ହାଇଦ୍ରାବାଦ: ଯୁବ କ୍ରିକେଟରଙ୍କ ଐତିହାସିକ କାରନାମା । ଗୋଟିଏ ଓଭରରେ ମାରିଲେ 6 ଛକା । ଅର୍ଥାତ 6 ବଲରେ 6 ଛକା ମାରି ଚର୍ଚ୍ଚାକୁ ଆସିଛନ୍ତି ଆନ୍ଧ୍ର ପ୍ରଦେଶର ବିସ୍ଫୋରକ ବ୍ୟାଟର ବାମସୀ କ୍ରିଷ୍ଣା । ଜାରି ରହିଥିବା 23 ବର୍ଷରୁ କମ କର୍ଣ୍ଣେଲ ସିକେ ନାଇଡୁ ଟ୍ରଫିରେ ଏଭଳି ବିସ୍ଫୋରକ ବ୍ୟାଟିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଏହି ଯୁବ ବ୍ୟାଟର । କେବଳ 22 ବର୍ଷ ବୟସରେ ସେ ପୂର୍ବତନ କିମ୍ବଦନ୍ତୀ କ୍ରିକେଟର ରବି ଶାସ୍ତ୍ରୀ ଓ ଯୁବରାଜ ସିଂହଙ୍କ ସମକକ୍ଷ ହୋଇଛନ୍ତି । ଗୋଟିଏ ଓଭରରେ 6 ଛକା ମାରିବାରେ ସେ 4ର୍ଥ ଭାରତୀୟ ବ୍ୟାଟର ହୋଇଛନ୍ତି । କ୍ରିଷ୍ଣାଙ୍କ ପୂର୍ବରୁ ଯୁବ ଭାରତୀୟ ବ୍ୟାଟର ଋତୁରାଜ ଗାଏକୱାଡ ମଧ୍ୟ ଏହି କାରନାମା କରିଛନ୍ତି ।
23 ବର୍ଷରୁ କମ ସିକେ ନାଇଡୁ ଟ୍ରଫିରେ ଗତକାଲି ଆନ୍ଧ୍ର ପ୍ରଦେଶ ଓ ରେଲୱେ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିଲା ଆନ୍ଧ୍ର । ଦଳର ଓପନର ବାମସୀ କ୍ରିଷ୍ଣା ରେଲୱେର ସ୍ପିନର ଦମନଦୀପ ସିଂହଙ୍କ ଗୋଟିଏ ଓଭରରେ ଲଗାତାର 6ଟି ଛକା ମାରିଥିଲେ । ଏହି ମ୍ୟାଚ୍ରେ ସେ କେବଳ 64 ବଲରୁ ଟି20 ଷ୍ଟାଇଲରେ ବ୍ୟାଟିଂ କରି 110 ରନର ବିସ୍ଫୋରକ ଶତକୀୟ ପାଳି ଖେଳିଥିଲେ । ତାଙ୍କର ଏଭଳି ଧୂଆଁଧାର ବ୍ୟାଟିଂ ବଳରେ ଆନ୍ଧ୍ର ପ୍ରଦେଶ ପ୍ରଥମେ ବ୍ୟାଟିଂ କରି 378 ରନର ସ୍କୋର କରିଥିଲା । ତେବେ ବାମସୀଙ୍କ ପୂର୍ବରୁ ରବି ଶାସ୍ତ୍ରୀ 1985ରେ, ଯୁବରାଜ ସିଂହ 2007ରେ ଏବଂ ଋତୁରାଜ ଗାଏକୱାଡ 2022ରେ ଏହି କାରନାମା କରିସାରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ରାଜକୋଟ ଟେଷ୍ଟ: ସ୍ପିନ ଆଟାକ୍ରେ ଇଂଲଣ୍ଡ ଘାଇଲା, 434 ରନ୍ରେ ଭାରତର ବୃହତ ବିଜୟ
ତେବେ ଆନ୍ଧ୍ରର ବିଶାଳ 378 ରନର ରେଲୱେ ମଧ୍ୟ କଡ଼ା ଜବାବ ଦେଇଛି । ପ୍ରଥମେ ବ୍ୟାଟିଂ କରି ଦଳ 9 ୱିକେଟ୍ ବିନିମୟରେ 865 ରନ ହାସଲ କରିବା ସହ ଆନ୍ଧ୍ର ବିପକ୍ଷରେ 487 ରନର ଆଗ୍ରଣୀ ହାସଲ କରିଛି । ଦଳ ପକ୍ଷରୁ ଓପନର ଅଂଶ ଯାଦବ 268 ରନ କରିଥିବାବେଳେ ରବି ସିଂହ 258 ରନ ସଂଗ୍ରହ କରିଛନ୍ତି । ସେହିଭଳି ଅଞ୍ଚିତ ଯାଦବ ମଧ୍ୟ 133 ରନର ବିସ୍ଫୋରକ ପାଳି ଖେଳିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବସ୍ତରୀୟ ହେବ ବାରବାଟୀ: 3ବର୍ଷରେ ସରିବ କାମ, 60 ହଜାରକୁ ବଢ଼ିବ ସିଟ୍ ସଂଖ୍ୟା
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ