ମୁମ୍ବାଇ: ଭାରତ ଓ ଇଂଲଣ୍ଡ ମଧ୍ୟରେ ବାକି ଥିବା 3ଟି ଟେଷ୍ଟ ପାଇଁ ଦଳ ଘୋଷଣା ହୋଇସାରିଛି । 1-1ରେ ବରାବର ଥିବା ଟେଷ୍ଟ ସିରିଜ୍ର 3ୟ ମ୍ୟାଚ୍ ଆସନ୍ତା 15ରୁ ଖେଳାଯିବ । ରାଜକୋଟରେ ମୁହାଁମୁହିଁ ହେବେ ଦୁଇ ଦଳ । ତେବେ ବିରାଟ କୋହଲି ଓ ଶ୍ରେୟସ ଆୟର ଆଗମୀ 3 ମ୍ୟାଚ୍ ପାଇଁ ଦଳରୁ ବାଦ ପଡ଼ିବା ପରେ କୋହଲିଙ୍କ ସ୍ଥାନରେ ରଜତ ପଟିଦାର ନିଜର ସ୍ଥାନ ବଜାୟ ରଖିଛନ୍ତି । ସେପଟେ ଅଭେଶ ଖାନଙ୍କୁ ରିଲିଜ କରାଯାଇ ଦଳରେ ଆଉ ଜଣେ ପେସ ବୋଲରଙ୍କୁ ସ୍ଥାନ ମିଳିଛି । ସେ ହେଉଛନ୍ତି ଆକାଶ ଦୀପ । ତେବେ କିଏ ଏହି ପେସ୍ ବୋଲର ଓ କଣ ରହିଛି ତାଙ୍କ ଅଭିଜ୍ଞତା ଜାଣନ୍ତୁ...
ଜାତୀୟ ଦଳରେ କେବେ ସ୍ଥାନ ପାଇନଥିଲେ ହେଁ 27 ବର୍ଷୀୟ ଆକାଶ ଦୀପ ଘରୋଇ କ୍ରିକେଟ୍ରେ ବେଶ ପରିଚିତ । ବିଶ୍ବର ସବୁଠାରୁ ବଡ଼ ଘରୋଇ ପ୍ରିମିୟର ଲିଗ୍ ଭାବେ ପରିଚିତ ଆଇପିଏଲ୍ରେ ସେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳୁଛନ୍ତି । ତାଙ୍କର ପ୍ରଥମ ଶ୍ରେଣୀ ରେକର୍ଡ ଉପରେ ନଜର ପକାଇଲେ ସେ 29ଟି ଫାଷ୍ଟ କ୍ଲାସ୍ ମ୍ୟାଚ୍ ଖେଳି 103 ୱିକେଟ୍ ଅକ୍ତିଆର କରିଛନ୍ତି । ସେ 4 ଥର 5 ୱିକେଟ୍ ସଫଳତା ମଧ୍ୟ ସାଉଁଟିଛନ୍ତି । ଏପରିକି ଗୋଟିଏ ଫାଷ୍ଟ କ୍ଲାସ୍ ମ୍ୟାଚ୍ରେ ସେ 10 ୱିକେଟ୍ ମଧ୍ୟ ହାସଲ କରିଥିଲେ । ଲିଷ୍ଟ ଏ ମ୍ୟାଚ୍ ଆକାଶ 24.50 ହାରରେ 42 ୱିକେଟ୍ ହାସଲ କରିଛନ୍ତି । ଏହା ବ୍ୟତୀତ ସେ 41 ଟି20 ମ୍ୟାଚ୍ ଖେଳି 48 ୱିକେଟ୍ ମଧ୍ୟ ଅକ୍ତିଆର କରିଛନ୍ତି । ତେବେ ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମ୍ରାଙ୍କ ଭଳି ଅଭିଜ୍ଞ ପେସର ଦଳ ସହ ଥିବାରୁ ଆକାଶଙ୍କୁ ସୁଯୋଗ ମିଳୁଛି କି ନାହିଁ, ତାହା ଦେଖିବାକୁ ବାକି ରହିଲା ।
ଏହା ମଧ୍ୟ ପଢ଼ନ୍ତୁ...ଶେଷ 3 ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା, ଖେଳିବେନି କୋହଲି
ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଜଶପ୍ରୀତ ବୁମରା (ଉପଅଧିନାୟକ), ଯଶସ୍ବୀ ଜୈଶ୍ବାଲ, ଶୁବମନ ଗିଲ, କେଏଲ ରାହୁଲ, ରଜତ ପଟିଦାର, ଶର୍ଫରାଜ ଖାନ, ଧ୍ରୁବ ଜୁରେଲ (ୱିକେଟ କିପର), କେଏସ ଭରତ (ୱିକେଟ କିପର), ରବିଚନ୍ଦ୍ର ଅଶ୍ବୀନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ , ଓ୍ବାସିଂଟନ ସୁନ୍ଦର, କୁଳଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର ଓ ଆକାଶ ଦୀପ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ