ଭୁବନେଶ୍ବର: ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ନହେଲେ ରାଜନୀତି ଛାଡ଼ିଦେବେ ବୋଲି ଭିକେ ପାଣ୍ଡିଆନ ଘୋଷଣା କରିଥିଲେ । ସେହି କ୍ରମରେ ସକ୍ରିୟ ରାଜନୀତିରୁ ଦୂରେଇ ଯିବା ନେଇ ଗତକାଲି ଘୋଷଣା କରିଛନ୍ତି ପାଣ୍ଡିଆନ । ଏକ ଭିଡ଼ିଓ ଜାରି କରି ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ପାଣ୍ଡିଆନ । ତେବେ ଏହା ଚଳିତ ଶତାବ୍ଦୀର ସୁପର ଡ୍ରାମା ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ । ପାଣ୍ଡିଆନ ବିଜେଡିରେ ଥିଲେ ଓ ଆଗକୁ ମଧ୍ୟ ରହିବେ ବୋଲି ସେ କହିଛନ୍ତି ।
ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ସାହୁ କହିଛନ୍ତି, "ରାଜନୀତିରୁ ଦୂରେଇବା ଲାଗି ଭିକେ ପାଣ୍ଡିଆନ ଯେଉଁ ଭିଡିଓ ବାର୍ତ୍ତା ଜାରି କରିଛନ୍ତି, ତାହା ଚଳିତ ଶତାବ୍ଦୀର ସୁପର ଡ୍ରାମା । ସୁପର ଡ୍ରାମାର ଖୋଦ ରଚୟିତା ହେଉଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ୨୦୧୧ରୁ ବିଜୁ ଜନତା ଦଳ ଓ ନବୀନ ପଟ୍ଟନାୟକଙ୍କ ସରକାରରେ ଗଭୀର ପ୍ରଭାବ ପକାଇ ଆସିଛନ୍ତି ଭିକେ ପାଣ୍ଡିଆନ । ବିଜେଡିର ପରିଚାଳନା ସେ କରିଛନ୍ତି । ଦଳର ସମ୍ବଳ ସଂଗ୍ରହ, ସମ୍ବଳ ବିତରଣ ଓ ସମ୍ବଳ ପରିଚାଳନା ସହ ସେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇ ରହିଛନ୍ତି । ଭିକେ ପାଣ୍ଡିଆନଙ୍କୁ ଛାଡି ବିଜେଡି ଚାଲିବା ସମ୍ଭବ ନୁହେଁ । ବିଜେଡି ପାଣ୍ଡିଆନଙ୍କ ବିନା ନିର୍ଭରରେ ରହି ପାରିବ ନାହିଁ ।"
ସେ ଆହୁରି ମଧ୍ୟ କହିଛନ୍ତି, "ଭିକେ ପାଣ୍ଡିଆନଙ୍କର ରାଜନୀତିରୁ ସନ୍ନ୍ୟାସ ଘୋଷଣା ବଗର କାର୍ତ୍ତିକ ମାସ ପାଳନ କରିବା ସଦୃଶ । ଜଣେ ରାଜନେତାର ମୃତ୍ୟୁ ନହେବା ପର୍ଯ୍ୟନ୍ତ ସେ ରାଜନୀତି ଛାଡି ପାରିବ ନାହିଁ । ଭିକେ ପାଣ୍ଡିଆନ ରାଜନୀତିରେ ଦୀକ୍ଷିତ ହୋଇଥିବା ବ୍ୟକ୍ତି । ସେ ଅତୀତରେ ଅଫିସର ଥାଇପାରନ୍ତି । କିନ୍ତୁ ସେ ସମ୍ପୂର୍ଣ୍ଣ ରାଜନୀତି କରୁଥିଲେ । ବିରୋଧୀ ଅଭିଯୋଗ କରିବା ପରେ ସେ ସିଧାସଳଖ ରାଜନୀତିକୁ ଆସିଥିଲେ । ଖୋଲାଖୋଲି କାର୍ଯ୍ୟକ୍ରମ କରିବାକୁ ସେ ଦଳରେ ସାମିଲ ହୋଇଥିଲେ । ସେ ବିଜେଡିରେ ଥିଲେ, ଅଛନ୍ତି । ଆଗକୁ ମଧ୍ୟ ରହିବେ । ଓଡିଶାରେ ହେଉ କି ଓଡିଶା ବାହାରକୁ ଗଲେ ବି ସେ ବିଜେଡିରେ ରହିବେ ।"
ଇଟିଭି ଭାରତ, ଭୁବନେଶ୍ବର