ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀ ହୋଇଯାଆନ୍ତୁ ପ୍ରସ୍ତୁତ । ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଆଇପିଏଲ ସିଜିନ 17 । ଫଟାଫଟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ହେବ ଛକା ଓ ଚୌକା ବର୍ଷା। ଦର୍ଶକଙ୍କ କରତାଳି ଓ ହୋହଲ୍ଲାରେ କମ୍ପିବ ଷ୍ଟାଡିୟମ । ଆସନ୍ତା ମାର୍ଚ୍ଚମାସରେ ଆଇପିଏଲ ଆରମ୍ଭ ହେବା ନେଇ ପ୍ରସ୍ତୁତ ଚଳାଇଛି ବିସିସିଆଇ । ମାର୍ଚ୍ଚ 22ରୁ ଆରମ୍ଭ ହୋଇ ମେ 26 ତାରିଖରେ ଆଇପିଏଲ ଶେଷ ହୋଇପାରେ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି ।
ଏହା ମଧ୍ୟ ପଢନ୍ତୁ- IPL ନିଲାମୀ ପାଇଁ 333 ଖେଳାଳିଙ୍କ ତାଲିକା ଜାରି କଲା BCCI
କ୍ରିକବୁଜ୍ ରିପୋର୍ଟ କରିଛି ଯେ, ବିସିସିଆଇ ମହିଳା ପ୍ରିମିୟର ଲିଗ୍ କାର୍ଯ୍ୟସୂଚୀ ନେଇ ଆଲୋଚନା କରିଛି । ଫେବ୍ରୁୃଆରୀ 22 ରୁ ମାର୍ଚ୍ଚ 17 ପର୍ଯ୍ୟନ୍ତ ଚାଲିବ ଡବ୍ଲୁପିଏଲ । ଆଇପିଏଲ କେବେଠାରୁ ଆରମ୍ଭ ହେବ ସେନେଇ କିଛି ଆଲୋଚନା ହୋଇନାହିଁ । ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ତାହା ସ୍ପଷ୍ଟ ହୋଇଯିବ । ଆଶା କରାଯାଉଛି ଯେ ମାର୍ଚ୍ଚ 22ରୁ ମେ 26 ପର୍ଯ୍ୟନ୍ତ ଆଇପିଏଲ ଖେଳାଯାଇପାରେ । ଭାରତରେ ସମସ୍ତ ମ୍ୟାଚ ଖେଳାଯିବା ନେଇ ବିସିସିଆଇ ଯୋଜନା କରୁଛି । ଆଇପିଏଲରେ ବହୁ ବିଦେଶ ଖେଳାଳି ମଧ୍ୟ ସାମିଲ ଅଛନ୍ତି । ଫାଇନାଲ ପର୍ଯ୍ୟନ୍ତ ସେମାନେ ଦଳରେ ଉପସ୍ଥିତ ରହିବା ନେଇ ବିଭିନ୍ନ କ୍ରିକେଟ ବୋର୍ଡକୁ କହିଛି ବିସିସିଆଇ । ଆସନ୍ତା ଜୁନ ମାସରୁ ଟି 20 ବିଶ୍ବକପ ଆରମ୍ଭ ହେବାକୁ ଥିବା ବେଳେ କିଛି ଖେଳାଳି ଦଳରୁ ଖୁବଶୀଘ୍ର ବିଦାୟ ନେଇପାରନ୍ତି । ତେଣୁ ଏହା ପୂର୍ବରୁ ଆଇପିଏଲ ଆରମ୍ଭ ହେବା ଜରୁରୀ ହୋଇପଡିଛି । ନିର୍ବାଚନ ପୂର୍ବରୁ ଭାରତରେ ଆଇପିଏଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ବିସିସିଆଇର ପ୍ରଥମ ପ୍ରାଥମିକତା ।
ଏହା ମଧ୍ୟ ପଢନ୍ତୁ- ଡିସେମ୍ବର 9ରେ ମହିଳା ଆଇପିଏଲ ନିଲାମୀ
ଆଗକୁ ରହିଛି ଲୋକସଭା ନିର୍ବାଚନ । କିନ୍ତୁ ବର୍ତ୍ତମାନ ସୁଦ୍ଧା ନିର୍ବାଚନ ଆୟୋଗଙ୍କ ତରଫରୁ ତାରିଖ ଘୋଷଣା କରାଯାଇନାହିଁ । ନିର୍ବାଚନ ତାରିଖ ଘୋଷଣା ପରେ ଆଇପିଏଲ କେବେ ଆରମ୍ଭ ହେବ ତାହା ସ୍ପଷ୍ଟ ହୋଇଯିବ । 2019 ନିର୍ବାଚନ ସମୟରେ ଆଇପିଏଲ ଭାରତରେ ଖେଳାଯାଇଥିଲା । ଯଦି ମାର୍ଚ୍ଚ ମାସରେ ଆଇପିଏଲ ଆରମ୍ଭ ହୋଇ ମେ 26ରେ ଶେଷ ହୁଏ ତେବେ ଏହାର ମାତ୍ର 5 ଦିନ ପରେ ହିଁ ଟି ଟ୍ବେଣ୍ଟି ବିଶ୍ବକପ ଆରମ୍ଭ ହେବ ।