ବରୁ ରିପୋର୍ଟ ଦିଆଯାଇଥିଲା, ରିପୋର୍ଟ ଆଧାରରେ ସରକାର ତାଙ୍କର ଗ୍ରାଣ୍ଟ ବନ୍ଦ କରି ଦେଇଥିଲେ l ସେହି ଅନୁଷ୍ଠାନ ବର୍ଷକୁ 24 ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ପାଉଥିଲା l "