ଭୁବନେଶ୍ବର: ଓଡ଼ିଶାରେ ତେଲେଙ୍ଗନା ଉପମୁଖ୍ୟମନ୍ତ୍ରୀ ମାଲ୍ଲୁ ଭାଟ୍ଟି ବିକ୍ରମାର୍କା । ରାଜ୍ୟରେ ନିର୍ବାଚନୀ ମାହୋଲ ସରଗରମ ରହିଥିବାବେଳେ ଓଡ଼ିଶା ଆସିଛନ୍ତି ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ । ବିଭିନ୍ନ ଜିଲ୍ଲା ଗସ୍ତ କରି ଭିକେ ପାଣ୍ଡିଆନ ବିଜେଡି ପାଇଁ ପ୍ରଚାର କରୁଥିବାବେଳେ ବିଜେପି ଓ କଂଗ୍ରେସ କେନ୍ଦ୍ର ନେତୃତ୍ବଙ୍କ ଉପରେ ଭରସା କରିଛନ୍ତି । ଏହାରି ମଧ୍ୟରେ ଆସନ୍ତାକାଲି ଦେଖିବାକୁ ମିଳିବ ହାଇଭୋଲଟେଜ୍ ପ୍ରଚାର । କାରଣ କାଲି ଗୋଟିଏ ଦିନରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓଡ଼ିଶାରେ ନିଜ ଦଳ ପାଇଁ ଭୋଟ ଭିକ୍ଷା କରିବେ । ତେବେ ରାହୁଲ ଓଡ଼ିଶା ଆସିବାର ଗୋଟିଏ ଦିନ ପୂର୍ବରୁ ଓଡ଼ିଶା ଆସି ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରିଛନ୍ତି ତେଲେଙ୍ଗନା ଉପମୁଖ୍ୟମନ୍ତ୍ରୀ ମାଲ୍ଲୁ ଭାଟ୍ଟି ବିକ୍ରମାର୍କା ।
କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମିଳନୀରେ ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ କହିଛନ୍ତି, "ମୁଁ ପ୍ରଥମ ଥର ପାଇଁ ଓଡ଼ିଶାକୁ ଆସିଛି । ଆସନ୍ତାକାଲି ଓଡ଼ିଶା ପାଇଁ ଏକ ସୁନ୍ଦର ଦିନ । କାଲି ହେଉଛି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମଜୟନ୍ତୀ । ଉତ୍କଳ ଗୌରବ ମଧୁସୂଦନ ହେଉଛନ୍ତି ଓଡିଶାର ଗର୍ବ ଏବଂ ଗୌରବ । ଓଡିଶା ଭାଷା ଭିତ୍ତିକ ରାଜ୍ୟ ଗଠନରେ ତାଙ୍କର ଅବଦାନ ଅନେକ ।" ଅନ୍ୟପଟେ ରାହୁଲଙ୍କ ଗସ୍ତକୁ ନେଇ ସେ କହିଛନ୍ତି, "ଆସନ୍ତାକାଲି ରାହୁଲ ଗାନ୍ଧୀ ଓଡିଶା ଗସ୍ତରେ ଆସୁଛନ୍ତି । ରାହୁଲ ଗାନ୍ଧୀ ଉତ୍କଳ ଗୌରବ ମଧୁ ବାବୁଙ୍କ ଜନ୍ମସ୍ଥାନକୁ ଯିବେ । ସେଠାରେ ତାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଆଶୀର୍ବାଦ ନେବେ । ଉତ୍କଳ ଗୌରବ ଓଡ଼ିଶାର ଅସ୍ମିତା ଏବଂ ଗୌରବ ପାଇଁ ଲଢେଇ କରୁଥିଲେ । କିନ୍ତୁ ଏବେର ଓଡ଼ିଶା ଓଡ଼ିଆଙ୍କର ହୋଇନାହିଁ । ରାଜ୍ୟର ୨ ଭାଗ ଲୋକ ସବୁ ସୁବିଧା ସୁଯୋଗ ଉପଭୋଗ କରୁଥିବାବେଳେ ୯୨ ପ୍ରତିଶତ ଭାଗ ଲୋକ କିଛି ବି ସୁବିଧା ସୁଯୋଗ ପାଇପାରୁନାହାନ୍ତି । ଏହି ୯୨ ଭାଗରେ ଓବିସି, ଏସ୍ଟି, ଏସ୍ସି ଓ ମାଇନରିଟି ଲୋକମାନେ ରହିଛନ୍ତି । ଏଭଳି ଜନତାଙ୍କ ଦାବିକୁ ନେଇ ରାହୁଲ ଗାନ୍ଧୀ କାଶ୍ମୀରରୁ କନ୍ୟାକୁମାରୀ ପଦଯାତ୍ରା କରିବା ସହ ଲଢେଇ ଜାରି ରଖିଛନ୍ତି । କାରଣ ଦେଶରେ ମୋଦି ସରକାର କିଛି ଶିଳ୍ପପତି ବନ୍ଧୁମାନଙ୍କୁ ଦେଶର ସମ୍ପତ୍ତି ବିକ୍ରି କରିଦେଉଛନ୍ତି ।"
ସେହିପରି ବର୍ତ୍ତମାନ ସାଧାରଣ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ହେଉଥିବା ବେଳେ ଓଡ଼ିଶାରେ ଜାତିକୁ ନେଇ ରାଜନୀତି ହୁଏନାହିଁ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି, "ଦେଶର ସୁରକ୍ଷା ଏବଂ ଉନ୍ନତି ରାଜନୈତିକ ଦଳର ଲକ୍ଷ୍ୟ ଦେବା ଦରକାର । କିନ୍ତୁ ବିଜେପି ଜାତି ଏବଂ ଧର୍ମକୁ ନେଇ ହିଁ ରାଜନୀତି କରୁଛି । ଓଡିଶା ଜନତାଙ୍କୁ ମୁଁ ଅନୁରୋଧ କରୁଛି, ରାହୁଲ ଗାନ୍ଧୀଙ୍କ ଗସ୍ତ ଏବଂ ଲକ୍ଷ୍ୟକୁ ସଫଳ କରନ୍ତୁ । କଂଗ୍ରେସ ଯାହା ଗ୍ୟାରେଣ୍ଟି ଦେଇଛି, ତାହାକୁ କାର୍ଯ୍ୟକାରୀ କରିଛି । ବିଜୟ ପରେ କର୍ଣ୍ଣାଟକ ଏବଂ ତେଲେଙ୍ଗାନାରେ ଗ୍ୟାରେଣ୍ଟି କାର୍ଯ୍ୟକାରୀ କରିଛି କଂଗ୍ରେସ ଦଳ । କଂଗ୍ରେସ ମଧ୍ୟ ଓଡ଼ିଶା ପାଇଁ ୫ଟି ଗ୍ୟାରେଣ୍ଟି କଥା କହିଛି ।" କ୍ଷମତକୁ ଆସିଲେ ତାହା ମଧ୍ୟ ନିଶ୍ଚିନ୍ତ କାର୍ଯ୍ୟକାରୀ ହେବ ବୋଲି ମାଲ୍ଲୁ ଭାଟ୍ଟି ବିକ୍ରମାର୍କା କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର