ଡେରାଡୁନ (ଉତ୍ତରାଖଣ୍ଡ): ପ୍ୟାରିସ ଅଲିମ୍ପିକ୍ସରେ ଭାରତ ଏପର୍ଯ୍ୟନ୍ତ 3ଟି ପଦକ ଜିତିଛି । ଏଥର ଭାରତୀୟ ସୁଟରମାନେ ପ୍ୟାରିସ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ମନୁ ଭାକର ପ୍ରଥମେ ପ୍ୟାରିସ ଅଲିମ୍ପିକ୍ସରେ ଶୁଟିଂରେ ବ୍ରୋଞ୍ଜ ପଦକ ଜିତି ଭାରତର ମେଡାଲ ଆକାଉଣ୍ଟ ଖୋଲିଥିଲେ । ଏହାପରେ ମନୁ ଭାକର ଏବଂ ସରବଜୋତ ସିଂହ 10 ମିଟର ଏୟାର ପିସ୍ତଲ ମିଶ୍ରିତ ବର୍ଗରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଏହି ଦୁଇ ସୁଟର ବ୍ରୋଞ୍ଜ ପଦକ ଜିତି ଭାରତକୁ ଦ୍ବିତୀୟ ପଦକ ଦେଇଥିଲେ । ପ୍ୟାରିସ୍ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରିବା ପରେ ଭାରତକୁ ଫେରିଥିବା ସଫଳ ସୁଟର ସରବଜୋତ ସିଂହଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଏହାପରେ ଆଜି ସରବଜୋତ ସିଂହ ଡେରାଡୁନରେ ପହଞ୍ଚିଥିଲେ । ଏଠାରେ ‘ଇଟିଭି ଭରତ’ ଉତ୍ତରାଖଣ୍ଡର ବ୍ୟୁରୋ ଚିଫ୍ କିରଣକାନ୍ତ ଶର୍ମା ସରବଜୋତ ସିଂହଙ୍କ ସହ ଏକ ସ୍ବତନ୍ତ୍ର ବାର୍ତ୍ତାଳାପ କରିଥିଲେ । ଏହି ବାର୍ତ୍ତାଳାପରେ ସରବଜୋତ ନିଜ ସଫଳ ଯାତ୍ରା ବିଷୟରେ ମନ ଖୋଲି କହିଛନ୍ତି । ଭବିଷ୍ୟତ ପାଇଁ ସେ କରିଥିବା ଯୋଜନା ବିଷୟରେ ମଧ୍ୟ କହିଛନ୍ତି ।
- ମେଡାଲ ପାଇଁ 8 ବର୍ଷ ଝାଳ ବୁହାଇଥିଲେ ସରବଜୋତ:
ଅଲିମ୍ପିକ୍ସରେ ପଦକ ବ୍ରୋଞ୍ଜ ପଦକ ହାସଲ କରିଥିଲେ ମଧ୍ୟ ସେଥିରେ ସନ୍ତୁଷ୍ଟ ନାହାନ୍ତି ସରବଜୋତ । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଲକ୍ଷ୍ୟ ହାସଲ ହୋଇନଥିବା ସେ କହିଛନ୍ତି । ଅଲିମ୍ପିକ୍ସ ପାଇଁ ସେ ଦୀର୍ଘ 8ବର୍ଷ ହେଲା ପ୍ରସ୍ତୁତି ଚଳାଇଥିଲେ । ସେ କହିଛନ୍ତି ଯେ, ବିଶ୍ବସ୍ତରରେ ଭାରତକୁ ପ୍ରତିନିଧିତ୍ୱ କରିବା ମୋର ସ୍ୱପ୍ନ ଥିଲା । ଯେତେବେଳେ ସେ ରେଞ୍ଜରେ ପହଞ୍ଚିଲେ ସେତେବେଳେ ପଦକ ଜିତିବାର ଚିନ୍ତା ତାଙ୍କ ମନକୁ ଆସି ନଥିଲା । ସେ କେବଳ ତାଙ୍କ ଖେଳ ଉପରେ ଧ୍ୟାନ ଦେଉଥିଲେ । ଖେଳ ଆରମ୍ଭ ସମୟରେ କିଛି ସମସ୍ୟାର ସମ୍ମୁଖୀନ ହୋଇଥିଲେ, କିନ୍ତୁ ନିରନ୍ତର ପରିଶ୍ରମ ଏବଂ ଏକାଗ୍ରତା ହେତୁ ଧୀରେ ଧୀରେ ସବୁକିଛି ସ୍ୱାଭାବିକ ହୋଇଯାଇଥିବା ସେ କହିଛନ୍ତି ।
- ସରବଜୋତଙ୍କ ପରବର୍ତ୍ତୀ ଲକ୍ଷ୍ୟ କଣ ?:
ସ୍କୁଲ ସମୟରେ ସରବଜୋତ ଫୁଟବଲ ଖେଳିବାକୁ ଚାହୁଁଥିଲେ । ଏହାପରେ ସେ ସୁଟିଂ ପ୍ରତି ମନ ବଳାଇଥିଲେ । ସରବଜୋତ କହିଛନ୍ତି,''ସ୍କୁଲ ସମନୟରେ ସୁଟିଂ ଅଭ୍ୟାସ କରିବା ସହ ଟୁର୍ଣ୍ଣାମେଣ୍ଟ ଖେଳବା ଆରମ୍ଭ କରିଥିଲି । ଯେଉଁଥିରେ ମେଡାଲ ମଧ୍ୟ ହାସଲ କରିଥିଲେ । ଏହାପରେ ମୁଁ ଆଉ ଅଟକି ନଥିଲି । ପ୍ରତ୍ୟେକ ଖେଳାଳିଙ୍କ ସ୍ୱପ୍ନ ବିଶ୍ବସ୍ତରରେ ଭାରତ ପାଇଁ ଖେଳିବା ଓ ଦେଶର ନାମକୁ ଗର୍ବିତ କରାଇବା । ଭାରତ ପାଇଁ ଖେଳିବାକୁ ମୁଁ କଠିନ ତାଲିମ ସହ କଠିନ ପରିଶ୍ରମ ଥିଲି । ଦେଶ ପାଇଁ କିଛି କରିବାର ସ୍ବପ୍ନ ମୋର ଥିଲା । ଯାହା ମୁଁ ଖେଳ ମାଧ୍ୟମରେ କରିବାକୁ ଚାହୁଁଥିଲି । ବର୍ତ୍ତମାନ ପରିବାର ସହ କିଛି ସମୟ ବିତାଇବି । ଏହାପରେ ମୁଁ ଖେଳ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେବି । ଏବେ ଫୋକସରେ ରହିଛି 2028 ଅଲିମ୍ପିକ୍ସ । କିପରି ସ୍ବର୍ଣ୍ଣ ପଦକ ହାସଲ କରିବା ତାହା ମୋର ଲକ୍ଷ୍ୟ । ''
- ସଫଳତା ପଛରେ ସରବଜୋତଙ୍କ ଡାଏରୀ:
ସରବଜୋତଙ୍କ ଅଲିମ୍ପିକ୍ସ ପଦକ ହାସଲ କରିବା ପଛରେ ତାଙ୍କ ଡାଏରୀର ଭୂମିକା ରହିଛି । ଦୀର୍ଘ 8ବର୍ଷ ହେଲା ସେ ଏକ ‘ଡାଏରୀ’ ମେଣ୍ଟେନ କରୁଛନ୍ତି । ଯେଉଁଥିରେ ସେ ତାଙ୍କ ଦୈନନ୍ଦିନ ଜୀବନରେ ୟାହାବି ଘରେ ତାହା ଉଲ୍ଲେଖ କରନ୍ତି । ନିଜର ସଫଳତା ଓ ବିଫଳତା ବିଷୟରେ ଲେଖନ୍ତି । ଖେଳ ସମୟରେ କେଉଁଠି କମି ରହିଲା ତାହା ମଧ୍ୟ ଲେଖନ୍ତି । ଲେଖାକୁ ଡାଏରୀରେ ଦେଖି ସେ ତାଙ୍କ କମିକୁ ପୁରା କରିବାରେ ଲାଗିପଡନ୍ତି ।
- ଅନ୍ୟ ଖେଳାଳିଙ୍କୁ ସଫଳତାର ମନ୍ତ୍ର ଦେଲେ ସରବଜୋତ:
ସେ କହିଛନ୍ତି,‘‘ଅନେକ ଖେଳାଳି ଭାବନ୍ତି ଯେ ପ୍ରତି ଦିନ କିଛି ନୂଆ ଘଟୁନାହିଁ କି ସେମାନେ ଆଗକୁ ଯିବାର ସୁଯୋଗ ପାଉନାହାନ୍ତି । କିନ୍ତୁ ମୁଁ ଏପରି ଭାବେ ନାହିଁ, ପ୍ରତିଦିନକୁ ମୁଁ ଉପଭୋଗ କରେ, ପ୍ରତିଦିନ ଶିଖିବାକୁ ଚେଷ୍ଟା କରେ । ଯାହାର ପ୍ରତିଫଳନ ପ୍ୟାରିସରେ ହେଲା । ଜଣେ ଖେଳାଳି ହେବାକୁ ହେଲେ ପଛକୁ ଚାହିଁବା ଆବଶ୍ୟକ ନାହିଁ । ଗୋଟିଏ ଖେଳାଳି କେବେ ଅଟକିବା ଆବଶ୍ୟକ ନୁହଁ । ଯଦି କୌଣସି ଖେଳାଳି ଖେଳିବା ସମୟରେ ଭାବୁଛନ୍ତି ଯେ ସେ ସକ୍ଷମ ନୁହଁନ୍ତି ସେ ସମୟରେ ସେ ବାରମ୍ବାର ଅଭ୍ୟାସ ଜାରି ରଖନ୍ତୁ । ପରିଶ୍ରମ ହିଁ ସଫଳତାର ମୂଳ ମନ୍ତ୍ର ।’’
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ