ରାଉରକେଲା: ଆରମ୍ଭ ହୋଇଛି ୧୮ତମ ସର୍ବଭାରତୀୟ ବିଜୁ ପଟ୍ଟନାୟକ ସ୍ମାରକୀ ଫୁଟବଲ୍ ପ୍ରତିୟୋଗିତା । ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମରେ 2 ଦିନ ଧରି ହେବାକୁ ଥିବା ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ସ୍ଥାନରୁ 8ଟି ଦଳ ଅଂଶଗ୍ରହଣ କରିଛନ୍ତି । ଏହି ପ୍ରତିଯୋଗିତା ଓଡିଶା ସହ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଫୁଟବଲ୍ ପ୍ରେମୀଙ୍କ ମଧ୍ୟରେ ଖେଳୁଆଡ଼ ମନୋଭାବ ଓ ଏକତାକୁ ପ୍ରଦର୍ଶିତ କରୁଛି ।
ରାଉରକେଲା ସହରର ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମରେ ଗତକାଲି (ସୋମବାର) ଠାରୁ ଆରମ୍ଭ ହୋଇଛି ୧୮ତମ ସର୍ବଭାରତୀୟ ବିଜୁ ପଟ୍ଟନାୟକ ସ୍ମାରକୀ ଫୁଟବଲ୍ ପ୍ରତିୟୋଗିତା । ଟୁର୍ଣ୍ଣାମେଣ୍ଟର ଭବ୍ୟ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ରାଉରକେଲା କ୍ରୀଡ଼ା ସଙ୍ଘ ଏହାର ନେତୃତ୍ୱ ନେଇଛି । ଏହି ସମ୍ମାନଜନକ ଫୁଟବଲ ପ୍ରତିଯୋଗିତାରେ ଜାମସେଦପୁର, ଚେନ୍ନାଇ, ଛତିଶଗଡ଼, ହାଇଦ୍ରାବାଦ ଏବଂ ଓଡ଼ିଶା ସହ ପଶ୍ଚିମବଙ୍ଗ ସମେତ ଭାରତର ବିଭିନ୍ନ ଅଞ୍ଚଳରୁ ଆସିଥିବା 8ଟି ଦଳ ଭାଗ ନେଇଛନ୍ତି ।
ଏହି ଟୁର୍ଣ୍ଣାମେଣ୍ଟ କେବଳ ଉଦୀୟମାନ ଫୁଟବଲ୍ ଖେଳାଳିଙ୍କ ପ୍ରତିଭା ଏବଂ ଦକ୍ଷତା ପ୍ରଦର୍ଶନ ପାଇଁ ଏକ ମଞ୍ଚ ଭାବେ କାର୍ଯ୍ୟ କରିନାହିଁ, ବରଂ ଏଥିରେ ଭାଗ ନେଉଥିବା ଦଳଗୁଡ଼ିକ ମଧ୍ୟରେ ବନ୍ଧୁତ୍ୱ ଏବଂ ସୁସ୍ଥ ପ୍ରତିଯୋଗିତାକୁ ମଧ୍ୟ ପ୍ରୋତ୍ସାହିତ କରୁଛି । ପ୍ରତି ମ୍ୟାଚ୍ ସହ ବିଭିନ୍ନ ରାଜ୍ୟର ଖେଳାଳିମାନେ ନିଜର ନିଷ୍ଠା, ଶୃଙ୍ଖଳା ଓ ସୁନ୍ଦର ଖେଳ ପ୍ରତି ଆଗ୍ରହର ପରିଚୟ ଦେଇ ନିଜର ସ୍ବତନ୍ତ୍ର ଛାପ ଛାଡ଼ିବାକୁ ଲକ୍ଷ୍ୟ ରଖିଛନ୍ତି । ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମର ଚଳଚଞ୍ଚଳ ପରିବେଶ, ଟୁର୍ଣ୍ଣାମେଣ୍ଟକୁ ନେଇଥିବା ଉତ୍ସାହ ଓ ଉତ୍କଣ୍ଠାକୁ ପ୍ରତିଫଳିତ କରୁଛି । ଫୁଟବଲ୍ ପ୍ରେମୀ ଓ ସମର୍ଥକମାନେ ଷ୍ଟାଡିୟମରେ ଭିଡ଼ ଜମାଇ ଖେଳକୁ ଆହୁରି ଆକର୍ଷଣୀୟ କରିଛନ୍ତି । ଏହି ପ୍ରତିଯୋଗିତା ଆସନ୍ତା ଦୁଇ ଦିନ ଧରି ଚାଲିବ । ତେବେ ଦଳ ଗୁଡିକ ବିଜୟ ଓ ଗୌରବ ପାଇବା ପାଇଁ କୌଣସି ପ୍ରକାରର ସୁଯୋଗ ହାତଛଡ଼ା ନକରି ଜୋରଦାର ପ୍ରସ୍ତୁତ ହୋଇ ଖେଳ ପ୍ରଦର୍ଶନ କରୁଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ସର୍ବଭାରତୀୟ ପୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ: କଲିକତାକୁ ହରାଇ କଟକ ଚମ୍ପିଆନ
ତେବେ 18 ତମ ସର୍ବଭାରତୀୟ ଇଣ୍ଡିଆ ବିଜୁ ପଟ୍ଟନାୟକ ମେମୋରିଆଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ୍ ପ୍ରତିଭା, ଦଳଗତ କାର୍ଯ୍ୟ ଏବଂ କ୍ରୀଡ଼ା ପ୍ରତିଭା, ଖେଳାଳି ଏବଂ ପ୍ରଶଂସକଙ୍କ ମଧ୍ୟରେ ସମାନ ଭାବେ ଖେଳ ପ୍ରତି ଥିବା ପ୍ରେମର ଏକ ଉତ୍ସବ ହେବ ବୋଲି କହିଛନ୍ତି ମନ୍ତ୍ରୀ ସାରଦା ନାୟକ ଏବଂ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ । ରାଉରକେଲା କ୍ରୀଡ଼ା ସଙ୍ଘର ସହୟୋଗ ଏବଂ ଦେଶବ୍ୟାପୀ ଦଳଗୁଡ଼ିକର ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ଫଳରେ ଏହି ଟୁର୍ଣ୍ଣାମେଣ୍ଟ ଓଡ଼ିଶାର ଫୁଟବଲ୍ ଆହୁରି ଆଗକୁ ଯିବ ଏବଂ ଆଗକୁ ଆହୁରି ବଡ଼ ଇଭେଣ୍ଟ ରାଉରକେଲା ସହରରେ ଆୟୋଜନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ସାରଦା ନାୟକ । ଉଦଘାଟନୀ ଉତ୍ସବରେ ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଓ ରଘୁନାଥପଲ୍ଲୀ ବିଧାୟକ ସୁବ୍ରତ ତରାଇ ଯୋଗ ଦେଇଥିଲେ।
ଇଟିଭି ଭାରତ, ସୁନ୍ଦରଗଡ଼