ଯାଜପୁର: ଦେଶବ୍ୟାପୀ ଚାଲିଛି ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନ । ରାଜ୍ୟରେ ମଧ୍ୟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଶେଷ ହୋଇ ସାରିଥିବା ବେଳେ ଆହୁରି ୩ ଟି ପର୍ଯ୍ୟାୟ ବଳକା ରହିଛି । ଗାଁ ହେଉ କି ସହର ସବୁଠି ଦେଖିବାକୁ ମିଳିଛି ରାଜନୈତିକ ଉଷ୍ମତା । ମାତ୍ର ଏହାର ଓଲଟା ପରିସ୍ଥିତି ଦେଖିବାକୁ ମିଳୁଛି ରାଜ୍ୟର ବହୁ ଚର୍ଚ୍ଚିତ ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀର ନଗଡାରେ । ହଁ ନଗଡା, ନାଁଟି ଶୁଣିବା ମାତ୍ରେ ଆଖି ଆଗକୁ ଆସିଯାଏ ଅପହଞ୍ଚ ଅବହେଳିତ ଅଞ୍ଚଳର ଦୃଶ୍ୟ, ଯେଉଁଠି ଦିନେ ଦାରିଦ୍ର୍ୟ ଓ ଅପପୃଷ୍ଟିର କରୁଣ ଚିତ୍ର ଦେଖିବାକୁ ମିଳିଥିଲା । ସେତେବେଳେ ସବୁ ଗଣମାଧ୍ୟମର ପ୍ରମୁଖ ଶୀର୍ଷକ ସାଜିଥିଲା ନଗଡା । ହେଲେ ଆଜି ବଦଳିଯାଇଛି ନଗଡାର ନଗ୍ନ ଚିତ୍ର । ସରକାର ଓ ପ୍ରଶାସନର ପ୍ରୟାସ ଫଳରେ ସେଠାକାର ଜୁଆଙ୍ଗ ଆଦିବାସୀ ମାନେ ଏବେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିଛନ୍ତି ।
ଏହି ସ୍ଥାନରେ ରହୁଥିବା ସମସ୍ତ ଜୁଆଙ୍ଗ ପରିବାର ପାଇଁ ତିଆରି ହୋଇଛି ପକ୍କାଘର । ପାହାଡର ପାଦଦେଶରୁ ପ୍ରାୟତଃ 9 କିଲୋମିଟର ତଳନଗଡା ପର୍ଯ୍ୟନ୍ତ ପକ୍କା ସଡ଼କ ସହିତ ବିଜୁଳି ସଂଯୋଗ ଓ ବିଶୁଦ୍ଧ ପାନୀୟ ଜଳ ମଧ୍ୟ ଦିଆଯାଇଛି । ଖାଲି ପକ୍କାଘର କିମ୍ବା ସଡକ ନୁହେଁ ଏଠି ପ୍ରତ୍ୟେକ ପରିବାରକୁ ସ୍ବାସ୍ଥ୍ୟ ସେବା, ରାସନ୍ ଏବଂ ଶିକ୍ଷା ପାଇଁ ସ୍କୁଲ ଓ ଅଙ୍ଗନବାଡି ଆଦି ସମସ୍ତ ମୌଳିକ ସୁବିଧା ଯୋଗାଇ ଦିଆଯାଉଛି । ଜିଲ୍ଲା ଉଦ୍ୟାନ ବିଭାଗ ସହଯୋଗରେ ନିଜ ବାଡିରେ ଫଳାଇଛନ୍ତି ବିଭିନ୍ନ ପନିପରିବା ଫସଲ । ଏକଦା ଭାତ ଲୁଣକୁ ଜାଣିଥିବା ନଗଡାବାସୀ ଏବେ ବିଭିନ୍ନ ପନିପରିବା ସାଙ୍ଗକୁ ମାଛ,ମାଂସ ଓ ଅଣ୍ଡା ଖାଇପାରିଛନ୍ତି ।
ଏହା ମଧ୍ୟ ପଢନ୍ତୁ.... ବିକାଶ ଆଢ଼ୁଆଳରେ ଦମଣ୍ଡା, ସରକାରୀ ଯୋଜନାରୁ ବଞ୍ଚିତ ଜନତା - DAMANDA WATER PROBLEM
ଅନ୍ୟପଟେ ଦେଶରେ ଚାଲିଥିବା ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି ନଗଡା ବାସୀ । ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ନଗଡାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେଭଳି କିଛି ଦୃଷ୍ଟି ଦେଇନଥିବା ଅଭିଯୋଗ କରିଛନ୍ତି ନଗଡାବାସୀ । ନଗଡା 4ଟି ଗାଁ ଯଥା ନାଲିଆଡାବ,ଉପରନଗଡା, ମଝିନଗଡା ଓ ତଳ ନଗଡା ନେଇ ଗଠିତ । ଏହି ଗାଁରେ ପ୍ରାୟ 410 ଜଣ ମହିଳା, ପୁରୁଷ,ଯୁବକ ଓ ଛୁଆ ବସବାସ କରୁଥିବା ବେଳେ 272 ମହିଳା ଓ ପୁରୁଷ ଭୋଟ ଦେବାର କାର୍ଯ୍ୟକ୍ରମ ରହିଛି ।
ତେବେ ଏହି ଭୋଟର ମାନେ ନଗଡାରୁ ପ୍ରାୟ 14 କିଲୋମିଟର ଦୂର ଦେଓଗାଁ ସରକାରୀ ସ୍କୁଲରେ ଭୋଟ ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଅପରପକ୍ଷେ ଏତେ ଦୂର ନ ଯାଇ ନଗଡାରେ ଥିବା ସ୍କୁଲରେ ସ୍ବତନ୍ତ୍ର ଭୋଟ ଗହଣ କେନ୍ଦ୍ର କରିବାକୁ ଦାବି କରିଛନ୍ତି, ଯାହା ଫଳରେ ସମସ୍ତ ଭୋଟର ମାନେ ଭୋଟ ଦେଇ ପାରିବେ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି । ତେବେ ସରକାର ଓ ପ୍ରଶାସନ ଯଦି ସେମାନଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ଭୋଟ ବ୍ୟବସ୍ଥା କରନ୍ତେ ତେବେ ନିଜର ମୌଳିକ ଅଧିକାରକୁ ସାବ୍ୟସ୍ତ କରିବାର ମୌକାରୁ ବଞ୍ଚିତ ହୁଅନ୍ତେ ନାହିଁ ।
ଇଟିଭି ଭାରତ, ଯାଜପୁର