ପୁରୀ: ଭୋଟ ପାଇଁ ପ୍ରଚାର କରିବା ବେଳେ ଭିନ୍ନ ଭିନ୍ନ କୌଶଳ ଆପଣାଇବାରେ ଲାଗିଥାନ୍ତି ବିଭିନ୍ନ ରାଜନେତା ଓ ପ୍ରାର୍ଥୀ । ନିର୍ବାଚନ ସମୟରେ ଲୋକଙ୍କ ନିକଟତର ହେବା ପାଇଁ ବିଭିନ୍ନ ରୋଚକ ଘଟଣାକ୍ରମରେ ମଧ୍ୟ ନେତାଙ୍କୁ ଦେଖିବାକୁ ମିଳିପାରେ । ସେହିପରି ଏକ ରୋଚକ ଚିତ୍ର ପୁରୀ ଜିଲ୍ଲାରେ ନିର୍ବାଚନ ପ୍ରଚାର ବେଳେ ଦେଖିବାକୁ ମିଳିଛି । ଭାରତୀୟ ଜନତା ପାର୍ଟିର ସ୍ଥାନୀୟ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଓ ପିପିଲି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଡେଲାଙ୍ଗ ଅଞ୍ଚଳରେ ପ୍ରଚାର କରି ଭୋଟ ମାଗିଛନ୍ତି । ନିର୍ବାଚନୀ ପ୍ରଚାର ବେଳେ ଉଭୟ ନେତା ଜଣେ ମହିଳାଙ୍କ ଘର ପିଣ୍ଡାରେ ବସି ପଖଳ ଖାଉଥିବା ମଧ୍ୟ ଦେଖିବାକୁ ମିଳିଛି ।
ଚଳିତ ସାଧାରଣ ନିର୍ବାଚନ ନେଇ ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀରେ ଏବେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ଦଳର ନେତା ଓ କର୍ମୀ ପ୍ରଚଣ୍ଡ ଖରାକୁ ଖାତିର ନକରି ପ୍ରଚାର ଜାରି ରଖିଛନ୍ତି । ଏହିକ୍ରମରେ ବିଜେପି ପ୍ରାର୍ଥୀମାନେ ‘ଜନ ଆଶୀର୍ବାଦ ଓ ଜନ ସମ୍ପର୍କ ଅଭିଯାନ’ ମାଧ୍ୟମରେ ଲୋକଙ୍କ ନିକଟତର ହେବାରେ ଲାଗିଛନ୍ତି । ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଏବଂ ଦଳର ଜିଲ୍ଲା ସଭାପତି ତଥା ପିପିଲି ବିଧାନସଭା ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଗତକାଲି ପିପିଲି ନିର୍ବାଚନ ମଣ୍ଡଳୀର ଡେଲାଙ୍ଗ ବ୍ଲକ୍ ଜେନାପୁର ପଞ୍ଚାୟତରୁ ଜନ ଆଶୀର୍ବାଦ ଶୋଭାଯାତ୍ରା ଆରମ୍ଭ କରିଥିଲେ ।
ଦୁଇ ବିଜେପି ପ୍ରାର୍ଥୀ ଡେଲାଙ୍ଗ ବ୍ଲକର ବିଭିନ୍ନ ଗାଁରେ ପ୍ରଚାର କରିବା ସହ ଲୋକଙ୍କ ଆଶୀର୍ବାଦ ନେଇଥିଲେ । ତେବେ ରେଞ୍ଚ ଗ୍ରାମରେ ଜଣେ ମହିଳା ସମ୍ବିତ ଓ ଆଶ୍ରିତଙ୍କୁ ନିଜ ଘରକୁ ନିମନ୍ତ୍ରଣ କରିଥିଲେ । ଉଭୟ ନେତା ମହିଳାଙ୍କ ଘର ପିଣ୍ଡାରେ ବସି ପଖାଳ ଖାଇଥିଲେ । ଡେଲାଙ୍ଗ ମାଟିର ଝିଅ ତଥା ପୂର୍ବତନ ଶିଶୁ ସୁରକ୍ଷା ଆୟୋଗ ଅଧକ୍ଷା ସନ୍ଧ୍ୟାବତୀ ମଧ୍ୟ ସେମାନଙ୍କ ସହ ଉପସ୍ଥିତ ଥିଲେ ।
ପିପିଲି ନିର୍ବାଚନ ମଣ୍ଡଳୀରେ ପ୍ରମୁଖ ଦଳ ମଧ୍ୟରେ ତ୍ରିମୁଖୀ ଲଢେଇ ହେବାକୁ ଯାଉଛି । ବିକାଶକୁ ମୁଦ୍ଧା କରି ଭୋଟଙ୍କ ପାଖରେ ପହଞ୍ଚିବାକୁ ରାଜନୈତିକ ଦଳମାନଙ୍କର ଆପ୍ରାଣ ଉଦ୍ୟମ ଜାରି ରହିଛି । ତେବେ ବିଜେପି ପ୍ରତି ଲୋକଙ୍କ ମନରେ ବିଶ୍ବାସ ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କର ପ୍ରଭାବୀ ନେତୃତ୍ବ ପାଇଁ ରାଜ୍ୟବାସୀ ଏଥର ଡବଲ ଇଞ୍ଜିନ ସରକାର ଆଣିବ ବୋଲି ଉଭୟ ସମ୍ବିତ ଓ ଆଶ୍ରିତ ପ୍ରତିକ୍ରିୟାରେ କହିଛନ୍ତି ।
ଇଟିଭି ଭାରତ, ପୁରୀ